ଆଷ୍ଟ୍ରାଜେନେକା ଟିକା ସୁରକ୍ଷିତ : ପୁଣି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ

ପ୍ୟାରିସ : ୟୁରୋପୀୟ ଦେଶଗୁଡ଼ିକରେ ଖୁବଶୀଘ୍ର ଆଷ୍ଟ୍ରାଜେନେକା ଟିକାର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ଟିକାର ଡୋଜ୍‌ ସଂପୂର୍ଣ୍ଣ ସୁରକ୍ଷିତ ଓ ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁ ନାହିଁ ବୋଲି ୟୁରୋପିଆନ ମେଡିକାଲ ରେଗୁଲେଟର ଯାଞ୍ଚ କରି ଜାଣିବାକୁ ପାଇଛି।

ୟୁରୋପୀୟ ଦେଶରେ ଆଷ୍ଟ୍ରାଜେନେକା ଟିକା ନେବା ଦ୍ୱାରା ରକ୍ତ ଜମାଟ ବାନ୍ଧୁଥିବା ରିପୋର୍ଟ ସାମ୍ନାକୁ ଆସିବା ପରେ ଫ୍ରାନ୍ସ ଓ ଜର୍ମାନୀ ସମେତ ୧୦ରୁ ଅଧିକ ରାଷ୍ଟ୍ର ଟିକାର ବ୍ୟବହାର ଉପରେ ଅସ୍ଥାୟୀ ରୋକ ଲଗାଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ୟୁରୋପିଆନ ମେଡିସିନ ଏଜେନ୍ସି(ଇଏମଏ) ଯାଞ୍ଚ ଆରମ୍ଭ କରିଥିଲା। ହେଲେ ଆଷ୍ଟ୍ରେଜେନେକା ଟିକା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ପୂର୍ବରୁ କହିସାରିଥିଲେ। ଏହାସତ୍ତ୍ଵେ ଇଏମଏ ସବୁ ରିପୋର୍ଟକୁ ଆଉ ଥରେ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ କରୋନା ବିରୋଧରେ ଏବେ ବେଶ ପ୍ରଭାବୀ। ଇଏମଇର ଘୋଷଣା ପରେ ଜର୍ମାନୀ, ଫ୍ରାନ୍ସ, ସ୍ପେନ, ଇଟାଲୀ, ନେଦରଲ୍ୟାଣ୍ଡସ, ପର୍ତ୍ତୁଗାଲ, ଲିଥୁନିଆ, ଲାଟିଭା, ସ୍ଲୋଭେନିଆ ଓ ବୁଲଗେରିଆ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଏହାର ଡୋଜ୍‌ ଦେବାର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ବ୍ରିଟେନ ସ୍ୱାସ୍ଥ୍ୟ ରେଗୁଲେଟର କହିଛି ରକ୍ତ ଜମାଟ ଓ ଫାଇଜର କରୋନା ଟିକା ସହ ମଧ୍ୟ କୌଣସି ସମ୍ପର୍କ ନାହିଁ। ଇଏମଏର ରିପୋର୍ଟରେ ଅଧିକାଂଶ ରାଷ୍ଟ୍ର ଟିକାକରଣ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ସ୍ୱିଡେନ ଓ ନରୱେ ଇଏମଏ ରିପୋର୍ଟରେ ସନ୍ତୁଷ୍ଟ ହୋଇନାହାନ୍ତି। ତେଣୁ ସେମାନେ ଏବେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ପୁଣିଥରେ ଆରମ୍ଭ କରିବେ ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button