ଆର୍ଥିକ ଅସମାନତା ଉପରେ ଚିନ୍ତା କରାଯିବା ଆବଶ୍ୟକ

0

॥ ଗୋପାଳ ମହାପାତ୍ର ॥ ସବୁ ସଭ୍ୟ ଦେଶ ନିର୍ବିବାଦ ଋପରେ ଗଣତନ୍ତ୍ରର ପକ୍ଷଧର। ବିଶ୍ୱର ମହାମହା ବିଦ୍ୱାନମାନେ ଗଣତନ୍ତ୍ର ସପକ୍ଷରେ ମଧ୍ୟ ମତାମତ ଦେଇଥାନ୍ତି। ବିଦ୍ୱାନମାନଙ୍କ ମତରେ ସମସ୍ତ ନାଗରିକଙ୍କୁ ବିକାଶର ସମାନ ସୁବିଧା ବା ଅବସର ଦେଉଥିବା ବ୍ୟବସ୍ଥା ହିଁ ଗଣତନ୍ତ୍ର। ରାଜନୈତିକ, ସାମାଜିକ, ଆର୍ଥିକ ଏବଂ ବୈଧାନିକ ଋପରେ ସବୁ ନାଗରିକଙ୍କୁ ଅଧିକରୁ ଅଧିକ ସମାନ ସ୍ତରରେ ପହଞ୍ଚାଇ ପାରିଲେ ହିଁ ଗଣତନ୍ତ୍ରର ଲକ୍ଷ୍ୟ ହାସଲ ହୋଇପାରିବ।

ଅନ୍ୟପକ୍ଷରେ ଆର୍ଥିକ ସମାନତା ଯଦି ରହେ ତେବେ ରାଜନୈତିକ, ସାମାଜିକ ଓ ବୈଧାନିକ ସମାନତା ମନକୁ ମନ ଆସିଯାଇଥାଏ। ଏଥିପାଇଁ ଅନେକ ଦେଶର ଶାସନ ବ୍ୟବସ୍ଥା ଦେଶର ସମସ୍ତ ନାଗରିକଙ୍କ ମଧ୍ୟରେ ଧନର ସମବିତରଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଅନେକ ଦେଶରେ ଏ ବ୍ୟବସ୍ଥା ନାହିଁ। ଆନ୍ତର୍ଜାତୀୟ ସ୍ତରରେ ଏ ପ୍ରସଙ୍ଗରେ ତର୍ଜମା ଓ ବିଚାର ଆଲୋଚନା ପାଇଁ ଅନେକ ମଞ୍ଚ ରହିଛି। ଏଭଳି ଏକ ମଞ୍ଚ ହେଉଛି ବିଶ୍ୱ ଆର୍ଥିକ ମଞ୍ଚ (ୱାର୍ଲ୍ଡ ଇକୋନୋମିକ୍ ଫୋରମ)। ସ୍ୱିଜରଲ୍ୟାଣ୍ଡର ଦାବୋସ ସହରରେ ଏହାର ମୁଖ୍ୟାଳୟରେ ପ୍ରତିବର୍ଷ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୁଏ। ଏବର୍ଷ ମଧ୍ୟ ହୋଇଥିଲା। ଏବର୍ଷର ସମ୍ମିଳନୀରେ ଗତବର୍ଷ ପରି ଆଲୋଚନା ହୋଇପାରିନଥିଲା। ଗତବର୍ଷ ମହାମାରୀ କରୋନା କାରଣରୁ ଲକଡାଉନ୍ ଜାରି କରାଯାଇଥିଲା ଓ ବିଶ୍ୱର ପ୍ରାୟତଃ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଏଇଥିପାଇଁ ଏ ବର୍ଷର ବିଶ୍ୱ ଆର୍ଥିକ ମଞ୍ଚ ସମ୍ମିଳନୀରେ ୭ ସୁତ୍ରୀୟ ଏଜେଣ୍ଡାରେ ମହାମାରୀ କରୋନା ପାଇଁ ଉପୁଜିଥିବା ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ବିଶ୍ୱର ଅଧିକତର ଆର୍ଥିକ ଅଭିବୃଦ୍ଧି ହାର କରୋନା କାରରଣୁ ହ୍ରାସ ପାଇଛି। ଅଭିବୃଦ୍ଧି ହାର ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ମାସମାସ ଧରି ଲୋକେ କାମ ଧନ୍ଦାକୁ ଯାଇପାରିନଥିଲେ। ଏସବୁ ଅବ୍ୟବସ୍ଥାକୁ ଆକଳନ କରି ଅକ୍ସଫୋମ୍ ନାମକ ସଂସ୍ଥା ଏକ ରିପୋର୍ଟ ଏହି ବିଶ୍ୱ ଆର୍ଥିକ ମଞ୍ଚରେ ଉପସ୍ଥାପନ କରିଥିଲା। ରିପୋର୍ଟରେ ଆର୍ଥିକ ବିଷମତା ଉପରେ ଉଲ୍ଲେଖ କରାଯାଇଥିଲା। ପୂର୍ବରୁ ଆୟ (ରୋଜଗାର) ବିଷମତା ଉପରେ ଏକ ରିପୋର୍ଟ ଅକ୍ସଫୋମ୍ ପକ୍ଷରୁ ଜାରି କରାଯାଇଥିଲା।

ଏବର୍ଷର ରିପୋର୍ଟରେ ଭାରତ ପ୍ରସଙ୍ଗରେ ଅନେକ ଚମକପ୍ରଦ ତଥ୍ୟ ରହିଛି। ଦାବୋସ୍ ସମ୍ମିଳନୀର ଦିନକ ପୂର୍ବରୁ ଜାରି କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଅଧିକ ଆର୍ଥିକ ବିଷମତା ରହିଛି। ଭାରତରେ ଧନୀମାନେ ଅଧିକ ଧନଶାଳୀ ହେବାରେ ଲାଗିଛନ୍ତି। ଗରିବମାନଙ୍କ ଅବସ୍ଥା ବିଗିଡିବାରେ ଲାଗିଛି। ମହାମାରୀକୁ ରୋକିବା ପାଇଁ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସେଇ ପଦକ୍ଷେପସବୁ ଅସମାନତାକୁ ଅଧିକ ବଢାଇ ଦେଇଛି। ଲକଡାଉନ୍ କାରଣରୁ ଗରିବ ଲୋକଙ୍କ ରୋଜଗାର କମିଯାଇଥିବାବେଳେ ଭାରତୀୟ ଧନୀମାନଙ୍କ ସମ୍ପତ୍ତି ଲକଡାଉନ୍ ସମୟରେ ୩୦ରୁ ୩୫ପ୍ରତିଶତ ବଢିଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଭାରତରେ ଲକଡାଉନ ପରେ ଦେଶର ୧୦୦ ଜଣ ଧନୀକ ବ୍ୟକ୍ତିଙ୍କ ସମ୍ପତ୍ତିରେ ୧୨ଲକ୍ଷ ୯୭ହଜାର ୮୦୦କୋଟି ଟଙ୍କା ବୃଦ୍ଧି ପାଇଛି। ହିସାବ କରାଯାଇ କୁହାଯାଇଛି ଏହି ଅର୍ଥକୁ ଯଦି ଭାରତର ୧୩୯କୋଟି ଲୋକଙ୍କୁ ବଣ୍ଟାଯାଇଥାନ୍ତା ତେବେ ପ୍ରତି ବ୍ୟକ୍ତିଙ୍କୁ ୯୪ହଜାର ଟଙ୍କା ଦିଆଯାଇପାରିଥାନ୍ତା। ଏ ବାବଦରେ ଆଉ ଏକ ତଥ୍ୟ ହେଉଛି ମହାମାରୀ କରୋନା ସମୟରେ ଭାରତର ସବୁଠାରୁ ୧୧ଜଣ ବଡ଼ଧନୀଙ୍କ ସମ୍ପତ୍ତି ଏତେ ପରିମାଣରେ ବଢିଛି ଯେ, ସେହି ଅର୍ଥରେ ଗ୍ରାମୀଣ ରୋଜଗାରର ସରକାରୀ ଯୋଜନା ଅର୍ଥାତ୍ ମନରେଗା ୧୦ବର୍ଷ ପର୍ଯ୍ୟନ୍ତ ଚାଲିପାରିଥାନ୍ତା। ଲକଡାଉନ୍ କାରଣରୁ ଗରିବ ଲୋକେ ରୋଜଗାର ହରାଇଲେ, ଉପବାସରେ ରହିଲେ ଓ ମୃତ୍ୟୁ ମୁଖରେ ପଡ଼ିଲେ। କିନ୍ତୁ ଧନୀ ଲୋକମାନଙ୍କ ଉପରେ ଲକଡାଉନର କିଛି ବି ପ୍ରଭାବ ପଡ଼ିଲା ନାହିଁ।

ଅକ୍ସଫେମ୍ ସଂସ୍ଥା ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ତଥ୍ୟକୁ ଉଦ୍ଧୃତ କରି କହିଛି ଭାରତର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପାଖାପାଖି ୯୦ ପ୍ରତିଶତ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତ ଦାରିଦ୍ର‌୍ୟ ସୀମାରେଖାର ବହୁ ତଳେ ଅଛନ୍ତି। କରୋନା ପାଇଁ ୧୨କୋଟି ୨୦ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ରୋଜଗାର ହରାଇଥିବା ଏହି ଲୋକଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛନ୍ତି ଅସଂଗଠିତ କ୍ଷେତ୍ରର। କେବଳ ଏତିକି ନୁହେଁ ଧନୀମାନଙ୍କୁ ଛାଡ଼ିଦେଲେ ବାକି ସବୁ (ନିମ୍ନ ଓ ମଧ୍ୟମବର୍ଗ) ଲୋକଙ୍କ ଆୟ ପ୍ରଭାବିତ ହୋଇଛି। ରିପୋର୍ଟରେ କୁହାଯାଇଛି ନିମ୍ନ ଆୟ ବର୍ଗର ଲୋକମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ଲୋକ ଋଣ (କରଜ) ନେଇ ନିଜର ଗୁଜୁରାଣ ମେଣ୍ଟାଇଛନ୍ତି।

ରିପୋର୍ଟରେ ଏକ ସ୍ପର୍ଶକାତର କଥା କୁହାଯାଉଛି। ତାହା ହେଉଛି ସ୍ୱାଧୀନତା ପରେ ଦେଶର ଲୋକଙ୍କ ମଧ୍ୟରେ ଆର୍ଥିକ ଅସମାନତା କମିଥିଲା। କିନ୍ତୁ ଏବେ ଏହା ସେଇ ସ୍ତରରେ ପହଞ୍ଚିଲାଣି ଯାହା ଇଂରେଜ ଶାସନ ବେଳେ ଥିଲା। ସରକାର ଯେଉଁ ପ୍ୟାକେଜ ଘୋଷଣା କରିଥିଲେ ତାହା ନିଶ୍ଚୟ ବିଶେଷଜ୍ଞ କମିଟିର ପରାମର୍ଶ ଅନୁସାରେ କରିଥିବେ। ଆଇଆରଏସ୍ ଆସୋସିଏସନ୍ ପରାମର୍ଶ ଦେଇ ଥିଲା ଏକକୋଟି ଟଙ୍କାରୁ ଅଧିକ ବାର୍ଷିକ ଆୟ କରୁଥିବା ଲୋକଙ୍କ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଆୟକର ବଢାଯାଇ ଏଥିରୁ ଆଦାୟ ଅର୍ଥକୁ ଆର୍ଥିକ ପ୍ୟାକେଜରେ ପ୍ରଦାନ କରାଯାଉ। ଏହାକୁ ହିସାବ କଲେ ସ୍ପଷ୍ଟ ଯେ, ମହାମାରୀ ସମୟରେ ଅମୀର (ଧନୀକ) ମାନଙ୍କର ଆୟ ଯେତିକି ବଢିଥିଲା ସେଇ ଅର୍ଥରେ ୪୦ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ୫ମାସ ପର୍ଯ୍ୟନ୍ତ ରୋଜଗାର ଯୋଗାଇ ଦିଆଯାଇପାରିଥାନ୍ତା। ସରକାରଙ୍କୁ ଆଉ ଏକ ପରାମର୍ଶ ମଧ୍ୟ ଦିଆଯାଇଥିଲା। ତାହା ହେଉଛି ଯେଉଁମାନଙ୍କ ଟିକସ ଯୋଗ୍ୟ ଆୟ ବାର୍ଷିକ ୧୦ଲକ୍ଷ ବା ତା’ ଠାରୁ ଅଧିକ ସେମାନଙ୍କ ଉପରେ ୪ ପ୍ରତିଶତ ଉପକର (ସେସ୍‌) ଲଗାଯାଇପାରେ।

ଅକ୍ସଫେମର ବିଶେଷଜ୍ଞମାନେ ସରକାରଙ୍କ ଏହି ପ୍ୟାକେଜ ବାବଦରେ ଉଲ୍ଲେଖ କରିଛନ୍ତି। ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଦେଶର ସବୁଠାରୁ ଅଧିକ ଧନୀ ୯୫୪ଜଣଙ୍କ ଉପରେ ମାତ୍ର ୪ ପ୍ରତିଶତ ସମ୍ପତ୍ତି କର ଲଗାଯାଇଥିଲେ ତାହା ଦେଶର ଡିଜିପିର ୧ ପ୍ରତିଶତ ହୋଇଥାନ୍ତା। ସେହି ଅର୍ଥକୁ ମହାମାରୀ ପୀଡ଼ିତଙ୍କ ପାଇଁ ବ୍ୟୟ କରାଯାଇପାରିଥାନ୍ତା। ଏକଥା ମଧ୍ୟ ବୁଝିବା ଆବଶ୍ୟକ କରୋନା ସମୟରେ ବିଶ୍ୱର ସବୁ ଦେଶର ସରକାର ରାଜସ୍ୱ ବୃଦ୍ଧି ପାଇଁ ଅଧିକ ଲୋକଙ୍କୁ ଟିକସ ପରିସରଭୁକ୍ତ କରିବାକୁ ଉଦ୍ୟମ କରିଥିଲେ। ଧନୀ ଲୋକଙ୍କ ବଦଳରେ ସାଧାରଣ ଲୋକଙ୍କୁ ଅଧିକ ସାମିଲ କରାଯିବା ସପକ୍ଷରେ ତର୍କ ଦିଆଯାଇଥିଲା ଯେ, ହାତଗଣତି କିଛି ଧନୀଙ୍କ ଠାରୁ କେତେ ଟିକସ ମିଳିପାରିବ ? କିନ୍ତୁ ବିଶ୍ୱ ଆର୍ଥିକ ମଞ୍ଚରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯଦି ଭାରତର ୧୧ଜଣ ସବୁଠାରୁ ଧନୀଙ୍କର ବର୍ଷକ ମଧ୍ୟରେ ବଢିଥିବା ଆୟ ଉପରେ ମାତ୍ର ୧ପ୍ରତିଶତ ଟିକସ ଲଗାଯିବ ତେବେ ସେଥିରୁ ଯେଉଁ ରାଜସ୍ୱ ମିଳିବ ସେହି ଅର୍ଥ ଦେଶର ଜନଔଷଧି ଯୋଜନା ପାଇଁ ହେଉଥିବା ଖର୍ଚ୍ଚର ୧୪୦ଗୁଣ ହେବ। ଅର୍ଥାତ୍ ୧୧ଜଣଙ୍କ ଉପରେ ୧ପ୍ରତିଶତ ଟିକସରୁ ଆୟରେ ଜନଔଷଧି ଯୋଜନା ଭଳି ୧୪୦ଟି ନୂଆ ଯୋଜନା ସରକାର କରିପାରିବେ। ଗତବର୍ଷର ସାଧାରଣ ବଜେଟ ପରେ ସରକାର ଆର୍ଥିକ ପ୍ୟାକେଜ ଋପୀ ୫ଟି ମିନି ବଜେଟ ଘୋଷଣା କରିଛନ୍ତି। ଏହି ମିନି ବଜେଟ୍ ଗୁଡିକ ଆର୍ଥିକ ବିଷମତାକୁ ଅଧିକ ବଢାଇବା ପାଇଁ ପ୍ରମୁଖ କାରଣ ପାଲଟିଛି।

ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪

Leave A Reply

Your email address will not be published.