ଆମେ କେମିତି ରାମ ଭକ୍ତ ?

॥ ଗୋପାଳ ମହାପାତ୍ର ॥

ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ ହେବାକୁ ଯାଉଛି। ଏହା ଏକ ସୁଖଦ ଖବର ନିଶ୍ଚୟ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାମମନ୍ଦିର ପ୍ରସଙ୍ଗରେ ଦେଇଥିବା ରାୟକୁ ସବୁ ପକ୍ଷ ମାନିନେଇଛନ୍ତି। ଏହା ଭାରତର ସହିଷ୍ଣୁ ସ୍ୱଭାବର ପରିଚାୟକ ଅଟେ। କିନ୍ତୁ ରାମମନ୍ଦିର ନିର୍ମାଣ କରୁଥିବା ବର୍ତ୍ତମାନର ଭାରତ କ’ଣ ରାମ ଚରିତର ଅନୁଶୀଳନ କରୁଛି ? ଆମ ରାଜନେତାମାନେ ମନ୍ଦିରର ନିର୍ମାଣ ପାଇଁ ଯେଭଳି ଭାବରେ ଜବରଦସ୍ତ ଜନ-ଜାଗରଣ କରିଥିଲେ ବା କରୁଛନ୍ତି, କ’ଣ ସେତିକି ଜୋରରେ ସେମାନେ ରାମଙ୍କ ମର୍ଯ୍ୟାଦା ପାଳନ ଉପରେ ଗରୁତ୍ୱ ଦେଉଛନ୍ତି ?

ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଏ। ଏହି ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ଭଗବାନ ବୋଲି କହି ଆମେ ଗୋଟିଏ ମନ୍ଦିର ନିର୍ମାଣ କରିଦେବା, ମନ୍ଦିରରେ ତାଙ୍କୁ ସ୍ଥାପନା କରିଦେବା, ମନ୍ଦିରରେ ଘଣ୍ଟି ଘଣ୍ଟା ବଜାଇ ତାଙ୍କର ଆରତି କରିବା ଏବଂ ପ୍ରସାଦ ଖାଇଦେବାରେ କ’ଣ ସବୁ ସରିଯିବ ? ଆମେ କ’ଣ ଏତିକି କରିଦେଲେ ରାମଭକ୍ତ ହୋଇପାରିବା ? ରାମମନ୍ଦିରରେ ମୂର୍ତ୍ତୀ ସ୍ଥାପନ, ପୂଜାର୍ଚ୍ଚନା ପରେ ଆମ କାମ କ’ଣ ସରିଗଲା ? ସନ୍ଥ କବୀର କହିଥିଲେ “ଜୋ ପଥର ପୁଜେ ହରି ମିଲେ ତୋ ମେଁ ପୁଜୁଁ ପାହାଡ଼”। ରାମଙ୍କ ଚରିତ୍ରକୁ ନିଜର କରିବା ଓ ଆଚରଣରେ ପ୍ରଦର୍ଶନ କରିବା ହିଁ ରାମଙ୍କ ପ୍ରତି ପ୍ରକୃତ ପୂଜା। ପୁରାଣର କଥା ଅନୁସାରେ ମାତା ସୀତାଙ୍କ ଉପରକୁ ଜଣେ ରଜକ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା ତେଣୁ ସୀତା ଅଗ୍ନି ପରୀକ୍ଷା ଦେବା ପାଇଁ ବାଧ୍ୟ ହୋଇଥିଲେ। କାହିଁକି ମାତା ସୀତା ଅଗ୍ନି ପରୀକ୍ଷା ଦେଇଥିଲେ ? କାରଣ ହେଉଛି ରାଜା ବା ରାଣୀ ଅଥବା ରାଜକୁମାରୀଙ୍କ ଚରିତ୍ର ସନ୍ଦେହରୁ ଉର୍ଦ୍ଧ୍ୱରେ ରହିବା ଉଚିତ୍। ସାରାଦେଶ ଅଥବା ଦେଶର ସବୁ ପ୍ରଜାଙ୍କ ପାଇଁ ଏମାନେ ଆଦର୍ଶ ହୋଇଥାନ୍ତି। ଏହା ହେଉଛି ପ୍ରକୃତ ଗଣତନ୍ତ୍ର। କିନ୍ତୁ ଆମ ନେତାମାନଙ୍କ ଅବସ୍ଥା କ’ଣ ସେକଥା ସମସ୍ତେ ଜାଣନ୍ତି। ରଜକର ସମାଲୋଚନା ବା ଅସାମାଜିକ ତତ୍ୱଙ୍କ ମାଡ଼ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ କି ପାରିବ ବି ନାହିଁ।

ଦେଶର ଅନେକ ଏମିତି ନେତା ବଡ଼ ବଡ଼ ଠିକାଦାରୀ ବା ଟେଣ୍ଡର କାର୍ଯ୍ୟ ଓ ବଡ଼ ବଡ଼ ସରକାରୀ କିଣାବିକାରେ ଦଲାଲି କରନ୍ତି ଓ ବେଶ୍ ହାତ ଚିକ୍କଣ କରନ୍ତି। ଅନେକଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ମଧ୍ୟ ରହିଛି। ଅନେକଙ୍କ ନାମରେ ମକଦ୍‌ମା ମଧ୍ୟ ଚାଲିଛି ହେଲେ ଶତକଡ଼ା ୯୯ ପ୍ରତିଶତ ବା ତା’ଠାରୁ ଅଧିକନେତା ଦୋଷମୁକ୍ତ ହୋଇଛନ୍ତି। ନେତାମାନଙ୍କ ପାଇଁ ଆଲୋଚନା, ସମାଲୋଚନା, ବିରୋଧ, ପ୍ରଦର୍ଶନ, ଫୁଲମାଳ ଅଥବା ଗାଳିର ଫରକ କିଛି ନାହିଁ। ରାମ ତାଙ୍କ ପିତା ଦଶରଥଙ୍କ କଥା ବା ବଚନ ପାଳନ କରି ସିଂହାସନ ତ୍ୟାଗ କରି ୧୪ବର୍ଷ ବନବାସ ଚାଲିଯାଇଥିଲେ। କିନ୍ତୁ ଆଜିର ରାମ ଦଶରଥଙ୍କୁ ଆଗରେ ରଖି ସିଂହାସନ କବ୍‌ଜା କରିବା ପାଇଁ ଯେକୌଣସି ବ୍ୟକ୍ତି ସହ ସାଲିସ କରିବା ପାଇଁ ପ୍ରସ୍ତୁତ। ବନବାସୀ ରାମ ଅନେକ ଲୋକଙ୍କୁ ଆଦର ସମ୍ମାନ କରିଥିଲେ, କୋଳାଗ୍ରତ କରିଥିଲେ ବୋଲି ପୁରାଣ କହୁଛି। ରାମ ସେତେବେଳେ ଜାତି-କୁଟୁମ୍ବ, ଉଚ୍ଚ-ନୀଚ୍ଚ, ମନୁଷ୍ୟ ଓ ପଶୁ ମଧ୍ୟରେ ଭେଦଭାବ ରଖିନଥିଲେ। ଭେଦଭାବ ତ୍ୟାଗ କରିଦେଇଥିଲେ। କିନ୍ତୁ ରାମଙ୍କ ନାମ ନେଉଥିବା ଓ ରାମ ନାମ ମାଳା ଜପୁଥିବା ଆମ ନେତାମାନେ କ’ଣ ଉଚ୍ଚ-ନୀଚ୍ଚ, ମନୁଷ୍ୟ ଓ ପଶୁ ମଧ୍ୟରେ ଭେଦଭାବ ରଖିନଥିଲେ। ଭେଦଭାବ ତ୍ୟାଗ କରିଦେଇଥିଲେ। କିନ୍ତୁ ରାମଙ୍କ ନାମ ନେଉଥିବା ଓ ରାମନାମ ମାଳା ଜପୁଥିବା ଆମ ନେତାମାନେ କ’ଣ ଉଚ୍ଚ-ନୀଚ୍ଚ, ଜାତି ଭେଦକୁ ଭୁଲିପାରିଛନ୍ତି ? ଉତ୍ତର ହେଉଛି ନାଁ। ଭେଦଭାବ ସୃଷ୍ଟି କରି ନେତାଏ ନିର୍ବାଚନ ବୈତରଣୀକୁ ପାରହେଉଛନ୍ତି। ତେବେ ଏମାନେ ରାମଭକ୍ତ ହେଲେ କେମିତି ? ଆମେ କ’ଣ ଏମାନଙ୍କୁ ରାମଭକ୍ତ ବୋଲି କହିପାରିବା କି ? ପୁରାଣର କଥା ଅନୁସାରେ ରାମ ରାବଣର ସ୍ୱର୍ଣ୍ଣମୟୀ ଲଙ୍କାକୁ ଜିଣିଥିଲେ କିନ୍ତୁ ନିଜେ ସ୍ୱର୍ଣ୍ଣମୟୀ ଲଙ୍କାର ସିଂହାସନରେ ବସି ନଥିଲେ କିମ୍ବା ଲକ୍ଷ୍ମଣ ବା ଭରତ, ଶତୃଘ୍ନଙ୍କୁ ସେଠାକାର ସିଂହାସନରେ ବସାଇଥିଲେ। ରାମ ଲଙ୍କାକୁ ଜିଣି ବିଭିଷଣଙ୍କ ହାତରେ ସମର୍ପିତ ଦେଇଥିଲେ। କିନ୍ତୁ ଆମ ଦେଶରେ ପରିବାରବାଦର ଇତିହାସ ଚାଲିଛି। ଦେଶର ପ୍ରାୟ ସବୁ ରାଜନୈତିକ ଦଳ ମା-ପୁଅଙ୍କ ଦଳ ଅଥବା ଭାଇ-ଭାଇର ଦଳ ବା ବାପ-ପୁଅଙ୍କ ଦଳ ଅଥବା ପତି-ପତ୍ନୀଙ୍କ ଦଳରେ ପରିଣତ ହୋଇଯାଇଛି। ଦେଶରେ ଏମିତି କୌଣସି ରାଜନୈତିକ ଦଳ ନାହିଁ ଯେଉଁ ଦଳରେ ପରିବାରବାଦର ଛାପ ପଡ଼ିନାହିଁ। ରାମ ରାଜତନ୍ତ୍ରକୁ ଲୋକତନ୍ତ୍ର ବା ଗଣତନ୍ତ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ଆମ ରମଭକ୍ତମାନେ ଭାରତୀୟ ଗଣତନ୍ତ୍ରକୁ ପରିବାରତନ୍ତ୍ରରେ ପରିଣତ କରିବା ପାଇଁ ତତ୍ପର। ଏଣୁ ଏମାନେ ଓ ଆମେ କେମିତି ରାମଭକ୍ତ ?

ଶହ ଶହ ବର୍ଷର ବିବାଦ ଏପରିକି ଜନଜାଗରଣ ଓ ମାନ୍ୟବର କୋର୍ଟଙ୍କ ନିଷ୍ପତ୍ତି ପରେ ରାମଜନ୍ମଭୂମି ବିବାଦ ଶାନ୍ତ ପଡ଼ିଛି। ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ସୃଷ୍ଟି ପାଇଁ ଏହା ଏକ ଅବସର ମଧ୍ୟ ସୃଷ୍ଟି କରିଛି। ରାମ ମନ୍ଦିର ଆନ୍ଦୋଳନ କୌଣସି ସାଧାରଣ ସଂଘର୍ଷ ନଥିଲା ବରଂ ଥିଲା ଏକ ଜୀବନ୍ତ ଇତିହାସ। “ଦାସକ୍ୟାପିଟାଲ” ପୁସ୍ତକରେ କାର୍ଲମାର୍କ୍ସ ଲେଖିଛନ୍ତି “ଯଦି ବିଜେତା ଲୋକଙ୍କ ସଂସ୍କୃତି ଅଧିକ ବିକଶିତ ନହୁଏ ତେବେ ସେଇ ସଂସ୍କୃତି ବିଲୋପ ଆଡ଼କୁ ଗତି କରେ।” ଭାରତକୁ ଆସିଥିବା ଆରବ, ତୁର୍କ, ପଠାଣ, ମୋଗଲ ସମସ୍ତଙ୍କର ହିନ୍ଦୁକରଣ ହୋଇଥିଲା। ସବୁ ଠିକ୍। କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ପୂଜା କରିବା ସହ ତାଙ୍କ ଚରିତ୍ରକୁ ଅନୁଶୀଳନ ଓ ଅନୁକରଣ କରିବା କ’ଣ ଉଚିତ୍ ନୁହେଁ କି ? ତାଙ୍କ ଆଦର୍ଶ କଥା କହୁଥିବା ଲୋକେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଆଦର୍ଶରେ ଅନୁପ୍ରାଣିତ ନହେଲେ ତାଙ୍କୁ ରାମଭକ୍ତ କୁହାଯିବ କେମିତି ? ରାମଙ୍କ କଥା କହୁଥିବା ଲୋକେ ରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ଗାନ୍ଧୀଙ୍କ ରାମରାଜ୍ୟର ସ୍ୱପ୍ନ ସାକାର ହେବ ନିଶ୍ଚୟ।

ରାମଚନ୍ଦ୍ରପୁର, ରଣପୁର,
ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।