ଅକ୍ଟୋବର ୨ରୁ ନଭେମ୍ବର ୨ ଯାଏ ବିଜେଡି କରିବ କରୋନା ଜନସଚେତନତା

ଭୁବନେଶ୍ଵର : କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ଆୟୋଜନ କରିବବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ କର୍ମକର୍ତ୍ତା, ସଂଗଠନ ମୁଖ୍ୟ, ନଗର ଓ ବ୍ଲକ ସଭାପତି, ଜିଲ୍ଲା ପରିଷଦର ସଭାପତି ଏବଂ ଉପ ସଭାପତିଙ୍କୁ ଏକ ପତ୍ର ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଟିକା ଆମ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ମାସ୍କ ହେଉଛି ସୁରକ୍ଷା କବଚ। ତେଣୁ ଦଳର ବିଧାୟକମାନେ ପଞ୍ଚାୟତସ୍ତରରେ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ସଂପର୍କରେ ସଚେତନ କରିବେ। କରୋନାକୁ ରୋକିବା ସହିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସତର୍କ ରହିବା ଜରୁରୀ। କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇନେବା, ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସମ୍ମାନ ପ୍ରଦର୍ଶନ କରିବା ଓ ପ୍ଲାଜମା ଦାନ କରିବା ଲାଗି ଆଗେଇ ଆସିବା ଦରକାର ବୋଲି ଲୋକଙ୍କୁ ବୁଝାଇବେ। କେବଳ ସେତିକି ନୁହେଁ, ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜ୍‌ମା, ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ରକ୍ତଦାନ ଓ ମୃତକଙ୍କ ଶବ ସତ୍କାର ପାଇଁ ‘ଓଡ଼ିଶା ମୋ ପରିବାର’ ନିଷ୍ଠାପର ଉଦ୍ୟମ କରୁଛି। ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଗେଇ ନେବା ଦରକାର ବୋଲି ନବୀନ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ କୋଭିଡ୍ ଚିକିତ୍ସା ବାବଦରେ କାହାରିକୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡୁନାହିଁ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ୩୦ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟିଂ ସହିତ ପାଖାପାଖି ୨ଲକ୍ଷ ଲୋକଙ୍କୁ ସୁସ୍ଥ କରି ରାଜ୍ୟ କୋଭିଡ୍ ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ସରପଞ୍ଚମାନଙ୍କୁ କୋଭିଡ୍ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବାରେ ଓଡ଼ିଶା ଏକମାତ୍ର ଓ ପ୍ରଥମ ରାଜ୍ୟ। ସମୂହ ଟେଷ୍ଟିଂ ଚିହ୍ନଟ ଓ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଓଡ଼ିଶା ଗଞ୍ଜାମ ଜିଲ୍ଲାର ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିପାରିଛି। ଅଧିକ ସଂକ୍ରମିତ ଜିଲ୍ଲାରେ ଏହି ପଦ୍ଧତି ଅବଲମ୍ବନ କରି କୋଭିଡ୍ ସ୍ଥିତିରେ ସୁଧାର ପାଇଁ ଉଦ୍ୟମ ଜାରି ରହିଛି। କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ବିଶ୍ବରେ ଟିକା ପ୍ରସ୍ତୁତି ଜୋରସୋର ଆଗେଇଛି। ସରକାର ନିର୍ଧାରିତ ସମୟରେ ଟିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରସ୍ତୁତକାରୀ ସଂସ୍ଥାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛନ୍ତି। ଏଥିରେ ଓଡ଼ିଶା ସଫଳ ହେବ।

ମତାମତ ଦିଅନ୍ତୁ ।