ଆସ୍ଥା ଭୋଟରେ ଜିତିଲେ ଇମ୍ରାନ

ଇସଲାମବାଦ : ଆସ୍ଥାଭୋଟରେ ଜିତିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ। ତାଙ୍କ ସରକାର ସପକ୍ଷରେ ୧୭୮ଟି ଭୋଟ ମିଳିଛି।
ଖବର ଅନୁଯାୟୀ ପାକିସ୍ତାନର ସିନେଟ୍ ନିର୍ବାଚନରେ ଅର୍ଥମନ୍ତ୍ରୀ ଅବଦୁଲ ହଫିଜ୍ ଶେଖ ପରାଜିତ ହେବାରୁ ଇମ୍ରାନ ଖାନଙ୍କ ସରକାରଙ୍କୁ ନ୍ୟାସନାଲ ଆସେମ୍ଲିରେ ଆସ୍ଥା ପ୍ରସ୍ତାବ ଆଗତ କରିବାକୁ ପଡିଥିଲା। ଆସ୍ଥାଭୋଟ୍ ପୂର୍ବରୁ ବିରୋଧୀ ସଂସଦ ବହିଷ୍କାର କରିବାକୁ ଘୋଷଣା କରିଥିଲେ। ଏହା ଇମ୍ରାନଙ୍କୁ ଆଶ୍ଵସ୍ତି ଦେଇଥିଲା। ପ୍ରସ୍ତାବ ଆଗତ ପୂର୍ବରୁ ଇମ୍ରାନ ନିଜର ସାଂସଦଙ୍କୁ ପାର୍ଟି ଲାଇନ୍ ଫଲୋ କରିବାକୁ କହିଥିଲେ। ସେ କହିଥିଲେ ଆସ୍ଥା ଭୋଟର ଫଳାଫଳକୁ ସମ୍ମାନ ଜଣାଇବେ। ଯଦି ସେ ହାରି ଯାଆନ୍ତି ତେବେ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ। କିନ୍ତୁ ଇମ୍ରାନଙ୍କ ସରକାର ଉପରୁ ବିପଦ ଟଳିଯାଇଛି। ତାଙ୍କ ଦଳ ପାକିସ୍ତାନ ତହରିକ୍-ଇ-ଇନସାଫ୍ ଅର୍ଥାତ ପିଟିଆଇ ସପକ୍ଷରେ ୧୭୮ଟି ଭୋଟ ମିଳିଛି।
ସୂଚନାଯୋଗ୍ୟ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଇମ୍ରାନ ଖାନଙ୍କ ଦଳ ପିଟିଆଇର ୧୫୭ ଜଣ ସଦସ୍ୟ ରହିଛନ୍ତି। ସେହିପରି ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ୍ର ୮୪ ଓ ବିଲାୱଲ ଭୁଟୋଙ୍କ ପିପିପିର ୫୪ ସଦସ୍ୟ ରହିଛନ୍ତି।