ଅକ୍ସିଜେନ କଳାବଜାରୀ କରି ୩ ବନ୍ଧାହେଲେ

ନୂଆଦିଲ୍ଲୀ : ଅକ୍ସିଜେନ ଓ ନାଇଟ୍ରୋଜେନ ସିଲିଣ୍ଡର କଳାବଜାରୀ କରୁଥିବା ୩ ଜଣଙ୍କୁ ଦକ୍ଷିଣ ଦିଲ୍ଲୀ ପୋଲିସ ଗିରଫ କରିଛି। କରୋନା ସଂକ୍ରମଣ ବୃଦ୍ଧି ଏବଂ ଅକ୍ସିଜେନ ସଙ୍କଟର ଫାଇଦା ଉଠାଇବାକୁ ଏହି ବ୍ୟକ୍ତିମାନେ କଳାବଜାରୀ ଆରମ୍ଭ କରିଥିଲେ।

ଦକ୍ଷିଣ ଦିଲ୍ଲୀ ଡିସିପି ଅତୁଳ ଠାକୁର କହିଛନ୍ତି କିଛି ଲୋକ ମହଙ୍ଗା ଦାମରେ ବ୍ଲାକରେ ଅକ୍ସିଜେନ ବିକ୍ରି କରୁଛନ୍ତି। ସେମାନଙ୍କ ଉପରେ ପୋଲିସ ନଜର ରଖିଥିଲା। ଘିଟୋରନି ମେଟ୍ରୋ ଷ୍ଟେସନ ନିକଟରେ ବ୍ଲାକରେ ସିଲିଣ୍ଡର ବିକ୍ରି ହେଉଥିବା ସୂଚନା ମିଳିବାରୁ ପୋଲିସ ଟିମ ସେଠାରେ ପହଞ୍ଚି ମୋହିତ ନାମକ ଯୁବକକୁ ଗିରଫ କରିଥିଲା। ମୋହିତ ପାଖରୁ ଗୋଟିଏ ବଡ ଓ ଗୋଟିଏ ଛୋଟ ସିଲିଣ୍ଡର ମିଳିଛି। ବଡ ସିଲିଣ୍ଡର ୫୦ ହଜାର ଓ ଛୋଟ ସିଲିଣ୍ଡର ୩୦ ହଜାର ଟଙ୍କାରେ ବିକ୍ରି କରୁଥିବା ସେ ପୋଲିସ ନିକଟରେ ସ୍ଵୀକାର କରିଛି।

ସୁମିତ ଓ ଅହମଦ ନାମକ ଯୁବକ ତାକୁ ସିଲିଣ୍ଡର ଯୋଗଉଥିବା ଜଣାପଡିବା ପରେ ଦିଲ୍ଲୀ ଆୟା ନଗର ଅଞ୍ଚଳରୁ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୪ଟି ଅକ୍ସିଜେନ ସିଲିଣ୍ଡର ଓ ୫ଟି ନାଇଟ୍ରୋଜେନ ସିଲିଣ୍ଡର ସହ ଅନେକ ଫ୍ଲୋମିଟର ଜବତ ହୋଇଛି। ୩ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରି କଳାବଜାରୀ କରୁଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button