ଆତ୍ମବିଶ୍ୱାସର ସହ ବିଶ୍ୱର ସମ୍ମୁଖୀନ ହୁଅ : ଉପରାଷ୍ଟ୍ରପତି

ଭୁବନେଶ୍ୱର : ଆତ୍ମବିଶ୍ୱାସର ସହ ବିଶ୍ୱର ସମ୍ମୁଖୀନ ହୁଅ-ଏହି ବିଚାର ଓ ସାମର୍ଥ୍ୟ ଆମର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବେଶ କରାଇବା ନୂଆ ଶିକ୍ଷାନୀତିର ମୂଳ ଉଦେଶ୍ୟ। ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ, ଏହା ମଧ୍ୟ ଚରିତ୍ର ନିର୍ମାଣ ଓ ଏକବିଂଶ ଶତାଦ୍ଦୀର ଦକ୍ଷତାର ଭୂଷିତ ତଥା ଏକ ସାମଗ୍ରିକ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଭାରତର ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ।
ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି ଛାତ୍ରଛାତ୍ରୀମାନେ ହେଉଛନ୍ତି ପରବର୍ତ୍ତୀ ପିଢ଼ିର ଶିକ୍ଷକ, ଗବେଷକ, ପରିଚାଳକ, ବିଦ୍ୱାନ, ପ୍ରଶାସକ, ଓକିଲ ଓ ନେତା। ସେମାନଙ୍କ ଭାଗ୍ୟ ରାଷ୍ଟ୍ରର ଭାଗ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶୃଙ୍ଖଳା, ସାଧୁତା, ସଚ୍ଚୋଟତା ଓ କଠିନ ପରିଶ୍ରମ ସେମାନଙ୍କୁ ସାଧାରଣ ଜୀବନ ଯାପନ ସହିତ ଯେକୌଣସି କ୍ଷେତ୍ର ପାଇଁ ସଫଳତାର ଶୀର୍ଷରେ ପହଞ୍ଚିବାରେ ସହାୟକ ହୋଇପାରିବ।
ଉପରାଷ୍ଟ୍ରପତି କହିଲେ ସମାବର୍ତ୍ତନ ଉତ୍ସବ ଛାତ୍ରଛାତ୍ରୀମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଉତ୍ସାହ, ଅଧ୍ୟବସାୟ, ତପସ୍ୟା ଓ ଶିଖିବା ପାଇଁ ମୁକ୍ତମନ ଭଳି ବ୍ୟକ୍ତିଗତ ଯୋଗ୍ୟତା ଯାହା ଅର୍ଜନ କରିଛନ୍ତି ସେ ସବୁ ସାରା ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ଏବେ ଅନେକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ସୀମିତ ପରିସରରୁ ବାହାରି ନୂଆ ଦୁନିଆରେ ପ୍ରବେଶ କରିବେ; ଯେଉଁଠି ଅନେକ ସମସ୍ୟା ଓ ଆହ୍ୱାନ ରହିଛି। ଏହି ପରିବର୍ତ୍ତନ ସହଜ ନୁହେଁ। ବିଶ୍ୱବିଦ୍ୟାଳୟରୁ ଯେଉଁ ମୂଲ୍ୟବୋଧ ଓ ତାଲିମ ପାଇଛନ୍ତି ତାହା ଦ୍ୱାରା ଆତ୍ମବିଶ୍ୱାସର ସହିତ ଦୁନିଆର ମୁକାବିଲା କରିପାରିବେ।

ଉପରାଷ୍ଟ୍ରପତି କହିଲେ ଆନ୍ତର୍ଜାତିକ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବମୟ ପରମ୍ପରାକୁ ଆମେ ଭୁଲିଯିବା ଅନୁଚିତ। ତକ୍ଷଶୀଳା, ନାଳନ୍ଦା, ବଲ୍ଲଭି ଓ ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ଏକଦା ଦେଶ ଓ ବିଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବିଦ୍ୟାର୍ଥୀ ବହୁବିଷୟକ ଓ ଜୀବନ୍ତ ପରିବେଶରେ ଅଧ୍ୟୟନ କରୁଥିଲେ। ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ସେହି ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ। ଦେଶକୁ ଉଭୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପରିବର୍ତ୍ତନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ। ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ। ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା। ଯାହା ଫଳରେ ସେ ଧର୍ମର ବିଜୟ ନୀତି ଅନୁସରଣ କରିଥିଲେ। କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ। ବିଭିନ୍ନ ସ୍ଥାନରେ ହୋଇଥିବା ଉତ୍ଖନନରୁ ମିଳିଥିବା ବହୁ ସଂଖ୍ୟକ ମୁଦ୍ର, କଳାକୃତି ଓ ରୋମାନ ସାମଗ୍ରୀ ଆଦିରୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ସମାମଜର ପରିଜୟ ମିଳେ। ସେହି ସାଧବମାନଙ୍କ ଦକ୍ଷତା, ଉଦ୍ୟମିତା ଓ ସାହସିକତା ଦ୍ୱାରା କଳିଙ୍ଗ ଏକଦା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଥିଲା। ତେଣୁ ଛାତ୍ରଛାତ୍ରୀମାନେ ସେମାନଙ୍କ କାହାଣୀରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ନିଜ ଭିତରେ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ।
କୁଳପତି ପ୍ରଫେସର ସବିଚା ଆଚାର୍ଯ୍ୟ ଉତ୍କଳ ବିଶ୍ୱିଦ୍ୟାଳୟର ସମୃଦ୍ଧ ଅତୀତ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କୃଷି ଓ କୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। କୁଳସଚିବ ଡ. ଅଭୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ଜଣ ବ୍ୟକ୍ତିତ୍ୱ ଯଥା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ ଗିରୀଶଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡ, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ୍ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ସମାବର୍ତ୍ତନ ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମୋଟ ୪୦ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଓ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।