ଅଇଁଠା ଖଲି ଶିଶୁ ଚାଟିବା ଭିଡିଓ ବିକାଶ ଚିତ୍ରକୁ ପଦାକୁ ଆଣିଛି

ବଣେଇ : ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଏ ବାବଦରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ବିକାଶ ନାଁରେ ଚାଲିଛି ପ୍ରଚାର। କିନ୍ତୁ ସେଇ ବିକାଶ ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳର ଗରିବ-ଖଟିଖିଆଙ୍କୁ ଛୁଇଁ ପାରୁନି। ଏହାର ଏକ ନଗ୍ନ ଉଦାହରଣ ଏବେ ବ୍ଳକ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡୁଗୋଠ ସାହିରେ ଦେଖିବାକୁ ମିଳିଛି। ଭୋକ ବିକଳରେ ଅଇଁଠା ଖଲି ଚାଟୁଛି ଜଣେ କଅଁଳ ବୟସର ଶିଶୁ ପୁତ୍ର। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଖବର ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳର ମାଟିତଳେ ଗଚ୍ଛିତ ରହିଛି ବିପୁଳ ପରିମାଣର ଖଣିଜ ସମ୍ପଦ। ଏହାକୁ ନେଇ ଅନେକ ହେଉଛନ୍ତି ହଜାର ହଜାର କୋଟି ଟଙ୍କାର ମାଲିକ। ହେଲେ ସ୍ଥାନୀୟ ଲୋକଙ୍କ ଅବସ୍ଥା ସୁଧୁରୁନି। ସେମାନେ ଆଜି ମଧ୍ୟ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି। ପେଟ ପୋଷିବାକୁ ମୂଳ ମଜୁରୀ ଲାଗୁଥିଲେ ହେଁ ଦିନକୁ ଦୁଇଓଳି ଖାଇବା ସମ୍ଭବ ହେଉନି। ପିଲାମାନେ ହେଉଛନ୍ତି ଅପପୁଷ୍ଟିର ଶିକାର। ଏ କଥା କାହାରି ନଜରକୁ ଆସୁନି।

ଏବେ ସାମ୍ନାକୁ ଆସିଛି କରୁଣ ଦୃଶ୍ୟର ଭିଡିଓ। ଖାଦ୍ୟ ଅଭାବରୁ ଅଇଁଠା ଖଲିରୁ ଖାଦ୍ୟ ଚାଟି ଖାଉଛି ଏକ ଶିଶୁ ପୁତ୍ର। ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଆଉ ଅନୁଧ୍ୟାନ ପରେ ଜଣାପଡିଛି ଘଟଣାଟି କୋଇଡା ବ୍ଳକ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡୁଗୋଠ ସାହିର। ସେହି ପଡାରେ ବସବାସ କରନ୍ତି ଦଶରୁ ବାର ଘର। କିନ୍ତୁ ଅଇଁଠା ଖଲିରୁ ଖାଇଥିବା ଶିଶୁଟି ହେଉଛି ରାବଣ ମୁଣ୍ଡାଙ୍କ ପୁଅ। ତାଙ୍କର ତିନିଛୁଆ ରାଜନ ମୁଣ୍ଡା(୭) ମାଳତୀ ମୁଣ୍ଡା (୫) ଓ ମନୋରଞ୍ଜନ ମୁଣ୍ଡା (୨.୫)। ଖାଦ୍ୟ ଅଭାବରୁ ସେମାନେ ଅପପୁଷ୍ଟିର ଶିକାର ହୋଇଛନ୍ତି। ଗତକିଛି ମାସ ତଳେ ରାବଣର ସ୍ତ୍ରୀ ଆତ୍ମହତ୍ୟା କରିଛି। ଛୁଆମାନଙ୍କ ବୋଝ ଏବେ ତା’ ଉପରେ। ନ ଖଟିଲେ ନ ଚଳେ। ତେଣୁ ଛୁଆଙ୍କୁ ଛାଡି କାମ ଧନ୍ଦା କରିବା ବ୍ୟତୀତ ବିକଳ୍ପ ପନ୍ଥା ନାହିଁ। ଯେଉଁଥିପାଇଁ ଛୁଆଙ୍କ କଥା ସେ ବୁଝି ପାରିନି।

ସେହି ଗ୍ରାମରେ କିଛିଦିନ ତଳେ ଏକ ବାହାଘର ଭୋଜି ହୋଇଥିଲା। ରାବଣର ସାନ ପୁଅ ମନୋରଞ୍ଜନ ଭୋକ ସମ୍ଭାଳି ନ ପାରି ବାହାରେ ପଡିଥିବା ଅଇଁଠା ଖଲିରେ ଲାଗିଥିବା ଖାଦ୍ୟ ଚାଟି ଚାଟି ଖାଇଥିଲା। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି। ଏ ସମ୍ପର୍କରେ ଛୁଆର ବାପା ରାବଣ କହିଛି ଛୁଆଙ୍କୁ ଛାଡି କାମ କରିବାକୁ ଗଲେ ସେମାନେ ଏଣେତେଣେ ବୁଲୁଛନ୍ତି। ତେଣୁ କାମ ଧନ୍ଦା ଛାଡି ଛୁଆମାନଙ୍କୁ ଜଗି ରହିଛି। ପଞ୍ଚାୟତରୁ ମିଳୁଥିବା ଚାଉଳ ଓ ଜାଳେଣି କାଠ ବିକ୍ରକରି ପରିବାର ଚଳାଉଛନ୍ତି।
ଆହୁରି ଦେଖାଯାଇଛି ସାହିର ଉପର ଭାଗରେ ରହିଛି ବଡ ବଡ ଲୁହାପଥର ଖଣି। ହେଲେ କୌଣସି ସୁବିଧା ନାହିଁ। ପଡାରେ ବସବାସ କରୁଥିବା ମହିଳା ଓ ଛୁଆମାନଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ନାହିଁ। ମହିଳାମାନଙ୍କ ଅଭିଯୋଗ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଓ ଅନ୍ୟାନ୍ୟ ଜିନିଷ ଦୁଇରୁ ତିନିମାସ ବ୍ୟବଧାନରେ ମିଳୁଛି। କିନ୍ତୁ ଅଙ୍ଗନୱାଡି କର୍ମୀ କହିଛନ୍ତି ପ୍ରତ୍ୟେକ ମାସରେ ଆସୁଥିବା ଛତୁଆ, ଅଣ୍ଡା ଓ ଲଡୁ ଆଦିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ବଳକା ରୋଷେଇ ଖାଦ୍ୟ ରାବଣର ଛୁଆମାନଙ୍କୁ ଦେଇ ଆସନ୍ତି।