ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ପରୀକ୍ଷା ପୁଣି ଆରମ୍ଭ

ଲଣ୍ଡନ : ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କରିଥିବା କୋଭିଡ୍-୧୯ ଟିକାର ପରୀକ୍ଷା ପୁନର୍ବାର ଆରମ୍ଭ ହୋଇଛି। କମ୍ପାନି ଏକ ବିବୃତିରେ କହିଛି ପରୀକ୍ଷା କରିବା ନିରାପଦ ବୋଲି ‘ମେଡିସିନ୍‌ସ୍ ହେଲ୍‌ଥ୍‌ ରେଗୁଲେଟରି ଅଥରିଟି’ ଠାରୁ (ଏମ୍‌ଏଚ୍ଆର୍‌ଏ) ଅନୁମତି ମିଳିବା ପରେ ଆଷ୍ଟ୍ରାଜେନିକା ଅକ୍ସଫୋର୍ଡ ଟିକା ‘ଏଜେଡ୍‌ଡି ୧୨୨୨’ର ପରୀକ୍ଷା ପୁଣି ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ ଜଣେ ସ୍ଵେଚ୍ଛାସେବୀଙ୍କ ଠାରେ ଅଜଣା ଅସୁସ୍ଥତାର ଲକ୍ଷଣ ପ୍ରକାଶ ପାଇବାରୁ ଅନ୍ୟତମ ଅଗ୍ରଣୀ କୋଭିଡ୍-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଥିଲା। କମ୍ପାନିର ମୁଖପାତ୍ରୀ ମିସେଲ୍ ମୁଇକ୍ସଲ୍ ଏକ ଇମେଲ୍ ବିବୃତିରେ କହିଥିଲେ ଆମର ମାନକ ସମୀକ୍ଷା ପ୍ରକ୍ରିୟା ପ୍ରତିକ୍ରିୟାଶୀଳ ହୋଇ ଉଠିବାରୁ ଟିକାର ନିରାପତ୍ତା ତଥ୍ୟାବଳୀ ଏକ ସ୍ଵାଧୀନ କମିଟି ଦ୍ୱାରା ସମୀକ୍ଷା କରାଇବାକୁ ଆମ୍ଭେ ସ୍ଵେଚ୍ଛାକୃତ ଭାବେ ଟିକାକରଣ ସ୍ଥଗିତ ରଖିଛୁ।

ଟିକାର ନିରାପତ୍ତା ସମୀକ୍ଷା କରିବାକୁ ଏକ ସ୍ଵାଧୀନ କମିଟି ଗଠନ କରାଯାଇଥିଲା। ଇଂଲଣ୍ଡ୍‌ରେ ଟିକା ପରୀକ୍ଷା ପୁନଶ୍ଚ ଆରମ୍ଭ କରିବା ନିରାପଦ ବୋଲି କମିଟି ତା’ର ତଦନ୍ତ ଶେଷ କରି ‘ଏମ୍‌ଏଚ୍ଆର୍‌ଏ’କୁ ସୂଚନା ଦେଇଥିବା କଥା ଆଷ୍ଟ୍ରାଜେନିକା କହିଛି। ସମ୍ପ୍ରତି ସମଗ୍ର ବିଶ୍ଵରେ ଶେଷ ପର୍ଯ୍ୟାୟ ବା ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ସ୍ଥିତିରେ ରହିଥିବା ୯ଟି ଟିକା ମଧ୍ୟରୁ ଆଷ୍ଟ୍ରାଜେନିକାର କ୍ୟାଣ୍ଡିଡେଟ୍‌ ଟିକା ରହିଛି।

ମତାମତ ଦିଅନ୍ତୁ ।