ଆମ ସମାଜ-ବିକାଶରେ ଆଦିବାସୀ-ଅବଦାନ

॥ ମାୟାଧର ନାୟକ ॥

ଭାରତରେ ଓଡ଼ିଶା ହେଉଛି ସର୍ବାଧିକ ଆଦିବାସୀ-ଅଧ୍ୟୁଷିତ ପ୍ରଦେଶ । ୬୨ ସଂଖ୍ୟକ ଆଦିବାସୀ ବା ଆଦିମ ଜନଜାତି ଓଡ଼ିଶାରେ ବସବାସ କରୁଛନ୍ତି। ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪ ଶତାଂଶ ହେବେ ଏମାନେ । ଦକ୍ଷିଣ-ପଶ୍ଚିମ ଓଡ଼ିଶା ବିଶେଷ କରି କୋରାପୁଟରେ ଓ ସମ୍ବଲପୁର ସନ୍ନିକଟ ଅଞ୍ଚଳରେ ଦେଖିବାକୁ ମିଳୁଥିବା କନ୍ଧମାନଙ୍କ ସଂଖ୍ୟା ଦଶଲକ୍ଷରୁ ଅଧିକ । ଉତ୍ତରଓଡ଼ିଶା ବିଶେଷକରି ମୟୂରଭଂଜ ଜିଲ୍ଲାର ବାରିପଦା ଓ ଖିଚିଂ ନିକଟବର୍ତ୍ତୀ ବନଭୂମିରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ସାନ୍ତାଳ ଜନଜାତି ବସତି ବିସ୍ତାର କରିଛନ୍ତି । ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ସଉରା ଆଦିବାସୀଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ । କୋରାପୁଟର ଗିରିବାସୀ ଆଦିବାସୀଙ୍କ ମଧ୍ୟରେ ବଣ୍ଡା ହେଉଛନ୍ତି ବେଶ୍ ଜଣାଶୁଣା । ଖରାବର୍ଷାଶୀତ ସବୁବେଳେ ସେମାନେ ପ୍ରକୃତି ସହିତ ପ୍ରକୃତିର ସନ୍ତାନ ପରି ବିଶ୍ୱସ୍ତ । ଦେହରେ ବସ୍ତ୍ର ନଥାଏ କି ମନରେ ନଥାଏ ବିନ୍ଦୁଏ ମଳିନତା। ପୂର୍ଣ୍ଣଉଲଗ୍ନ ଏହି ଆଦିବାସୀ ସମାଜ ଆମ ପୋଷାକୀ ସମାଜର କୋଳାହଳଠାରୁ ଅନେକ ଦୂରରେ ଥାଇ ନିଘଂଚ ବନଭୂମିର ଉଚ୍ଚ ଗିରିପର୍ବତ ଅଞ୍ଚଳରେ ବିଚରଣଶୀଳ । ଓଡ଼ିଶାର ମାଲକାନଗିରି ଜିଲ୍ଲା ହେଉଛି ବିରଳ ଆଦିବାସୀ ବଣ୍ଡାମାନଙ୍କର ପ୍ରିୟ ମାନଚିତ୍ର । ଦୁଇ ଭିନ୍ନ କିସମର ବଣ୍ଡା ଅଛନ୍ତି। ଭାରତୀୟ ମୁଖ୍ୟ ସାମାଜିକ ସ୍ରୋତରୁ ଚିରବିଚ୍ଛିନ୍ନ ଉପର ବଣ୍ଡା (Upper Bonda) ରହିଆସୁଛନ୍ତି ଘନଅରଣ୍ୟର ଅଭ୍ୟନ୍ତରରେ, ପାହାଡ଼ଚୂଡ଼ା ପାଖାପାଖି ଗୁହାଗୁଡ଼ିକରେ । ଏମାନଙ୍କର ସଂଖ୍ୟା ହେବ ପ୍ରାୟ ୭ ହଜାର । ମାତ୍ର ପ୍ରାୟ ୧୭ ହଜାର ତଳୁଆ ବଣ୍ଡା (Lower Bonda)ଙ୍କୁ ଆମେ ଚିହ୍ନଟ କରିପାରୁ ବିସ୍ତୀର୍ଣ୍ଣ ବନଭୂମିରେ । ଏମାନେ ମୁଣ୍ଡା ସଂପ୍ରଦାୟର ଆଦିବାସୀ ହେଲେ ହେଁ ଏମାନଙ୍କର ଆଚାର, ବିଚାର, ସଂସ୍କାର, ଜୀବନଶୈଳୀରେ ଭରିରହିଛି ଗୋଟିଏ ପ୍ରକାର ବିଜନତାପ୍ରେମୀ ସ୍ୱତନ୍ତ୍ର ଜୀବନଶୈଳୀ । ମାତ୍ର ଧୀରେଧୀରେ ଏହି ବଣ୍ଡାମାନେ ଏବେ ବଂଶବିଲୁପ୍ତିର ଆଶଙ୍କାରେ ଥିବାର ଅନୁମାନ । କେଉଁଝର, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଚାଷୀଆଦିବାସୀମାନଙ୍କୁ ‘କିଷାନ’ ନାଆଁରେ ଚିହ୍ନାଇ ଦିଆଯାଏ ।

ତାଲିକା ଲମ୍ବା । ୬୨ ପ୍ରକାର ଆଦିବାସୀଙ୍କ ଭିତରୁ କନ୍ଧ, ସଉରା, ଗଣ୍ଡ, ସାନ୍ତାଳ, ପରଜା, ଗଦବା, କୋୟ, ଓରାଓଁ, ଭୂଇଜୀ, ବଣ୍ଡା, ଜୁଆଙ୍ଗ, ଭୁଂଜାୟା, ଦିୟାଦି, ଲୋଧା, ଶବର, ଥୁମ୍ବା, ଭୂୟାଁ, ହୋ, କୋହ୍ଲ, ମୁଣ୍ଡାରି ଆମ ଆଙ୍ଗୁଠିଗଣା ନାଆଁ ଭିତରକୁ ଆସୁଥିଲେ ହେଁ ଆହୁରି କେତେନାକେତେ ଆଦିମ ଜନଜାତି ଅଛନ୍ତି, ଯେଉଁମାନଙ୍କ ସଂପର୍କରେ ଆମ ତଥାକଥିତ ସଭ୍ୟଶିକ୍ଷିତ ସମାଜ କେବଳ ଅଜ୍ଞ ନୁହେଁ। ସଂପୂର୍ଣ୍ଣ ତଥ୍ୟହୀନ । ଆମେ କେବଳ ଜନଗଣନା ସୂତ୍ର ଧରି କେତେକ ଆଦିବାସୀଙ୍କୁ ତଫସିଲଭୁକ୍ତ କରିଦେଇ ଆମ ଦାୟିତ୍ୱ ସରିଗଲା ବୋଲି ଧରିନେଉଛୁ । ମାତ୍ର ଏହା ତ ଦାୟିତ୍ୱ ନୁହେଁ, ଗୋଟାଏ ପ୍ରକାରର ପ୍ରକାଣ୍ଡ ଅପରାଧ। ଏ ଭୂମିର ଆଦିନିବାସୀ ନିରୀହ ନିରଳସ ମଣିଷସମାଜ ପ୍ରତି । ୬୨ କିସମ ଭିତରୁ ଆମେ କେବଳ ୧୩ କିସମଙ୍କୁ ଆଦିମ ଜନଜାତି ଭାବରେ ଗଣନା କରି ତଫସିଲର ତାଲିକାଧୀନ କରିପାରିଛୁ ।

ମୁଁ ଜାଣିଶୁଣି ଏଠାରେ ଭାରତ କଥା କହୁନାହିଁ। ଓଡ଼ିଶାର ଆଦିବାସୀ ପ୍ରସଙ୍ଗ ଉଠାଉଛି ଏଇଥିପାଇଁ ଯେ ଓଡ଼ିଶା ଏ ଦେଶର ଏକନମ୍ବର ଆଦିବାସୀ ରାଜ୍ୟ । ୬୪୫ ଆଦିବାସୀ ଜନଜାତିର ଭାରତବର୍ଷ ବିଭିନ୍ନ ରାଜ୍ୟରେ ଆଦିବାସୀ ସମାଜକୁ ବନସ୍ତଭୂମିରେ ବିଚ୍ଛୁରିତ କରି ରଖିଆସୁଥିଲେ ହେଁ ୬୨ କିସମର ଆଦିବାସୀ ଓଡ଼ିଶାର ଜନସଂଖ୍ୟାରେ ଏକ ବିଶେଷ ସ୍ଥିତି ବଜାୟ ରଖିଆସିଛନ୍ତି । ଏଠାରେ ଆଦିବାସୀ ଓ ଅଧିବାସୀ ପରସ୍ପରଠାରୁ ଜୀବନଶୈଳୀରେ ଆବହମାନ କାଳରୁ ବ୍ୟବଧାନ ଦର୍ଶାଇଆସୁଥିଲେ ହେଁ ସଂସ୍କୃତି, କଳା, ନୃତ୍ୟ ଓ ସଂଗୀତଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଭବିଷ୍ୟତର ଗୋଟିଏ ସହଭାଗିତାକୁ ଆପଣାଇନେବାର ଆଶା ଓ ସମ୍ଭାବନାକୁ ମୁଁ ଅନ୍ତତଃ ଏଡ଼ାଇ ଦେଇପାରୁନାହିଁ ।
ଓଡ଼ିଶାର ସଂସ୍କୃତି କଥା ପ୍ରଥମେ ବିଚାରକୁ ଅଣାଯାଉ । ଓଡ଼ିଆ ଓ ଅନ୍ୟ ଭାରତୀୟ ଜନସମାଜର ପରମ ଆରାଧ୍ୟ ଇଷ୍ଟଦେବତା ଭାବରେ ଯେଉଁ ଜଗନ୍ନାଥ ଦୀର୍ଘକାଳରୁ ଉପାସିତ, ସେ ହେଉଛନ୍ତି ଆଦିବାସୀ ସମାଜର ଆଦିଦେବତା । ଶବରମାନଙ୍କ ପାହାଡ଼ଗୁହା ନୀଳକନ୍ଦରରୁ ଆମେ ତାଙ୍କୁ ନେଇଆସିଲୁ ପ୍ରତାରଣା କରି ଏବଂ ଆମ ଏଠାର ପଥରପୁରୀରେ ଦାରୁଦେବତା ଜଗନ୍ନାଥରେ ପରିଣତ କରିଦେଲୁ । ତାଙ୍କ ସହିତ ଜୈନ, ବୌଦ୍ଧ, ବୈଷ୍ଣବ ଓ ଭୈରବ ଉପାସନାର ନାନା ବିଧିବିଧାନ ଖଞ୍ଜିଦେଲୁ । ଆମ ଅଧିବାସୀୟ ସଂସାରର ପ୍ରସାଧିତ ପ୍ରଲେପ ଛଡ଼ାଇଦେଲେ ଦିଶିବ ଗୋଟିଏ ସରଳ, ସାବଲୀଳ, ସ୍ୱାଭାବିକ, ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଆଦିବାସୀ ଜୀବନଧାରାର ଅସଲ ବ୍ରହ୍ମରୂପ ।

ବିଭିନ୍ନ ବାଦ୍ୟଯନ୍ତ୍ର ବି ଆମେ ଆଦିବାସୀସମାଜଠାରୁ ଆମଦାନୀ କରିଆଣିଛୁ। ତା’ର ବିଶେଷ ଗବେଷଣା ଏଯାବତ୍ ହୋଇପାରିନାହିଁ କହିଲେ ଚଳେ । ଆମର କାନ୍ଦଣାଲହରୀଠାରୁ ଆରମ୍ଭ କରି ଲୋକଗୀତ, ପଲ୍ଲିଗୀତଗୁଡ଼ିକରେ ଆଦିବାସୀ ପ୍ରଭାବ ସବିଶେଷ ଅନୁଧ୍ୟାନର ବିଷୟ । ଏପରିକି ଓଡ଼ିଶାର ଲୋକକଥାଗୁଡ଼ିକର ମୂଳଭିତ୍ତି ଯେ ଆଦିବାସୀ ଲୋକକଥା – ମୋର ଏ ମତକୁ ଭାବୀ ଗବେଷକମାନେ ଟିକିଏ ତଲେଇ କରି ଦେଖନ୍ତୁ ।

ଆଦିବାସୀ ସମାଜ ନିକଟରେ ଆମ ଅଧିବାସୀସମାଜ ଏହି ଦୃଷ୍ଟିରୁ ମାନୁ ବା ନମାନୁ ବହୁଳାଂଶରେ ଋଣୀ। ଆମର ତଥାକଥିତ ଧର୍ମ, ସଂସ୍କୃତି, କଳା, ସାହିତ୍ୟ ସେମାନଙ୍କ ମୂଳସ୍ପଂଦନରୁ ଆମଦାନି କରିଛି କେତେ ସ୍ୱର, କେତେ ଉଚ୍ଚାରଣ ଯଦିବା କୃତଜ୍ଞତା ନିବେଦନ କ୍ଷେତ୍ରରେ ଆମେ ନିତାନ୍ତ କୃପଣ । ଆମ ସମାଜ-ବିକାଶର ଭିତ୍ତିପତ୍ରରେ ଆଦିବାସୀ ଅବଦାନକୁ ଆମେ ଯେପରି ସ୍ୱୀକୃତି ଦେବା କଥା ଦେଇନାହୁଁ, ଜୀବନର ଅନେକକ୍ଷେତ୍ରରେ ଆମେ ବରଂ ସେମାନଙ୍କ ଋଣସ୍ୱୀକାରପ୍ରାପ୍ତିବେଳକୁ ଅତିମାତ୍ରାରେ କୁଣ୍ଠିତ । ଏପରିକି ଆମର ଅନେକ କୃଷିଜାତ ଓ ଔଷଧୀୟ ବୃକ୍ଷଲତାଗୁଳ୍ମର ଚେର ଆମେ ସାଉଁଟି ଆଣିଛୁ ସେମାନଙ୍କ ପାଖରୁ। ମାତ୍ର ଏବେ ବି ସେମାନଙ୍କୁ ଛାଡ଼ିଦେଇଛୁ ଭୋକଉପାସରେ ଶଢ଼ିବାକୁ ଆଉ ରୋଗବ୍ୟାଧିରେ ଦରମରା ଜୀବନଟାଏ କାଟିବାକୁ । ଏ ରାଜ୍ୟର ମୂଳବାସିନ୍ଦା ସେମାନେ। ଅଥଚ ଆମେ ଏଠି ରାଜଧାନୀଟାଏ ଗଢ଼ିଦେଇ ସେମାନଙ୍କ ଗାଆଁ ଗଡ଼ଜାତକୁ ଦେଖାଉଛୁ ଆମ ନାଟକବାଜି ।

ଆମେ ଉଇଖିଆ ପୁରୁଣା ବ୍ରିଟିଶ ଆଇନ୍‌କୁ ଜାବୁଡ଼ି ଧରିଛୁ । ଆମ କୋର୍ଟକଚେରିରୁ ସେମାନଙ୍କୁ ଶୁଣାଉଛୁ ନୋଟିସ୍‌ ବୋର୍ଡ୍‌ର ନାଲିସ୍‌ନାମା ଆଉ ପରୁଆନାର ଫର୍ଦ। ଅଥଚ ସେମାନଙ୍କ ପ୍ରାକୃତିକ ନ୍ୟାୟନୀତିର ରାୟକୁ ଆମ ସଂବିଧାନର ସ୍ୱରମର୍ମରରେ ସ୍ଥାନିତ କରି ପାରିନାହୁଁ । ଯେଉଁ ମହାସତ୍ୟଟି ନିରକ୍ଷର ଆଦିବାସୀଠୁ ତଥାକଥିତ ଆମ ସଭ୍ୟଶିକ୍ଷିତ ସମାଜ ଆଗେ ଶିଖିବା କଥା, ତାହା ଶିଖିପାରିନାହିଁ। ତାହା ହେଲା ଆଦିବାସୀର ସାମାଜିକତା ହେଉଛି ଏକ ମହାପ୍ରବାହଧର୍ମୀ ସାମୂହିକତା । ସେଠି ସମାଜ କହିଲେ ସମୂହ । ଏପରିକି ପଶୁପକ୍ଷୀ, ବୃକ୍ଷଲତା ସହିତ ମଣିଷ ସେଠି ଜୀବନର ସବୁକ୍ଷେତ୍ରରେ ସହଭାଗୀ, ସହାବସ୍ଥାନୀ । ଆଜିଯାଏଁ ବି ସେମାନଙ୍କର ସମାଜ ହେଉଛି ସମୂହର । ସେଠି ‘ବ୍ୟକ୍ତି’ ଜନ୍ମ ନେଇପାରିନାହିଁ ଏଯାଏଁ-ଅଥଚ ଅଭିବ୍ୟକ୍ତି ତ କିଛି କମ୍ ନୁହେଁ!

ସେମାନଙ୍କର ଲିପିର ବିକାଶ ହୋଇପାରିଲାନାହିଁ ବୋଲି କଣ ମୁହଁରେ ଫୁଟୁଥିବା ମରମଭାଷାକୁ ଆମେ ମୂଲ୍ୟ ଦେବାନାହିଁ? ବ୍ୟକ୍ତି … ଆମ ସମାଜ-ଜୀବନକୁ ରୁଗ୍‌ଣ ମାନସିକତାଧର୍ମୀ ମାଲିକାନାବାଦରେ କବଳିତ କରିସାରିଲାଣି । ଆମେ ଏହି ଉତ୍କଟ ଆତ୍ମିକ ସଂକଟରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଆଦିବାସୀ ସମାଜର ସମୂହ ସତ୍ତାଧର୍ମିତାଠାରୁ ବୀଜମନ୍ତ୍ର ଆହରଣ କରିବାକୁ ପଡ଼ିବ – ନହେଲେ ଅଚିରେ ଦିନେ ଆମ ସମାଜ ମହାକାଳର ମିଉଜିୟମରେ ଧୂସର କଂକାଳ ହୋଇ ଉତ୍ତରଦାୟାଦମାନଙ୍କ ପରୀକ୍ଷାର ସାମଗ୍ରୀ ପାଲଟିବାକୁ ବାଧ୍ୟ ।

ଅନେକବର୍ଷ ତଳେ ଆଦିବାସୀ ସାହିତ୍ୟ ଯେ ଅସଲ ଆଧୁନିକ ସାହିତ୍ୟ-ଏ କ୍ରାନ୍ତିକାରୀ ମତ ମୁଁ ଦେଇଥିଲି ଲିଖିତ ଭାବରେ । କାରଣ ଆମର ତଥାକଥିତ ଆଧୁନିକତା ହେଉଛି ଔପନିବେଶକତାବାଦର ଉଚ୍ଛିଷ୍ଟ ମାତ୍ର । ଅଥଚ ସେମାନଙ୍କ ମୌଖିକ ଭାଷାର ମନୋଜ୍ଞ ଅଭିବ୍ୟକ୍ତି ଗୁଡ଼ିକୁ ଦେଖନ୍ତୁ ତ- କେତେ ମୌଳିକ ଓ ସ୍ୱତଃସ୍ଫୂର୍ତ ଭାବରେ ଆମଠୁ କେତେ ଅଧିକ ଶକ୍ତିଶାଳୀ ସେମାନେ ! ଅନୁରୋଧ କରୁଛି, ଏ ଦିଗରେ ପୁନଃଚିନ୍ତନର ପର୍ବ ଆରମ୍ଭ କରନ୍ତୁ ବନ୍ଧୁମାନେ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

ମତାମତ ଦିଅନ୍ତୁ ।