ଆର୍ମଡ୍ ଡିସିପି ଝିଅ ଯୋଗାଇବାକୁ ସ୍ୱାମୀଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ

ଭୁବନେଶ୍ୱର : ପୋଲିସ ବିଭାଗର ଗୁମର ଖୋଲିଲେ ଜଣେ ସିପାହୀଙ୍କ ପତ୍ନୀ। ସେ ଅଭିଯୋଗ କରିଛନ୍ତି ଆର୍ମଡ୍ ଡିସିପି ବିଜୟ କୁମାର ସାହୁ ଝିଅ ଯୋଗାଇବା ପାଇଁ ମୋ ସ୍ଵାମୀଙ୍କ ଉପରେ ଚାପ ପକାଉଥିଲେ। ତାଙ୍କ କଥା ନାମଣିବାରୁ ବଦଳି କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା।

ଅଭିଯୋଗ ଅନୁଯାୟୀ ନିହାର ରଞ୍ଜନ ନାୟକ ଓଏସଏପି ସପ୍ତମ ବାଟାଲିଅନର ଫ୍ୟାମିଲି ୱେଲଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି। ଝିଅ ଓ ମହିଳାମାନଙ୍କୁ ଟେଲରିଂ ଶିଖାନ୍ତି। ଡ଼ିସିପି ବିଜୟ ସିପାହୀ ନିହାରଙ୍କୁ ଝିଅ ଯୋଗାଇଦେବାକୁ ବାରମ୍ବାର ଚାପ ପକାଉଥିଲେ। ଟେଲରିଂ ଦାୟିତ୍ଵରେ ଥିବା ନୀହାରଙ୍କ ଅଧୀନରେ ପୋଲିସ କର୍ମଚାରୀଙ୍କ ୨୩ ଜଣ ମହିଳା ହସ୍ତଶିଳ୍ପ ଶିକ୍ଷା ପାଇଁ ଆସନ୍ତି। ସେହି ମହିଳାମାନଙ୍କୁ ତାଙ୍କ ପାଖକୁ ନ ପଠାଇଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବାର ଧମକ ଦିଅନ୍ତି ଡିସିପି। ସେଥିପାଇଁ ଦୁଇମାସ ଧରି ମାନସିକ ନିର୍ଯାତନା ସହିବା ପରେ ସିପାହୀ ନିହାର ଜଣଙ୍କ ଗତ ତିନିଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ପତ୍ନୀ ସୁନୀତା ଲେଙ୍କା ଅଭିଯୋଗ କରିଛନ୍ତି। ନିହାର ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ନିହାରଙ୍କ ପତ୍ନୀ, ଭଉଣୀ, ମା’ ଓ ପୁଅ ପୋଲିସ କମିଶନରଙ୍କୁ ଭେଟିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଆର୍ମଡ୍ ଡିସିପି ବିଜୟ କୁମାର ସାହୁ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ନିହାର ରଞ୍ଜନ ହେଉଛନ୍ତି ଜଣେ ସିପାହୀ। ସେ ୮ବର୍ଷ ଗୋଟିଏ ସଂସ୍ଥାରେ ଥିଲେ। ତାଙ୍କୁ ବଦଳି କରାଯାଇଥିବାରୁ ସେଥିରୁ ବର୍ତ୍ତିବା ପାଇଁ ମୋ ନାମରେ ଏମିତି ଏକ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି। ଆଉ ଏଥିରେ ସେ ନିଜ ସ୍ତ୍ରୀଙ୍କୁ ମାଧ୍ୟମ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button