ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଦିଲୀପ କୁମାର ବୟସ ଜନିତ ରୋଗରେ ପୀଡିତ ହୋଇ ଶେଷରେ ପରଲୋକ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା।

ଜୁନ୍ ୩୦ରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ହସ୍ପିଟାଲର ଆଇସିୟୁରେ ଥିଲେ। ତାଙ୍କ ପତ୍ନୀ ସାଇରା ବାନୋ ଗତକାଲି ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେବା ସହିତ ଖୁବଶୀଘ୍ର ତାଙ୍କୁ ଧରି ଘରକୁ ଫେରିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଛି। ଏହା ପୂର୍ବରୁ ଜୁନ୍‌ ୬ରେ ଶ୍ୱାସ ଜନିତ ସମସ୍ୟା ଯୋଗୁ ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ କିଛି ଦିନର ଚିକିତ୍ସା ପରେ ଘରକୁ ଫେରିଥିଲେ।

ହିନ୍ଦୀ ସିନେମା ପ୍ରତି ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ୧୯୯୪ରେ ଦାଦା ସାହେବ ଫାଲକେ ଓ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୨୨ ମସିହା ଡିସେମ୍ବର ୧୧ରେ ଦିଲୀପ ପେଶାୱର (ପାକିସ୍ତାନ)ରେ ଜନ୍ମ ଗ୍ରହଣ କରିଥିଲେ। ଅଭିନୟ ଦୁନିଆରେ ସେ ଦୀର୍ଘ ୫ ଦଶନ୍ଧି ଧରି ବଲିଉଡ୍‌ରେ ରାଜ କରିଥିଲେ। ୧୯୪୪ରେ ଜ୍ୱାର ଭଟ୍ଟା ଫିଲ୍ମ ଜରିଆରେ ତାଙ୍କର ଡେବ୍ୟୁ ହୋଇଥିଲା। ଏହାପରେ ସେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ। ମୁଗଲ-ଏ ଆଜମ୍, ଗଙ୍ଗା ଯମୁନା, ମଶାଲ, ଦେବଦାସ, ରାମ୍ ଔର ଶ୍ୟାମ୍, କର୍ମା, ସୌଦାଗର ଭଳି ଫିଲ୍ମରେ ସେ ନିଜର ନିଖୁଣ ଅଭିନୟ ଦେଖାଇଥିଲେ। ଲିଡର, ମଧୁମତୀ, ବିଧାତା ଦିଲୀପ କୁମାରଙ୍କ ଅନ୍ୟତମ ଶ୍ରେଷ୍ଠ ଫିଲ୍ମ ଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.