ଆତ୍ମହତ୍ୟା, ସମାଜ ଓ ଗଣମାଧ୍ୟମ

॥ ଗୋବିନ୍ଦ ପଟ୍ଟନାୟକ ॥
ଦୁନିଆରେ ଏପରି କୌଣସି ସମ୍ପତ୍ତି ନାହିଁ ଯାହା ମାନସିକ ଶାନ୍ତି ସହ ତୁଳନୀୟ । ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ । ଜୀବନ କଣ ବୁଝିବା ପୂର୍ବରୁ ଜୀବନ ଶେଷ ହୋଇଯାଏ । ଦୁଲ୍ଲର୍ଭ ମଣିଷ ଜନମ, ଯାହା ଦେହରେ ଦିବ୍ୟଜ୍ଞାନ ଦେଖି ସ୍ୱୟଂ ଭଗବାନ ସନ୍ତୋଷ ଲାଭ କରିଛନ୍ତି । ସେହି ବିବେକୀ ମାନବ ଜୀବନ ପ୍ରତି ଲୋଭ, ମୋହ କାହିଁକି ଅଧାବାଟରେ ତୁଟିଯାଏ, ସେମାନେ କ’ଣ ପରିବାର, ବନ୍ଧୁ, ସମାଜ ଉପରେ ଆସ୍ଥା ହରାଇ ବସନ୍ତି ? ଏମିତି ଅନେକ ପ୍ରଶ୍ନକୁ ନେଇ ସମାଜ ବିଜ୍ଞାନୀ, ମନସ୍ତତ୍ତ୍ୱବିତ୍‌, ସାମାଜିକ କର୍ମୀମାନେ ଏହାର କାରଣ ଖୋଜନ୍ତି ।
ଅସୁମାରୀ ଆଶା ପଛରେ ଧାଇଁ ଧାଇଁ ଯେତେବେଳେ ସେ ନିରାଶ ହୋଇଯାଉଛି, ଆତ୍ମବିଶ୍ୱାସ ହରାଇ ବସୁଛି । ସନ୍ଦେହ ଓ ଆତ୍ମବିଶ୍ୱାସ ଜାଲରେ ଛନ୍ଦି ହୋଇ ପଡ଼ୁଛି, ନିଜକୁ ଅତୀବ ଅସହାୟ ବୋଲି ଭାବୁଛି। ମାନସିକ ଶାନ୍ତି ମନରୁ ଦୂରେଇଯାଇ ଅଶାନ୍ତିର ଝଡ଼ ଜୀବନରେ ପ୍ରବାହିତ ହେଉଛି । ଏହି ଅଶାନ୍ତିର ଝଡ଼ ସମସ୍ତ ଆଶା, ଭରସା, ବଞ୍ଚିବାର ମୋହ ଭଳି ମହାଦ୍ରୁମକୁ ଉପାଡ଼ି ଦେଉଛି । ସେ ଚିନ୍ତା କରୁଛି ମୋ ଦ୍ୱାରା କୌଣସି କାମ ସମ୍ଭବ ନୁହେଁ । ବଞ୍ଚି ରହିବାର ମୂଲ୍ୟ କିଛି ନାହିଁ । ଜୀବନ ହା ହୁତାଶମୟ ହେବା ଫଳରେ ସେ ନିଜକୁ ଦାହ କରିଦେବାକୁ ଯାଇ ମାନସିିକ ଚାପରେ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ଗ୍ରହଣ କରେ ।

ଅବସାଦ ଓ ଅଭାବ ଅନାଟନ ଏବେ କାଳ ସାଜିଛି । ବିଭିନ୍ନ ଘାତକ ରୋଗଠାରୁ ଏହା ଅଧିକ ମାରାତ୍ମକ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ୨୦୧୬ ମସିହାରେ ଯେଉଁ ସଂଖ୍ୟକ ମୃତ୍ୟୁ ଘଟଣା ଘଟିଥିଲା, ଆତ୍ମହତ୍ୟା ସେଥିରେ ଦ୍ୱିତୀୟ ମୁଖ୍ୟ କାରଣ ସାଜିଥିଲା । ଉପରୋକ୍ତ ଦୁଇଟି କାରଣରୁ ଅନେକ ଲୋକ ଅନନ୍ୟୋପାୟ ହୋଇ ଶେଷରେ ଆତ୍ମହତ୍ୟାର ବାଟ ବାଛୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ବିଶ୍ୱରେ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଏମାନଙ୍କ ମଧ୍ୟରେ ୧୭ ପ୍ରତିଶତ ଭାରତୀୟ ଅନ୍ତର୍ଭୁକ୍ତ । ୧୫ରୁ ୨୯ ବର୍ଷ ମଧ୍ୟରେ ହିଁ ଅଧିକାଂଶ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଥିବା ଏଥିରେ ଦର୍ଶାଯାଇଛି । ଧନୀ ହେଉ ବା ଗରୀବ କେହି ଏହି ଘାତକ କାଳ କବଳରୁ ବର୍ତ୍ତି ପାରୁନାହାଁନ୍ତି । ମହିଳାମାନଙ୍କ ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି କିନ୍ତୁ ଅଧିକ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । କେତେକ କ୍ଷେତ୍ରରେ ଆତ୍ମହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇ ଚପାଇ ଦିଆଯାଉଛି । ଅଧିକ ଆୟ କରୁଥିବା ବର୍ଗର ଲୋକ ହିଁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି । ଅଧିକ ଧନ ଉପାର୍ଜନ କଲେ ଶାନ୍ତି ମିଳିବ ଏହି ଆଶାରେ ଲୋକଟି ପ୍ରକୃତ ଶାନ୍ତିକୁ ହରାଇ ବସୁଛି। ପାରିବାରିକ ସ୍ନେହ ମମତା ଠାରୁ ଦୂରେଇ ଯାଉଛି ଯାହା ପ୍ରତି ମଣିଷ ପାଇଁ ଅମୃତତୁଲ୍ୟ । ହତ୍ୟାକାଣ୍ଡ ଓ ଯୁଦ୍ଧ ତୁଳନାରେ ଅଧିକ ସଂଖ୍ୟାରେ ମଣିଷଙ୍କ ପ୍ରାଣ ଆତ୍ମହତ୍ୟା ଯୋଗୁ ଯାଉଛି । ଇନ୍‌ଷ୍ଟିଚ୍ୟୁଟ ଅଫ ହେଲ୍‌ଥ ମେଟିକ୍ସ ଆଣ୍ଡ ଇଭାଲ୍ୟୁଏସନ ଦ୍ୱାରା କରାଯାଇଥିବା ପୃଥିବୀବ୍ୟାପୀ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏବେ ବର୍ଷକୁ ହାରାହାରି ୬୦,୦୦୦ ଭାରତୀୟ ଆଦ୍ୟ ତାରୁଣ୍ୟରେ ଆତ୍ମହତ୍ୟା କିମ୍ବା ନିଜକୁ ଆଘାତ ପହଞ୍ଚାଇ ମୃତ୍ୟୁବରଣ କରୁଛନ୍ତି ।

କରୋନା ମହାମାରୀ ସମୟରେ ମାନସିକ ଅବସାଦ ବହୁଗୁଣରେ ବୃଦ୍ଧି ପାଇଛି । ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏଥିରେ ପ୍ରପୀଡ଼ିତ । ଏପ୍ରିଲ ମାସରେ ଆମ ଦେଶରେ ୨.୭ କୋଟି ଚାକିରୀ ହରାଇଛନ୍ତି । ଲୋକେ କପର୍ଦ୍ଦକ ଶୂନ୍ୟ, କଳକାରଖାନା ବନ୍ଦ, ଘରେ ମାସ ମାସ ରହି କୋଟି କୋଟି ଲୋକ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ପରିବାରର ରୋଜଗାର ହ୍ରାସ, ବିଦ୍ୟାଳୟ ବନ୍ଦ, ସଙ୍ଗରୋଧ ବ୍ୟବସ୍ଥା ଆଦି ପରିବର୍ତ୍ତିତ ପରିସର ଶିଶୁମାନଙ୍କୁ ଶାରୀରିକ ଦଣ୍ଡ ଓ ମାନସିକ ଆବେଗ ପ୍ରତି ତିରସ୍କାର ସଦୃଶ ହେଉଛି । ଏଥିପାଇଁ ୪୦ ପ୍ରତିଶତ ଶିଶୁ ଦୁଶ୍ଚିନ୍ତାରେ ରହୁଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଛନ୍ତି । ବେସରକାରୀ ସଂସ୍ଥାରେ ଚାକିରୀ ଯିବା ସହିତ ରାଜ୍ୟ ସରକାର ଦୁଇବର୍ଷ ପାଇଁ ନିଯୁକ୍ତି ବନ୍ଦ କରିବା, ଯୁବକ ଓ ଯୁବତୀଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ହୋଇଯାଇଛି । ଅଧିକାଂଶ ଏମାନେ ଗୁମ୍‌ଶୁମ୍ ହୋଇ ରହୁଛନ୍ତି ।

ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ଚାହୁଁଥିବା ମଣିଷଟିଏ ଏଥିରୁ ନିବୃତ୍ତି ରହିବା ପାଇଁ ପରିବାର ଓ ସମାଜର ପ୍ରମୁଖ ଭୂମିକା ରହିଛି । ପ୍ରଥମେ ପରିବାରର ଲୋକେ ଜାଣିବା ଦରକାର ଯେଉଁ ସଦସ୍ୟଙ୍କ ଆଚାର ବ୍ୟବହାରରେ ହଠାତ୍ ପରିବର୍ତ୍ତନ, ନୀରବ ରିହବା, ଚିଡ଼ିଚିଡ଼ାପଣ ଦେଖାଦେବା, ନିରୋଳା ସ୍ଥାନ ଖୋଜିବା, କ୍ଷୁଧା କମିଯିବା, ରାତିରେ ନିଦ ନହେବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ସେମାନଙ୍କ ଚିକିତ୍ସା କରାଇବା ଉଚିତ । ଘରେ ବେକାର ହୋଇ ବସିଯିବା, ପରୀକ୍ଷାରେ ବିଫଳ, ପ୍ରେମରେ ଅସଫଳ ବ୍ୟକ୍ତିଙ୍କୁ ସମାଜରେ କେତେକ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି । ତାହା ଠିକ୍ ନୁହେଁ । ବର୍ତ୍ତମାନ କରୋନାରୁ ମୁକ୍ତ ହୋଇ ଫେରୁଥିବା ବ୍ୟକ୍ତିଙ୍କୁ କେତେକ ସ୍ଥାନରେ ବିରୋଧ କରାଯାଉଛି । ଏପରିକି ପରିବାର ଲୋକ ଘରେ ସ୍ଥାନ ଦେଉନାହାଁନ୍ତି । ଏସବୁ ବ୍ୟବହାର ମାନସିକ ଅବସାଦ ବଢାଇଥାଏ । ପ୍ରେମ ବିବାହରେ ଉଚ୍ଚନୀଚ, ଧନୀ, ଗରିବ ଭେଦଭାବକୁ ନେଇ ପରିବାର ତଥା ସମାଜ ଏହାକୁ ଘୃଣ୍ୟ ଚକ୍ଷୁରେ ଦେଖେ, ଯାହା ଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାକୁ ଶେଷ ପନ୍ଥା ବୋଲି ବାଛିଥାନ୍ତି । ରିପୋର୍ଟ ଅନୁସାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଯେତିକି ଲୋକ ଶିକାର ହେଉଛନ୍ତି, ପ୍ରେମଜନିତ ଆତ୍ମହତ୍ୟା ତା’ଠାରୁ ଅଧିକ । ପରିବାର ଓ ବନ୍ଧୁବାନ୍ଧବଙ୍କ ଦୟା ଓ ସମବେଦନା ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରାଇ ପାରିବ, କାରଣ ଆତ୍ମହତ୍ୟାପ୍ରବଣ ବ୍ୟକ୍ତିଙ୍କ ପାଇଁ ପରିବାର ଓ ବନ୍ଧୁବାନ୍ଧବଙ୍କ ସସ୍ନେହ ସମ୍ବୋଧନ ଓ ସମବେଦନା ଏକ ସୁରକ୍ଷା କବଚ ପରି କାମ କରେ । ଏକାନ୍ନର୍ତ୍ତୀ ପରିବାରର ବିଲୋପ ଘଟିବା ଠାରୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବଢିଚାଲିଛି । ଦାଦା, ଖୁଡ଼ି, ପୁତୁରା, ଝିଆରୀ, ନଣନ୍ଦ, ଭାଉଜ, ଭଉଣୀ ତଥା ବରିଷ୍ଠ ସଦସ୍ୟମାନେ ପରସ୍ପର ଦୁଃଖ ବୁଝିବା ଓ ତାର ସମାଧାନ କରିଦିଅନ୍ତି । ବର୍ତ୍ତମାନ ଛୋଟ ପରିବାର ଓ ବନ୍ଧୁବାନ୍ଧବ କାହାରି ପାଖରେ ସମୟ ନାହିଁ କାହା ମନକଥା ଜାଣି ଆହା ପଦେ କହିବାକୁ । କ୍ଷୁଦ୍ର ପରିବାରରେ ସ୍ନେହ, ପ୍ରେମ, ମମତାରେ ଭରିଗଲେ ଅଶାନ୍ତି ଦୂର ହୋଇଯାଏ । ସୁନ୍ଦର ପରିବାରଟିଏ ଗଢି ପରସ୍ପର ଦୁଃଖ ସୁଖରେ ଭାଗିଦାର ଓ ତାହାର ସମାଧାନ ଏକାନ୍ତ ଆବଶ୍ୟକ । ଦୂରେଇ ଯାଇଥିବା ବନ୍ଧୁଙ୍କୁ ପୁଣି କୋଳେଇ ଆଣିବା ଦରକାର । ପଡ଼ୋଶୀଙ୍କ ସହ ତିକ୍ତତା ଭୁଲି ସୁସମ୍ପର୍କ ରଖିବା ଉଚିତ । ସେମାନେ ଉଚିତ ପରାମର୍ଶ ଦେବା ସହିତ ବିପଦ ଆପଦରେ ପ୍ରଥମେ ପହଞ୍ଚନ୍ତି । ପରିବାର, ବନ୍ଧୁବାନ୍ଧବ, ପଡ଼ୋଶୀଙ୍କ ଦୟା ଓ ସମବେଦନା ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରିପାରିବ । କାରଣ ଆତ୍ମହତ୍ୟାପ୍ରବଣ ବ୍ୟକ୍ତିଙ୍କ ପାଇଁ ପରିବାର, ପଡ଼ୋଶୀ, ବନ୍ଧୁବାନ୍ଧବଙ୍କ ସସ୍ନେହ ସମ୍ବୋଧନ ଓ ସମବେଦନା ଏକ ସୁରକ୍ଷାକବଚ ପରି କାମ କରେ । ଭଗବାନ ଆମକୁ ଗୋଟିଏ ପାଟି ଓ ଦୁଇଟି କାନ ଦେଇଛନ୍ତି ଏମିତିକି କହିବା ତାର ଶୁଣିବା ଦରକାର । ଅବସାଦଗ୍ରସ୍ତ ଲୋକଟିର କଥା ଶୁଣି ଓ ତାର ପ୍ରତିକାର କଲେ ଆତ୍ମହତ୍ୟାର ପ୍ରତିରୋଧ ହୋଇପାରିବ ।

କେତେକ ସୂଚନା ଅଧିକାର କର୍ମୀ ଜନଶୁଣାଣୀ ଜରିଆରେ ରାଜ୍ୟର କେତେକ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିଲେ । ଏହି ଜନଶୁଣାଣୀର ଅଳ୍ପଦିନ ପରେ କୁନ୍ଦୁଲି ଓ ବାଣପୁର ପୀଡ଼ିତା ଆତ୍ମହତ୍ୟା କରିଥିଲେ । ପୀଡ଼ିତାମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିବା ବେଆଇନ୍ ହୋଇଥିବାରୁ ଏହା ପରୋକ୍ଷରେ ପୀଡ଼ିତାମାନଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିଲା । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆମ ସମାଜ ନୀଚ ଦୃଷ୍ଟିରେ ଦେଖେ । ପୁରୁଷ ରାକ୍ଷସଙ୍କ ଦୋଷ ନଦେଇ ନିରୀହା ପୀଡ଼ିତାମାନଙ୍କ ମୁଣ୍ଡରେ କଳଙ୍କର ଟୀକା ଲଗାଇ ଦିଅନ୍ତି । ବରଂ ପୀଡ଼ିତାର ମନୋବଳ ଦୃଢ କରାଇ ତାକୁ ବଞ୍ଚିବାର ରାହା ଦେବା ଆମ ସମାଜର କର୍ତ୍ତବ୍ୟ । ଏକ ସକରାତ୍ମକ ବିଚାରଧାରା ଜୀବନକୁ ସରସ ସୁନ୍ଦର କରିଥାଏ । ତେବେ ଏହି ବିଚାରଧାରାକୁ ଅନେକ ସମୟରେ ପ୍ରଭାବିତ କରିଥାଏ ସାମାଜିକ ବ୍ୟବସ୍ଥା । ଯେଉଁଥିରେ ଏକ ଅସୁରକ୍ଷିତ ଭାବନା ବ୍ୟକ୍ତି ଭିତରେ ଦାନା ବାନ୍ଧେ ଓ ତାର ମାନସିକତାକୁ ବାରମ୍ବାର ଆଘାତ ଦିଏ ଓ ପରିଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଏ । ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ମାନ କ୍ଷେତ୍ରରେ ଦେଖାଯାଉଥିବା ସଙ୍କଟ ଓ ଉପଯୁକ୍ତ ପରାମର୍ଶର ଅଭାବ ବିପଦକୁ ଟାଣିଆଣେ । ବୈଦ୍ୟୁତିକ ଗଣମାଧ୍ୟମ ହେଉ ବା ପ୍ରିଣ୍ଟ ମିଡ଼ିଆ ବାରମ୍ବାର ଆତ୍ମହତ୍ୟା ପ୍ରସଙ୍ଗ ଓ ଦୃଶ୍ୟ ପ୍ରକାଶ କରିବା ସମାଜ ପାଇଁ କ୍ଷତିକାରକ । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.ଜି. ରାମଚନ୍ଦ୍ରନ, ଏନ୍‌.ଟି.ଆର. ଓ ଜୟଲଳିତାଙ୍କ ମୃତ୍ୟୁରେ ଶତାଧିକ ଲୋକ ଆତ୍ମହତ୍ୟା କରିଥିଲେ । ରାଜନୈତିକ ଫାଇଦା ପାଇଁ ଏସବୁର ଦୁରୂପଯୋଗ ଯୋଗୁଁ ଅତ୍ୟଧିକ ଭାବପ୍ରବଣ ଲୋକେ ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କଲେ । ନିକଟରେ ବଲିଉଡ଼ର ବିଶିଷ୍ଟ ଯୁବତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଏତେ ଜୋର୍‌ରେ ଗଣମାଧ୍ୟମ ଗୁଡ଼ିକରେ ଚର୍ଚ୍ଚା ହେଲା ଯେ, ସେଥିପାଇଁ ଅବସାଦରେ କେଇଜଣ ତରୁଣ, ତରୁଣୀ ଆତ୍ମହତ୍ୟା କଲେ । ସେହିପରି ଆମ ରାଜ୍ୟରେ ନିକଟରେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା, ପ୍ରଥମେ ଆତ୍ମହତ୍ୟା ଓ ପରେ ତାଙ୍କୁ ମାରି ଦିଆଯାଇଥିବା ତଦନ୍ତ ଚାଲିଛି । ଜଣେ ନିଜକୁ ପ୍ରଥମେ ଭଲ ପାଇଲେ ଅନ୍ୟମାନଙ୍କୁ ଭଲ ପାଏ, ସେଭଳି ବ୍ୟକ୍ତି କୌଣସି ଚାପରେ ଆତ୍ମହତ୍ୟା କରିବା ସମ୍ଭାବନା ପ୍ରାୟ ନାହିଁ । ତାଙ୍କ ହାପି ହୋମରେ ଥିବା ଅନ୍ତେବାସିନୀ ଇନ୍ଦୁମତି କହିଲେ ‘ଆଦି ଭଳି ପୁଅ ସମସ୍ତଙ୍କୁ ମିଳନ୍ତୁ’। ଆଦିତ୍ୟ ଆତ୍ମହତ୍ୟା ପୂର୍ବରୁ ଚିନ୍ତା କଲେ ନାହିଁ ସେ ଏକ ସାମାଜିକ ଅନୁଷ୍ଠାନର ମୁଖ୍ୟ । ତାଙ୍କ କରୁଣାକୁ ପାଥେୟ କରି କେତେଜଣ ବଞ୍ଚିଛନ୍ତି । ଘରେ ବାପା, ମା, ବିବାହର ମାସେ ପୁରିନଥିବା ପତ୍ନୀଙ୍କୁ ଭୁଲିଯାଇ କିପରି ଆତ୍ମହତ୍ୟା କରିପାରିଲେ ? ସ୍ରୋତସ୍ୱିନୀ ନଦୀରେ କାତ ପାଉନଥିବା ନାଆର ଆହୁଲାକୁ ଫିଙ୍ଗିଦେବା ଭଳି ଅବସ୍ଥା କୁହାଯାଇପାରେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ବାରମ୍ବାର ପ୍ରଦର୍ଶିତ ହେବା ବିପଦ ।

ନିର୍ଭୟା ହତ୍ୟାକାଣ୍ଡର ଆସାମୀମାନଙ୍କୁ ଫାଶି ଦଣ୍ଡାଦେଶ ତାରିଖ ତିନିଥର ଘୁଞ୍ଚିଲା। ଏହି ଫାଶି ଦଣ୍ଡ କିପରି ଦିଆଯାଏ ତାର ଜଘନ୍ୟ ଦୃଶ୍ୟ ବାରମ୍ବାର ଦୂରଦର୍ଶନରେ ପ୍ରଦର୍ଶିତ ହେଲା । ଅପରାଧ ଘଟାଇଥିବା ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ । କାରଣ ଦୁଷ୍କର୍ମ ଓ ହତ୍ୟା ଦିନକୁ ଦିନ ବଢି ଚାଲୁଛି । କିନ୍ତୁ ଏହି ହତ୍ୟା ଅଭିଯୁକ୍ତଙ୍କ ପରିବାର, ପଡ଼ୋଶୀ, ବନ୍ଧୁବର୍ଗଙ୍କୁ କିପରି ଲାଗିଥିବ । କିଭଳି ମାନସିକ ଯନ୍ତ୍ରଣାରେ ସେମାନେ ଛଟପଟ ହୋଇଥିବେ । ସେମାନେ ଦୋଷ କରିନଥିଲେ । ସେହିପରି କୋଟି କୋଟି ଲୋକ ଏ ଦୃଶ୍ୟ ଦେଖି ଯଦିଓ ଅପରାଧିଙ୍କ ପାଇଁ ସହାନୁଭୂତି ନୁହେଁ ତଥାପି ବିଚଳିତବୋଧ କଲେ । ବିଷାଦଗ୍ରସ୍ତ ଲୋକଟି ଭାବିଲା ଏହି ଫାଶି ବା ଦଉଡ଼ି ଦେଇ ଆତ୍ମହତ୍ୟା କରିବା ସହଜ ଉପାୟ । ନିଜ ଗାମୁଛା ହେଉ ବା ଶାଢୀକୁ ବେକରେ ଗୁଡ଼ାଇ ଝୁଲି ପଡ଼ିଲେ ଯନ୍ତ୍ରଣା ହେବ ନାହିଁ । ମାନସିକ ବିଷାଦଗ୍ରସ୍ତ ଓ ଆତ୍ମହତ୍ୟା ପ୍ରବଣତା ଲୋକଙ୍କୁ ଏହା ପ୍ରୋତ୍ସାହିତ କରିଥାଏ ।

ଆତ୍ମହତ୍ୟା କରିବାରେ ଆମ ଦେଶ ଆଗରେ ରହିଛି । ଏହି ଆତ୍ମହତ୍ୟା ରୋକିବା ପ୍ରଥମେ ପରିବାର ଓ ସମାଜର କର୍ତ୍ତବ୍ୟ ରହିଛି । ଗଣମାଧ୍ୟମରେ ଏହାକୁ ବାରମ୍ବାର ପ୍ରଦର୍ଶନ କରାଯିବା କ୍ଷତିକାରକ । ଆମ ଭାରତୀୟଙ୍କ ଦେହରେ ଭାବପ୍ରବଣତାର ରକ୍ତ ପ୍ରବାହିତ । କୌଣସି କଥାକୁ ନେଇ ଅତ୍ୟଧିକ ଭାବପ୍ରବଣ ହେବା କ୍ଷତିକାରକ । କାହା ଉପରେ ଅଧିକ ଚାପ ପ୍ରୟୋଗ କରିବା ଅନୁଚିତ । ବାପା ମା ପିଲାଙ୍କ ଉପରେ ଉଚ୍ଚ ଅଧିକାରୀମାନେ ଅଧସ୍ତନଙ୍କ ଉପରେ ବିଶେଷ କରି ଏହି ଆତ୍ମହତ୍ୟା ପ୍ରବଣତା କରୋନା ବଢାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ସରକାର ଓ ସ୍ୱେଚ୍ଛାସେବୀ ସଂଗଠନମାନେ କାଉନସେଲିଂର ବ୍ୟବସ୍ଥା କଲେ ନିଶ୍ଚୟ ଏହି ହାର କମ୍ ରହିବ ।
ମିଶନ ଆଶ୍ରା ଓ ଆଶାଲୋକ, ଭୁବନେଶ୍ୱର
ମୋ : ୮୨୮୦୩୩୬୩୦୦

ମତାମତ ଦିଅନ୍ତୁ ।