April 2, 2020

ଦେଶରେ ହୋଲି ଖେଳ ହେଉନଥିବା ଗାଁ

ଭାରତରେ ପୁର ପଲ୍ଲୀରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ହୁଏ ବୋଲି ଆମର ଧାରଣା ରହିଛି। କିନ୍ତୁ ଦେଶ ଭିତରେ ଏମିତି ଅଞ୍ଚଳ ରହିଛି ଯେଉଁଠାରେ ଲୋକେ ହୋଲି ଖେଳନ୍ତି ନାହିଁ। କିଛି କାରଣ ପାଇଁ ଲୋକମାନେ ହୋଲି ଖେଳରୁ ଦୂରେଇ ରହନ୍ତି। ଏପରିକି ୨ଶହ ଓ ଦେଢଶହ ବର୍ଷରୁ ଅଧିକ ଏଇ ରଙ୍ଗର ପର୍ବ ହେବ ପାଳନ ହେଉନଥିବା ଗାଁ’ ସମ୍ପର୍କରେ ଆସନ୍ତୁ ଜାଣିବା।

ଝାରଖଣ୍ଡ ବୋକାରୋ ଜିଲ୍ଲା କସମାର ବ୍ଲକ୍‌ର ଦୁର୍ଗାପୁର। ଏଇ ଗାଁ’ର ଲୋକେ ଗତ ୧୦୦ ବର୍ଷ ହେଲା ହୋଲି ଖେଳି ନାହାନ୍ତି। ଗାଁ’ ଲୋକଙ୍କ ଧାରଣା ରହିଛି ରଙ୍ଗ ଖେଳ ହେଲେ ମହାମାରୀ ବ୍ୟାପୀଯିବ। ତେଣୁ ରଙ୍ଗ ଖେଳ ହୁଏନି କିମ୍ବା ସେହିଦିନ କେହି କାହାକୁ ଶୁଭେଚ୍ଛା ମଧ୍ୟ ଜଣାନ୍ତି ନାହିଁ। ଲୋକ କଥା ଅନୁସାରେ ପୂର୍ବରୁ ସେଠାରେ ରାଜାଙ୍କର ରାଜୁତି ଥିଲା। ହୋଲି ଦିନ ମହାମହାରିରେ ରାଜାଙ୍କ ପୁଅର ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ହୋଲି ବନ୍ଦ। ଯେବେ ବି ଗାଁରେ ହୋଲିର ଆୟୋଜନ କରାଯାଇଛି ସେତେବେଳେ ମହାମାରୀ ବ୍ୟାପୀଛି। ଏପରି ଅଘଟଣ ଯୋଗୁ ହୋଲିଠୁ ଲୋକେ ନିଜକୁ ଦୂରେଇ ରଖିଛନ୍ତି।

ସେହିପରି ଛତିଶଗଡ କୋରବା ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୩୫ କିଲୋମିଟର ଦୂର ଖରହରି ଗାଁର ଲୋକେ ୨୦୦ ବର୍ଷ ହେଲା ହୋଲି ଖେଳୁନାହାନ୍ତି। ହୋଲି ଦିନ ଗାଁରେ ନିଆଁ ଲାଗିଯାଇଥିଲା। ଘରଦ୍ୱାର ଜଳି ଯିବାରୁ ଲୋକେ ବେସାହାରା ହୋଇଯାଇଥିଲେ। କେବଳ ସେତିକି ନୁହେଁ ଗାଁ’ରେ ବ୍ୟାପିଲା ମହାମାରି। ପରିସ୍ଥିତିକୁ ଆହୁରି ଦୁର୍ବିସହ କରିଦେଲା। ଗାଁ’ର ହକିମଙ୍କୁ ଦେବୀ ସ୍ୱପ୍ନାଦେଶ ହେଲା ଆଗକୁ ହୋଲି ଖେଳିବ ନାହିଁ। ସେହିଦିନଠାରୁ ଗାଁ’ରେ ହୋଲି ଖେଳ ହୋଇନି। ଲୋକ କଥାକୁ ଆଜିଯାଏ ଗାଁ’ର ଲୋକେ ବିଶ୍ଵାସ କରୁଛନ୍ତି।

ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା ମୁଲତାଇ ତହସିଲର ଡଡୁଆ ଗାଁ’ରେ ୧୨୫ ବର୍ଷ ହେଲା ହୋଲି ହୋଇନି। ହୋଲି ଦିନ ଗାଁ’ ପ୍ରଧାନ କୂଅରେ ବୁଡି ପ୍ରାଣ ହରାଇଥିଲେ। ଏହି ଦୁଃଖଦ ଘଟଣା ଗାଁ’ ଲୋକଙ୍କୁ ବ୍ୟଥିତ କରିଥିଲା। ସେମାନେ ପ୍ରତିଜ୍ଞା କରିଥିଲେ ଆଉ ହୋଲି ଖେଳିବେ ନାହିଁ। ସେବେଠାରୁ ଗାଁ’ରେ ହୋଲି ଉତ୍ସବ ପାଳିତ ହୁଏନାହିଁ।

ହରିୟାଣା କୈଥଲର ଗୁହଲ୍ଲା ଚିକ୍କା ନିକଟରେ ଏକ ଗାଁ’ରେ ମଧ୍ୟ ହୋଲି ବନ୍ଦ। ଅଭିଶାପ ଯୋଗୁ ଲୋକେ ଦେଢଶହ ବର୍ଷ ହେଲା ହୋଲି ଖେଳୁନାହାନ୍ତି। କୁହାଯାଏ ସେଇ ଗାଁ’ରେ ଜଣେ ଦିବ୍ୟାଙ୍ଗ ସାଧୁ ରହୁଥିଲେ। ଲୋକେ ତାଙ୍କୁ ଥଟ୍ଟାମଜା କରନ୍ତି। ଗାଁ’ରେ ହୋଲି ପର୍ବ ପାଳନ କରାଯାଉଥିବା ବେଳେ ବାବା ନିଆଁକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଅଭିଶାପ ଦେଇଥିଲେ ଗାଁ’ର ଯେଉଁ ଯିଏ ହୋଲି ଖେଳିବ ତାର ବଂଶ ନିବଂଶ ହେବ। ଯଦି ହୋଲିଦିନ କାହା ଘରେ ପୁତ୍ର ସନ୍ତାନ ଜନ୍ମ ହୁଏ କିମ୍ବା ଗାଈ ଶାବକ ଜନ୍ମକରେ ତେବେ ଗାଁ’ ଶାପ ମୁକ୍ତ ହେବ ବାବା କହିଥିଲେ। କିନ୍ତୁ ସେହିଦିନ ଠାରୁ ଆଜିଯାଏ ହୋଲିରେ କାହାର ପୁଅ ଜନ୍ମ ହୋଇ ନାହିଁ। ତେଣୁ ଲୋକଙ୍କ ମନରେ ଅଭିଶାପର ଭୟ ରହିଛି। ଏହି କାରଣରୁ ଗାଁ’ ଲୋକେ ହୋଲି ଖେଳୁ ନାହାନ୍ତି।

Leave a Reply

Your email address will not be published. Required fields are marked *