‘ଓ’ ବ୍ଲଡ଼ ଗ୍ରୁପର ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମିତ ହେବା ସମ୍ଭାବନା କମ୍

Breaking News ବିଚିତ୍ରା

ନୂଆଦିଲ୍ଲୀ : ଦିନକୁ ଦିନ କରୋନ ଭାଇରସ କାୟା ବିସ୍ତାର କରିଚାଲିଛି। ଏହାର ମୁକାବିଲା ପାଇଁ ସବୁ ସ୍ତରରେ ଚାଲିଛି ଉଦ୍ୟମ। ବିଶେଷଜ୍ଞମାନେ ଏହା ଉପରେ ଜାରି ରଖିଛନ୍ତି ଅଧ୍ୟୟନ। ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ମାନଙ୍କର ବ୍ଲଡ଼ ଗ୍ରୁପ ‘ଓ’ ସେମାନେ ଏହି ଭାଇରସ ଦ୍ଵାରା ସଂକ୍ରମିତ ହେବାର ସମ୍ଭାବନା ଅପେକ୍ଷାକୃତ କମ୍‌ ବୋଲି କୁହାଯାଇଛି। କିନ୍ତୁ ବ୍ଲଡ଼ ଗ୍ରୁପ ‘ଏ’ର ବ୍ୟକ୍ତିମାନେ ସଂକ୍ରମିତ ହେବାର ଆଶଂକା ବେଶୀ ବୋଲି ଚୀନ୍‌ରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି।

କରୋନ ଭାଇରସକୁ ନେଇ ଉହାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଝୋଙ୍ଗନାନ ହସ୍ପିଟାଲର କିଛି ଗବେଷକ ଅଧ୍ୟୟନ କରିଥିଲେ। ସେମାନେ ଉହାନ ଓ ସେନଜେନରେ କରୋନା ସଂକ୍ରମିତ ୨୦୦୦ ରୋଗୀଙ୍କୁ ନେଇ କରିଥିଲେ ଗବେଷଣା। ଏହାର ରିପୋର୍ଟ ଅନୁଯାୟୀ ବ୍ଲଡ଼ ଗ୍ରୁପ ‘ଏ’ର ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ଦେହରେ ଭାଇରସ ଯୋଗୁ ତୀବ୍ର ଲକ୍ଷଣ ପ୍ରକାଶ ପାଇଛି। ‘ଓ’ ଗ୍ରୁପ୍‌ ବ୍ୟକ୍ତିଙ୍କ ତୁଳନାରେ ‘ଏ’ ଗ୍ରୁପର ବ୍ୟକ୍ତିମାନେ କରୋନାରେ ୬୩ ପ୍ରତିଶତ ଅଧିକ ସଂକ୍ରମିତ ହୋଇଥିବା କୁହାଯାଇଛି।

ସେହିପରି ୟୁଏସ ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ରିପୋର୍ଟ ଅନୁସାରେ ଭାରତରେ ଅଧିକାଂଶ ଲୋକଙ୍କ ଦେହରେ ‘ଓ’ ଗ୍ରୁପ୍‌ ରକ୍ତ ରହିଛି। ମୋଟ ଜନସଂଖ୍ୟାର ୩୭.୧୨ ପ୍ରତିଶତ ଲୋକଙ୍କର ଏହି ରକ୍ତଗ୍ରୁପ। ୩୨.୨୬ ପ୍ରତିଶତ ଲୋକଙ୍କ ରକ୍ତ ଗ୍ରୁପ୍‌ ‘ ବି’। ୨୨.୮୮ ପ୍ରତିଶତ ଲୋକଙ୍କର ରକ୍ତ ଗ୍ରୁପ ‘ ଏ’ ହୋଇଥିବା ବେଳେ ୭.୭୪ ପ୍ରତିଶତ ଲୋକଙ୍କର ରକ୍ତ ଗ୍ରୁପ ‘ଏବି’। ଆମେରିକାରେ ୪୪ ପ୍ରତିଶତ ଲୋକଙ୍କର ବ୍ଲଡ଼ ଗ୍ରୁପ ‘ଓ’ ହୋଇଥିବା ବେଳେ ୪୧ ପ୍ରତିଶତ ଲୋକଙ୍କର ବ୍ଲଡ଼ ଗ୍ରୁପ ‘ଏ’। ଗବେଷକମାନେ କହିଛନ୍ତି ‘ଏ’ ବ୍ଲଡ଼ ଗ୍ରୁପର ବ୍ୟକ୍ତିମାନେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟାପକ ପଦକ୍ଷେପ ନେବା ଦରକାର। ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତିମାନେ କରୋନରେ ସଂକ୍ରମିତ ହେଲେ ପ୍ରାଥମିକତା ଭିତ୍ତିରେ ଚିକିତ୍ସା କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।

ମତାମତ ଦିଅନ୍ତୁ ।