ଅକ୍ସିଜେନ ପାଇଁ ବେଦାନ୍ତ ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ଚେନ୍ନାଇ : ଅକ୍ସିଜେନର ଅଭାବ ଏବେ ଜାତୀୟ ଆବଶ୍ୟକତା। ସେଥିପାଇଁ ଚେନ୍ନାଇରେ ବେଦାନ୍ତର ଷ୍ଟେରଲାଇଟ୍ ପ୍ଲାଣ୍ଟ ଖୋଲିବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ କରୋନା ସଙ୍କଟକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏଭଳି ଗୁରୁତର ପରିସ୍ଥିତିକୁ ସାମ୍ନା କରିବା ସହିତ ସଂକ୍ରମଣ କମାଇବା ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରାଇବାକୁ କେନ୍ଦ୍ରକୁ କୁହାଯାଇଥିଲା। ମଙ୍ଗଳବାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଓ ଅନ୍ୟାନ୍ୟ ପକ୍ଷ ମତ ରଖିଥିଲେ। କିନ୍ତୁ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ କହିଛନ୍ତି ଆମେ ଏବେ ବିପଦରେ ରହିଛୁ। ତେଣୁ ଏହାକୁ ରାଜନୀତିକ ପ୍ରସଙ୍ଗ କରାଯାଇ ପାରିବନାହିଁ। ଆମକୁ ଆମ ଦେଶକୁ ସମର୍ଥନ କରିବାକୁ ଯାଇ ଏହି ପ୍ଲାଣ୍ଟ ଖୋଲିବାକୁ ହେବ। ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସଂପୃକ୍ତ କମ୍ପାନୀ ଅକ୍ସିଜେନ ପ୍ଲାଣ୍ଟ ଛଡ଼ା ଆଉ କୌଣସି ପ୍ଲାଣ୍ଟ ଖୋଲିପାରିବେ ନାହିଁ ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ସ୍ପଷ୍ଟ କରିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ପ୍ଲାଣ୍ଟରୁ ଯେଉଁ ଅକ୍ସିଜେନ ତିଆରି ହେବ କମ୍ପାନୀ କେନ୍ଦ୍ରକୁ ଦେବା ଦରକାର। ଯାହାଫଳରେ କେନ୍ଦ୍ର ସମସ୍ତ ରାଜ୍ୟକୁ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ବାଣ୍ଟିପାରିବ। ବେଦାନ୍ତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ଏହି କମ୍ପାନୀ ଆବଶ୍ୟକ ଲୋକଙ୍କ ପାଇଁ କେବଳ ଅକ୍ସିଜେନ ତିଆରି କରିବ। ଆଉ କମ୍ପାନୀ ମାଗଣାରେ ଏହି ଅକ୍ସିଜେନ ଦେବ। ଆଗାମୀ ୧୦ ଦିନ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେବଳ ଅକ୍ସିଜେନ ପ୍ଲାଣ୍ଟ ଚାଲିବ। ପାୱାର ପ୍ଲାଣ୍ଟ ଚାଲିବ ନାହିଁ। କମ୍ପାନୀ ଚାଲିବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ଯୋଗାଇ ଦେବେ।

ବରିଷ୍ଠ ଓକିଲ କଲିନ୍ ଗୋନସାଲଭେସ ଷ୍ଟେରଲାଇଟ୍ ଗ୍ୟାସ୍ ଲିକର ଜଣେ ପୀଡିତଙ୍କ ପକ୍ଷ ରଖି କହିଥିଲେ ଏହି କମ୍ପାନୀ ଜଣେ ଅଭ୍ୟାସଗତ ବେପରୁଆ କମ୍ପାନୀ। ଏହାପରେ ଜଷ୍ଟିସ୍ ଚନ୍ଦ୍ରଚୂଡ କୁହିଥିଲେ ଏବେ ମାଡ୍ରାସ୍ ହାଇକୋର୍ଟଙ୍କ ଅର୍ଡର ବିରୋଧରେ ଶୁଣାଣି କରାଯାଉ ନାହିଁ। ଦେଶକୁ ଅକ୍ସିଜେନର ଆବଶ୍ୟକତା ରହିଛି। ତେଣୁ ଏହି ପ୍ଲାଣ୍ଟକୁ ଚଳାଇବାକୁ ଅନୁମତି ଦିଆଗଲା।

Leave a Reply

Your email address will not be published. Required fields are marked *

Back to top button