ଆସନ୍ତା ସୋମବାର ଯାଏ ଦିଲ୍ଲୀରେ କର୍ଫ୍ୟୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ନେଇଛନ୍ତି କଠୋର ନିଷ୍ପତ୍ତି। ପୂର୍ବରୁ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟଡାଉନ ଲାଗୁ ହୋଇଥିଲା। କିନ୍ତୁ ଆଜି ରାତିରୁ ଆସନ୍ତା ସୋମବାର ସକାଳ ଯାଏ ସମଗ୍ର ଦିଲ୍ଲୀରେ କର୍ଫ୍ୟୁ ବଳବତ୍ତର ରହିବ।

କର୍ଫ୍ୟୁ ସମୟରେ କେହି ବି ଘରୁ ବାହାରିପାରିବେ ନାହିଁ। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ। ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିବା ପରେ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ପ୍ରବାସୀ ଶ୍ରମିକ ଓ ନାଗରିକମାନଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ କହିଛନ୍ତି ଏଇଟା ଛୋଟ ଧରଣର ଲକ୍‌ଡାଉନ୍‌। କେହି ଦିଲ୍ଲୀ ଛାଡ଼ି ଯାଆନ୍ତୁ ନାହିଁ। ସେ କହିଛନ୍ତି ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ ପାଇଁ ନିଷ୍ପତ୍ତି ହୋଇଛି। କାରଣ ଦିଲ୍ଲୀରେ କୋଭିଡ୍‌-୧୯ର ଚତୁର୍ଥ ପ୍ରବାହ ଚାଲିଥିବା ବେଳେ ଏବେ ୨୫୦୦୦ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଦିଲ୍ଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ବୋଲି ମୁଁ କହୁନାହିଁ କିନ୍ତୁ ସୀମା ସ୍ପର୍ଶ କଲାଣି।
ସହରରେ ବିବାହ ଅନୁଷ୍ଠାନରେ ଏବେ ୫୦ଜଣ ଲୋକ ଯୋଗ ଦେଇପାରିବେ। ଅତ୍ୟାବଶ୍ୟକ ସେବା ଚାଲୁ ରହିବ। କର୍ଫ୍ୟୁ ସମୟରେ ଯାତାୟାତ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ସରକାରୀ କର୍ତ୍ତୃପକ୍ଷମାନେ ଇ-ପାସ୍‌ ଜାରି କରିବେ।

ସୂଚନାଯୋଗ୍ୟ ରବିବାର ଦିଲ୍ଲୀରେ ଦିନକରେ ୨୫ ହଜାର ୪୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିଦିନ ମୃତ୍ୟୁ ସଂଖ୍ୟା ଥିଲା ୧୪୧। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବାଢୁଥିବାରୁ ବେଡ୍‌ର ଅଭାବ ଦେଖାଦେଇଥିବା ବେଳେ ଲୋକଙ୍କୁ ଅମ୍ଳଜାନ ମିଳିପାରୁନାହିଁ। ପଜିଟିଭିଟି ରେଟ୍‌ ୩୦ ପ୍ରତିଶତ ବଢ଼ିଥିବାରୁ ଏହା ସରକାରଙ୍କ ଚିନ୍ତା କାରଣ ହୋଇଛି। କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଦିଲ୍ଲୀ ସରକାର ଶେଷରେ କର୍ଫ୍ୟୁ ଲାଗୁ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button