ଆନ୍ଧ୍ର ପାଇଁ କାମ କରୁଥିବା ଖଳାନାୟକଙ୍କୁ ଚିହ୍ନଟ କରାଯିବ : ଜିଲ୍ଲାପାଳ

0

କୋରାପୁଟ : ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନରେ କୋଟିଆ ଅଞ୍ଚଳର ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରି ଭୋଟ ଦେବାକୁ ପ୍ରୟାସ କରାଯାଇଛି। ଓଡିଶାର କୋଟିଆରେ ରହି ଆନ୍ଧ୍ର ପାଇଁ କାମ କରୁଥିବା ଖଳନାୟକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। କୋରାପୁଟ ଜିଲ୍ଲାପାଳ ଅବଦଲ ଅକତର ଏହି ଚେତାବନୀ ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ୟ ରାଜ୍ୟର ଜମିକୁ ଅକ୍ତିଆର କରି ହକ୍‌ ଜାହିର କରିବାକୁ ଚାହେଁ ନାହିଁ। ପଡୋଶୀ ରାଜ୍ୟ ଗୁଡିକଠାରୁ ଅନୁରୂପ ବ୍ୟବହାର ଆଶା କରାଯାଉଛି। ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀର ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଅନେକ ଚେଷ୍ଟା କରିଥିଲେ। ନରେଡିବାଲାସାରେ ଖୋଲାଯାଇଥିବା ଭୋଟିଂ କେନ୍ଦ୍ରରେ କୋଟିଆ ପଞ୍ଚାୟତର ସମୁଦାୟ ୧୯୨୧ ଭୋଟରଙ୍କ ମଧ୍ୟରୁ ୨୨୩ ଜଣ ମତଦାନ କରିଛନ୍ତି। ସେହିପରି ତୋନମଠାରେ ଫାଟୁସିନେରୀର ୧୦୨୫ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଓ ଫଗୁଣସିନେରିରୁ ୨୧୭ ଜଣ ମତଦାନ କରିଥିବା ସୂଚନା ରହିଛି।

ସେ କହିଛନ୍ତି କୋଟିଆବାସୀଙ୍କୁ କୋରୋନାରୁ ସୁରକ୍ଷା ଦେବାପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି। କୋଟିଆ ଅଞ୍ଚଳର ପ୍ରତି ଗାଁକୁ ରାସ୍ତା ସଂଯୋଗ କରାଯାଉଛି। କିନ୍ତୁ ବହୁ ଖଳ ପ୍ରକୃତିର ଲୋକ ଗାଁ ଲୋକଙ୍କୁ ଆନ୍ଧ୍ର ଆଡକୁ ଢଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.