ଅଭିନେତ୍ରୀ ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ିଲେ

ଚେନ୍ନାଇ : ଅଭିନେତ୍ରୀ ଖୁସବୁ ସୁନ୍ଦର ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗତକାଲି ରାତିରେ ସେ ଚେନ୍ନାଇରୁ ଦିଲ୍ଲୀ ଆସିଥିବା ବେଳେ କୁହାଯାଉଛି ବିଜେପିରେ ସାମିଲ ହେବେ।

ଅଭିନେତ୍ରୀ ଖୁସବୁ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦଳରେ ଅଣଦେଖା କରାଯାଉଥିବା ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସ୍ୱରକୁ ଚାପି ଦିଆଯାଉଛି। ଯେଉଁମାନେ ଲୋକଙ୍କ ସହ ନ ରହି କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଆମ ଭଳି ଲୋକ ଯେଉଁମାନେ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଏ ସମ୍ପର୍କରେ ଭାବିବା ପରେ ସେ ଦଳ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଅନ୍ୟପକ୍ଷରେ ଖୁସବୁ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ ନୋ କମେଣ୍ଟ କହି ଚାଲି ଯାଇଥିଲେ। ହେଲେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୁସବୁ ପଦ୍ମ ଧରିବେ। ତାଙ୍କୁ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଯିବ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।