ଆର୍ଥିକ ସଙ୍କଟରେ ମଧ୍ୟମବର୍ଗ

0

॥ ଗୋପାଳ ମହାପାତ୍ର ॥ ଆମେରିକାର ଏକ ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଭାରତରେ ମଧ୍ୟମ ବର୍ଗର ଲୋକଙ୍କ ସଂଖ୍ୟା ହ୍ରାସ ପାଇଥିବା କଥା କୁହାଯାଇଛି। ଏହି ରିପୋର୍ଟ ଅନୁସାରେ କରୋନା ମହାମାରୀ କାରଣରୁ ଦେଖାଦେଇଥିବା ଆର୍ଥିକ ସଙ୍କଟ ବର୍ଷେ ପର୍ଯ୍ୟନ୍ତ ଲାଗି ରହିଥିଲା। ଆର୍ଥିକ ସଙ୍କଟ କାରଣରୁ ଭାରତରେ ଥିବା ମଧ୍ୟମବର୍ଗର ଲୋକ ସଂଖ୍ୟା ୯.୯ କୋଟିରୁ ଏବେ ୬.୬ କୋଟିକୁ କମି ଆସିଛି। ରିପୋର୍ଟ ପ୍ରସ୍ତୁତ କରିଥିବା ସଂସ୍ଥା ରିସର୍ଚ୍ଚସେଣ୍ଟର ସର୍ବେକ୍ଷଣ କରିବା ସମୟରେ ପ୍ରତିଦିନ ୭୦୦ଟଙ୍କାରୁ ୧୫୦୦ଟଙ୍କା ରେଜାଗାର କରୁଥିବା ଲୋକଙ୍କ ସମ୍ପର୍କରେ ଅନୁଧ୍ୟାନ କରି ଏଭଳି ତଥ୍ୟ ପ୍ରକାଶ କରିଛି।

ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଚୀନରେ କରୋନା ସଂକ୍ରମଣ କାରଣରୁ ବିଗତ ବର୍ଷକ ମଧ୍ୟରେ ମଧ୍ୟମ ବର୍ଗର ଲୋକଙ୍କ ସଂଖ୍ୟା ଏକ କୋଟିରୁ ଅଧିକ କମିଛି। କରୋନା କାରଣରୁ ଦେଶରେ ମଧ୍ୟମବର୍ଗର ଲୋକଙ୍କ ସଂଖ୍ୟା କମିଛି ଓ ସେପଟେ ଭାରତୀୟ ପରିବାର ଉପରେ ଋଣର ବୋଝ ବଢିଛି। ଏ ପ୍ରସଙ୍ଗରେ ମଧ୍ୟ ଅନ୍ୟ କେତେକ ସଂସ୍ଥା ପକ୍ଷରୁ ଅଧ୍ୟୟନ କରାଯାଇ କୁହାଯାଇଛି ମହାମାରୀ କାରଣରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ୱାର୍କ ଫ୍ରମ୍ ହୋମ୍ କାରଣରୁ ଟିକସ ରିହାତି ମଧ୍ୟ କମିଛି। ଅନ୍ୟପକ୍ଷରେ ଅଧିକ ସଂଖ୍ୟକ ଲୋକଙ୍କର ଡିଜିଟାଲ ଟେକନିକ୍‌, ବ୍ରଡବ୍ୟାଣ୍ଡ, ବିଦ୍ୟୁତ୍ ବିଲ୍ ଭଳି ବ୍ୟୟ ବଢିଥିବା ବେଳେ ଆୟ କମିଛି। ବିଗତ ଏକ ବର୍ଷରେ ଦେଶରେ ମଧ୍ୟମ ବର୍ଗର ଲୋକଙ୍କ ପାଇଁ ସଂଚୟ ଯୋଜନା ଓ ବ୍ୟାଙ୍କର ସ୍ଥାୟୀ ଜମା (ଫିକ୍ସ ଡିପୋଜିଟ୍‌) ଉପରେ ସୁଧ ହାର ହ୍ରାସ ଚିନ୍ତା ବଢ଼ାଇ ଦେଇଛି। ଯେହେତୁ ଦେଶରେ ମଧ୍ୟମ ବର୍ଗୀୟ ଲୋକଙ୍କ ସୁରକ୍ଷା ପାଇଁ ଠୋସ୍ କିଛି ବ୍ୟବସ୍ଥା ନାହିଁ ସେହି କାରଣରୁ କରୋନା କାଳ ସେମାନଙ୍କ ସମସ୍ୟା ବଢାଇ ଦେଇଛି।

ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ୧୯୯୧ରେ କେନ୍ଦ୍ର ସରକାର ଯେଉଁ ଯୋଜନା କରିଥିଲେ ତାର ଫଳସ୍ୱରୂପ ବିକାଶ ହାର ବଢ଼ିଥିଲା। ଏପରିକି ସହରୀକରଣର ବୃଦ୍ଧି କାରଣରୁ ମଧ୍ୟମବର୍ଗର ଲୋକଙ୍କର ଆର୍ଥିକ ସ୍ଥିତି ବଢିଥିଲା। ଏଥିପାଇଁ ୨୦୦୮ରେ ବିଶ୍ୱସ୍ତରରେ ଆର୍ଥିକ ସଙ୍କଟ ଦେଖାଦେଇଥିଲେ ମଧ୍ୟ ତା’ର ପ୍ରଭାବ ଭାରତ ଉପରେ ଅଧିକ ପଡିନଥିଲା। ୨୦୨୦ରେ କରୋନା ସଙ୍କଟ କାଳର ଆର୍ଥିକ ସ୍ଥିତିକୁ କିଛି ପରିମାଣରେ କମାଯାଇ ପାରିଥିଲା। କିନ୍ତୁ ବିକାଶର ହାର ବୃଦ୍ଧି ପାଉଥିବାବେଳେ କରୋନା ଓ ଏହାର ଦ୍ୱିତୀୟ ଲହର ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଉପଭୋକ୍ତା ବଜାର ଓ ଭାରତର ଅର୍ଥବ୍ୟବସ୍ଥାର ବିକାଶ ପାଇଁ ମଧ୍ୟମ ବର୍ଗର ଲୋକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ମଧ୍ୟମବର୍ଗର ଲୋକମାନେ ଏବେ ସାମାଜିକ-ଆର୍ଥିକ ଅବ୍ୟବସ୍ଥାର ସାମ୍ନା କରୁଛନ୍ତି। କରୋନାର ପ୍ରଥମ ଲହର କିଛି ମାତ୍ରାରେ କମିବା ଓ ସଂକ୍ରମଣକୁ ରୋକାଯାଇ ପାରିଥିବାବେଳେ ୨୦୨୧ର ପ୍ରାରମ୍ଭରୁ ଦେଶରେ ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିପାଇଁ କେତେକ ସହରରେ ନାଇଟ୍ କର୍ଫ୍ୟୁ ଲଗାଯାଇସାରିଲାଣି। ଅନେକ ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଲାଣି ପୁଣି ଥରେ ଲକଡାଉନ୍ ଭଳି ଅବସ୍ଥା ସୃଷ୍ଟି ହୋଇପାରେ। ଏସବୁକୁ ଦେଖି ମଧ୍ୟମବର୍ଗଙ୍କ ଚିନ୍ତା ବଢିଯାଇଛି।

ସାମାଜିକ ପ୍ରତିଷ୍ଠା ଅଥବା ଜୀବନ ସ୍ତର ପାଇଁ ହେଉ ମଧ୍ୟମ ବର୍ଗର ଲୋକମାନେ ଗୃହ ଋଣ, ଅଟୋ ଋଣ ଏପରିକି କଞ୍ଜୁମର ଋଣ ନେଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି, ପିଲାଙ୍କ ଶିକ୍ଷା, ରୋଜଗାର ଋଣ ଉପରେ ସୁଧ ହାର ବୃଦ୍ଧି ଭଳି ଅନେକ ସମସ୍ୟା ମଧ୍ୟମବର୍ଗର ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାର ବ୍ୟବସାୟୀକରଣ କାରଣରୁ ପିଲାଙ୍କ ଶିକ୍ଷା ଏହି ବର୍ଗର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ୨୦୨୧ ଏପ୍ରିଲ ୧ ଠାରୁ ଆରମ୍ଭ ହୋଇଥିବା ଆର୍ଥିକ ବର୍ଷ ପାଇଁ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବୁନିଆଦି ଢାଞ୍ଚାର ବିକାଶ ପାଇଁ ଅର୍ଥବରାଦ କରିଛନ୍ତି। ଏହାର ଲାଭ ମଧ୍ୟମବର୍ଗୀୟ ଲୋକଙ୍କୁ ଅବଶ୍ୟ ମିଳିବ। କିନ୍ତୁ ବଜେଟରେ ଛୋଟ ଆୟ କରଦାତା ଓ ମଧ୍ୟମ ବର୍ଗର ଲୋକଙ୍କର ଆଶା ପୂରଣ ହୋଇପାରିବ ନାହିଁ। କରୋନା ପାଇଁ ସୃଷ୍ଟି ହୋଇଥିବା ଆର୍ଥିକ ଅବ୍ୟବସ୍ଥାର ମୁକାବିଲା କରିବା ନିମନ୍ତେ ସରକାର ଯେଉଁ ଆତ୍ମ ନିର୍ଭର ଭାରତ ଯୋଜନାର ଆରମ୍ଭ କରିଛନ୍ତି ସେହି ଯୋଜନାରୁ ଅଧିକ କିଛି ଲାଭ ଏହି ବର୍ଗଙ୍କୁ ମିଳିବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି। ତେଣୁ ସରକାର କିଛି ସ୍ୱତନ୍ତ୍ର ଯୋଜନା କରିବାର ଆବଶ୍ୟକତା ରହିଛି।

ଏହି ପରିପ୍ରେକ୍ଷୀରେ ସରକାର କିଛି ଠୋସ୍ ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ମଧ୍ୟମବର୍ଗର ଲୋକଙ୍କ ସ୍ଥିତି ସୁଧାରିବାପାଇଁ ସରକାର ଡାଇରେକ୍ଟ ଟ୍ୟାକ୍ସ ବୋର୍ଡ଼ ଓ ନୂଆ ଆୟକର ଆଇନ ପ୍ରଣୟନ କରିବାର ଆବଶ୍ୟକତା ସମ୍ପର୍କରେ ଅନେକ ଅର୍ଥ ବିଶାରଦମାନେ ମତ ଦେଇଛନ୍ତି। କେନ୍ଦ୍ର ସରକାର ୨୦୧୭ ମସିହା ନଭେମ୍ବର ମାସରେ ପ୍ରତ୍ୟକ୍ଷ କର (ଟିକସ) ସଂହିତା ପାଇଁ ଅଖିଳେଶ ରଂଜନଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସଫୋର୍ସ ଗଠନ କରିଥିଲେ। ଏହି କମିଟି ବିଭିନ୍ନ ଦେଶର ପ୍ରତ୍ୟକ୍ଷ କର (ଟିକସ) ପ୍ରଣାଳୀ ଓ ଆନ୍ତର୍ଜାତୀୟ ସ୍ତରରେ ଲାଗୁ ହେଉଥିବା ପ୍ରତ୍ୟକ୍ଷ କର ସମ୍ପର୍କରେ ତୁଳନାତ୍ମକ ଅଧ୍ୟୟନ କରି ୨୦୧୯ ମସିହା ଅଗଷ୍ଟ ୧୯ତାରିଖରେ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ପ୍ରତ୍ୟକ୍ଷ ଟିକସ ଆଇନରେ ବ୍ୟାପକ ପରିବର୍ତ୍ତନ ଓ ବର୍ତ୍ତମାନର ଆୟକର ଆଇନକୁ ହଟାଇ ତା’ ସ୍ଥାନରେ ସରଳ ଏବଂ ପ୍ରଭାବୀ ଆୟକର ଆଇନ ପ୍ରଣୟନ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ସରକାର ଅଖିଳେଶ ରଂଜନ କମିଟିଙ୍କ ସୁପାରିସକୁ ଲାଗୁ କଲେ ମଧ୍ୟମବର୍ଗଙ୍କ ସ୍ଥିତି ସୁଧୁରି ଯାଇପାରନ୍ତା ବୋଲି ଅର୍ଥ ବିଶାରଦମାନଙ୍କ ମତ।

ସରକାର ଏ ଦିଗରେ ଚିନ୍ତାକରିବାର ଆବଶ୍ୟକତା ରହିଛି। ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାମାରୀ କରୋନା କାରଣରୁ ଆର୍ଥିକ ଅବ୍ୟବସ୍ଥା ମଧ୍ୟରେ ଥିବା ମଧ୍ୟମବର୍ଗର ଲୋକଙ୍କ ଅବସ୍ଥାକୁ ସୁଧାରିବା ଦିଗରେ କିଛି ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯିବା ଦରକାର। ଏହାଦ୍ୱାରା ମଧ୍ୟମବର୍ଗର ଲୋକଙ୍କ କ୍ରୟ ଶକ୍ତି ବଢିବ, ଲୋକଙ୍କ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବ। ଏପରିକି ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଗତିଶୀଳ ହୋଇପାରିବ।

ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪

Leave A Reply

Your email address will not be published.