ଆମେରିକାରେ ଟିକଟକ୍ ବ୍ୟାନ୍‌

ୱାଶିଂଟନ : ଭାରତ ପରେ ଚୀନ ଉପରେ ଆମେରିକା ନେଲା ପଦକ୍ଷେପ। ଟିକଟକ ଓ ୱି ଚ୍ୟାଟ ଉପରେ ଆମେରିକା କଟକଣା ଲଗାଇ ଥିବାବେଳେ ଏହି ଆପର ମାଲିକଙ୍କ ସହ କୌଣସି ବ୍ୟବସାୟିକ ସମ୍ପର୍କ ନ ରଖିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

ଚଳିତବର୍ଷ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଆମେରିକାରେ ଟିକଟକ ଓ ୱି ଚ୍ୟାଟ ସଂପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଥିବା ବେଳେ ଏ ସମ୍ପର୍କିତ ଏକ ଆଦେଶନାମା ଉପରେ ଦସ୍ତଖତ କରିଛନ୍ତି। ସେ କହିଛନ୍ତି ଏଭଳି ଆପ ଜରିଆରେ ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେଉଛି। ଟିକଟକ ଓ ୱି ଚ୍ୟାଟ ଭଳି ଆପ୍‌ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ତେଣୁ ଏହା ଉପରେ ରୋକ ଲାଗିବା ଜରୁରୀ ଥିଲା। ଏହି ଆପ ଜରିଆରେ ଚୀନ ଆମ ଦେଶର ଲୋକମାନଙ୍କର ବ୍ୟକ୍ତିଗତ ତଥ୍ୟ ହାସଲ କରିପାରୁଛି। ଖାଲି ସେତିକି ନୁହେଁ ଚୀନ ଗୁଇନ୍ଦା ବିଭାଗ ଟିକଟକ ଆପ ଦ୍ୱାରା ଆମ ଦେଶର ଫେଡରାଲ କର୍ମଚାରୀ ଓ ଠିକାଦାରଙ୍କ ଅବସ୍ଥିତି ବିଷୟରେ ଜାଣିବା ପରେ କର୍ମଚାରୀଙ୍କୁ ବ୍ଲାକମେଲ କରି ନିଜର ଫାଇଦା ହାସଲ କରୁଛି ବୋଲି ଟ୍ରମ୍ଫ କହିଛନ୍ତି। ଏହାପୂର୍ବରୁ ଆମେରିକା ସଂସଦ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଥିଲା। ଏଥିରେ କର୍ମଚାରୀମାନେ ଟିକଟକ କିମ୍ବା ଅନ୍ୟ କୌଣସି ଚୀନ ଆପ ବ୍ୟବହାର କରିବେ ନାହିଁ ବୋଲି କୁହାଯାଇଥିଲା।

ମତାମତ ଦିଅନ୍ତୁ ।