ଆସନ୍ତାକାଲିଠାରୁ ବିଧାନସଭା : ରଣନୀତି ଚୂଡ଼ାନ୍ତ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭାର ଶୀତକାଳୀନ। ଗୃହରେ ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଏଥିପାଇଁ ଆଜି ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ଚୂଡ଼ାନ୍ତ କରିଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ହୋଇଥିବାବେଳେ ଶାସକ ଦଳ ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛି।

ଗୁରୁବାର ସନ୍ଧ୍ୟାରେ ଶାସକ ବିଜେଡି ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦଳର ସମସ୍ତ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଚଳିତ ଅଧିବେଶନରେ ମୋଟ ୧୦ଟି ବିଲ୍ ଉପସ୍ଥାପନ କରାଯିବ। ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ବିଲ୍ ଆସିବ। ବିରୋଧୀ ଦଳ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ତାକୁ ଶାସକ ଦଳ ସାମ୍ନା କରିବ। ଏହାଛଡା ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗ ବିଜେଡି ଗୃହରେ ଉଠାଇବାର ସମ୍ଭାବନା ଥିବା ଦଳୀୟ ସୂତ୍ରରୁ ଜଣାପଡିଛି।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଇଟି ହାଜତ ମୃତ୍ୟୁ ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ବେରୋଜଗାର, ଧାନ ମଣ୍ଡିରେ ଅବ୍ୟବସ୍ଥା, ହିତାଧିକାରୀଙ୍କୁ ଘର ଦେବା ପାଇଁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯିବା ଓ ସୀମା ସୁରକ୍ଷା ଆଦି ପ୍ରସଙ୍ଗ ବିଜେପି ଉଠାଇବା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସି ବିଧାନସଭା ପାଇଁ ରଣନୀତି ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ଉପନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଦଳ ପକ୍ଷରୁ ହାଜତ ମୃତ୍ୟୁ ପ୍ରସଙ୍ଗ ସହ ରାଜ୍ୟର ବେକାରୀ ଓ ପ୍ରବାସୀ ଶ୍ରମିକ ସମସ୍ୟା, ଧାନମଣ୍ଡିରେ ଅବ୍ୟବସ୍ଥା, ପୁରୀ ହାଜତ ମୃତ୍ୟୁ, ସ୍କୁଲ ଖୋଲିବା ଓ ଖଣିଜ ସମ୍ପଦ ପ୍ରସଙ୍ଗ ଉଠାଇବ। ଏହାଛଡା ମାଲକାନଗିରି ଜିଲ୍ଲାପାଳଙ୍କ ପ୍ରସଙ୍ଗ ମଧ୍ୟ ଉଠିବ।

ମତାମତ ଦିଅନ୍ତୁ ।