ଅଭିନେତ୍ରୀ ଅମିଷା କହିଲେ ତାଙ୍କ ସହ ଦୁଷ୍କର୍ମ ହେବାର ସମ୍ଭାବନା ଥିଲା

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଡିଓ ମେସେଜ୍ ଏବେ ଚର୍ଚ୍ଚାରେ ରହିଛି। ଏଥିରେ ରହିଛି ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ସମ୍ପର୍କରେ।

ଜାତୀୟ ଗଣମାଧ୍ୟମକୁ ଅମିଷା କହିଛନ୍ତି ଜଣେ ଅତିଥି ହିସାବରେ ମୁଁ ଡା. ପ୍ରକାଶ ଚନ୍ଦ୍ରାଙ୍କ କ୍ୟାମ୍ପେନରେ ଯୋଗଦେଇଥିଲି। ସେ ଭୟଙ୍କର ମଣିଷ। ଲୋକମାନଙ୍କୁ ବ୍ଲାକମେଲ୍ କରନ୍ତି ଓ ଧମକାଇ ଥାଆନ୍ତି। ମୋତେ ଆଉ ମୋ ଟିମକୁ ବହୁତ ଖରାପ ବ୍ୟବହାର କରିବା ସହ ଧମକ ଦେଇଛନ୍ତି। ଗତକାଲି ମୁଁ ମୁମ୍ବାଇ ଫେରିବା ସମୟରେ ସେ ମୋତେ ଫୋନରେ ଧମକ ଦେବାସହ ମେସେଜ କରିଛନ୍ତି।

ଅମିଷା କହିଛନ୍ତି ପାଟନାରେ ପ୍ରକାଶ ଚନ୍ଦ୍ରାଙ୍କ ସହ ୩ ଘଣ୍ଟା ନିର୍ବାଚନୀ ପ୍ରଚାର କରିବାକୁ ତାଙ୍କୁ ଧମକ ଦିଆଯାଇଥିଲା। ସେହିଦିନ ସନ୍ଧ୍ୟାରେ ତାଙ୍କୁ ମୁମ୍ବାଇ ଫେରିବାର ଥିଲା। କିନ୍ତୁ ପ୍ରକାଶ ଚନ୍ଦ୍ରା ଅଟକାଇଦେଇଥିଲେ। ବାଧ୍ୟକରି ତାଙ୍କୁ ଗୋଟିଏ ଗାଁରେ ରଖାଯାଇଥିଲା। ଧମକ ଦିଆଯାଇଥିଲା ଯଦି ସେ ତାଙ୍କ କଥା ନ ମାନନ୍ତି ତାଙ୍କୁ ସେହି ଗାଁରେ ଛାଡ଼ି ସମସ୍ତେ ପଳାଇବେ।

ବଳପୂର୍ବକ ତାଙ୍କୁ ଅଟକ ରଖାଯାଇଥିବା ଅମିଷା କହିଛନ୍ତି। ତାଙ୍କ ଜୀବନ ବିପଦରେ ଥିଲା। ସେ ଏପରି କାମ କରନ୍ତି ଲୋକ ଜାଣିବା ଆବଶ୍ୟକ। ସେ ବ୍ଲାକମେଲ୍ କରନ୍ତି। ମୋ ଜୀବନ ବଞ୍ଚାଇବାକୁ ସେମାନଙ୍କ ସବୁ କଥା ମାନିଥିଲି। ଯେଉଁଠି ତାଙ୍କୁ ରଖାଯାଇଥିଲା ସେ ଗାଁ ପାଟନା ସହରଠାରୁ ତିନି ଘଣ୍ଟା ଦୂରରେ। ପ୍ରକାଶ ଚନ୍ଦ୍ରା ଓ ତାଙ୍କ ଗୁଣ୍ଡାମାନଙ୍କ କଥା ମାନିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ତାଙ୍କ ସହ ଦୁଷ୍କର୍ମ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ତାଙ୍କ ଗାଡ଼ିକୁ ସବୁବେଳେ ଲୋକମାନେ ଘେରି ରହୁଥିଲେ। ସେ ବୁଝିସାରିଥିଲେ ତାଙ୍କର ହତ୍ୟା ବି ହୋଇପାରେ। ତେଣୁ ସେମାନଙ୍କ ସବୁ କଥା ମାନି ଚାଲିଥିଲେ ବୋଲି ଅମିଷା କହିଛନ୍ତି।

ମତାମତ ଦିଅନ୍ତୁ ।