ଅବକାରୀ ପୋଲିସକୁ ଘେରିଲେ ଗାଁ ଲୋକେ

0

ଭଦ୍ରକ : ଚୋରା ମଦ ଧରିବାକୁ ଯାଇଥିବା ଅବକାରୀ କର୍ମଚାରୀଙ୍କୁ ଗ୍ରାମବାସୀ ଘେରିଲେ। ଏହାକୁ ନେଇ ପୋଲିସ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ସେମାନେ ପୋଲିସ ଗାଡିକୁ ମଧ୍ୟ ଅଟକ ରଖିଥିଲେ। ଏହି ଘଟଣା ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଅବକାରୀ ପୋଲିସ ଧୂସୁରୀ ଥାନା ଅନ୍ତର୍ଗତ ବେତାଳିଗାଁରେ ଚୋରାମଦ ବେପାରୀଙ୍କୁ ଧରିବା ପାଇଁ ଚଢଉ କରିଥିଲେ। କିନ୍ତୁ ଜଣେ ମହିଳାଙ୍କ ଘରୁ ବିପୁଳ ପରିମାଣରେ ମଦ ଜବତ ହୋଇଥିଲା। ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ମହିଳାଙ୍କୁ ତାଙ୍କୁ ଘର ନିକଟରେ ଅଟକ ରଖାଯାଇଥିଲା। ସେହି ସମୟରେ ମହିଳାଙ୍କ ସ୍ଵାମୀ ଫେରାର ହୋଇଯିବାରୁ ଲୋକେ ପାଟିତୁଣ୍ଡ କରି ଅବକାରୀ କର୍ମଚାରୀଙ୍କୁ ଘେରାଉ କରିଥିଲେ।

ଅବକାରୀ କର୍ମଚାରୀ ଧୂସୁରୀ ଥାନାକୁ ଖବର ଦେବାରୁ ପୋଲିସ ସେଠାରେ ପହଞ୍ଚିଥିଲେ। ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିବାରୁ କିଛି ସମୟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟର ଫଟୋ ଉଠାଉଥିଲେ ଜଣେ ଯୁବକ। ପୋଲିସ ତାଙ୍କୁ ଲାଠିରେ ପିଟି ମୋବାଇଲ ଛଡାଇ ନେବାରୁ ଗାଁ ଲୋକେ ପୋଲିସ ଗାଡି ଅଟକ ରଖି ମୋବାଇଲ ଫେରାଇବାକୁ ଦାବି କରିଥିଲେ।

Leave A Reply

Your email address will not be published.