ଲକଡାଉନରେ ମାଲିକଙ୍କ ପାଇଁ କୁକୁର କଲା ସପିଂ, କିପରି ଜାଣନ୍ତୁ…

କରୋନା ପାଇଁ ଚାରିଆଡ଼େ ଲକଡାଉନ୍ । ଘରୁ ବାହାରିବା ଉପରେ ଲାଗିଛି କଟକଣା । କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଲାଗୁ କରାଯାଇଛି ଏହି ନିୟମ । ଯାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ । ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ସରିଗଲେ କିପରି କିଣିବେ ତାହା ଜାଣିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାର ସରଳ ଉପାୟ ବାହାର କରିଛନ୍ତି । ନିଜ ପୋଷା କୁକୁରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ବ୍ୟବହାର କରୁଛନ୍ତି । ଯାହାକି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ମେକ୍ସିକୋରେ ।

ଏଟୋଂନିୟୋ ମୁନିଜ୍ ନାମକ ଜଣେ ବ୍ୟକ୍ତି ଘରେ ଏକ କୁକୁର ପାଳନ କରିଥିଲେ । ଏହାର ନାମ ଥିଲା ଚିହୁ । ଏଟୋଂନିୟୋ ଚିହୁକୁ ସବୁ ପ୍ରକାର ତାଲିମ ଦେଇଥିଲେ । ସେ ମଧ୍ୟ ମାଲିକଙ୍କ ସବୁ କଥା ମାନୁଥିଲା । ପ୍ରତ୍ୟେକ କାମରେ ସହଯୋଗ କରୁଥିଲା । ନିକଟରେ ଲକଡାଉନ୍ ଯୋଗୁ ଏଟୋଂନିୟୋଙ୍କ ଘରୁ ରାସନ ସାମଗ୍ରୀ ସରି ଯାଇଥିଲା । ହେଲେ କଟକଣା ଯୋଗୁ ସେ ଘରୁ ବାହାରକୁ ଯାଇ ପାରୁନଥିଲେ । କ’ଣ କରିବେ କିଛି ବୁଝି ପାରିଲେନି । କିଛି ସମୟ ପରେ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଥିଲା । ଚିହୁକୁ ସେ ଏହି କାମରେ ଲଗାଇବାକୁ ମନସ୍ଥ କରିଥିଲେ ।

ଯୋଜନା ମୁତାବକ, ରାସନ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଥିଲେ । ଏହାକୁ କୁକୁର ବେକରେ ଲାଗିଥିବା ବେଲ୍ଟରେ ବାନ୍ଧି ଦେଇଥିଲେ । ଏହାସହିତ ୪୦ ଡଲାର ମଧ୍ୟ ବେଲ୍ଟରେ ଖଞ୍ଜି ଥିଲେ । ଘର ନିକଟରେ ଥିବା ଦୋକାନକୁ ଏ ବାବଦରେ ଫୋନ୍ କରି ସବୁ କଥା କହିଥିଲେ । ଏହାପରେ ଚିହୁ ମାଲିକଙ୍କ ନିର୍ଦ୍ଦେଶମାନି ସିଧା ଯାଇଥିଲା ସମ୍ପୃକ୍ତ ଦୋକାନକୁ । ସେଠାରେ ଦୋକାନୀ ତାଲିକା ଦେଖିବା ସହିତ ସମସ୍ତ ଜିନିଷ ପ୍ୟାକ୍ କରିଥିଲା । ବିଲ୍ କରିବା ସହିତ ରାସନ ସାମଗ୍ରୀ ଦେଇଥିଲା । ଏହାପରେ ଡେଲିଭରି ବୟ ସାହାଯ୍ୟରେ ପଠାଇ ଦେଇଥିଲା । ଚିହୁ ଏହାକୁ ଧରି ମାଲିକଙ୍କ ଘରେ ପହଂଚି ଥିଲା ।

ଏନେଇ ଏଟୋଂନିୟୋ କହିଛନ୍ତି, ଚିହୁ ତାଙ୍କୁ ସବୁ କାମରେ ସହଯୋଗ କରେ । ଘରେ ଛୋଟମୋଟ ଯାହା କିଛି କାମ କରିବାକୁ କୁହାଯାଏ ଚିହୁ ତାକୁ ସଠିକ ଭାବେ ପାଳନ କରି ଆସୁଛି । ପେପର ଆଣିବା, ଜିନିଷ ସଜାଡ଼ିବାରେ ସେ ବେଶ ପାରଙ୍ଗମ । ଯଦି ଘରେ କିଛି ଅଦରକାରୀ ଜିନିଷ ପଡ଼ିଥିବ ତେବେ ଚିହୁ ତାକୁ ନେଇ ହଷ୍ଟବିନରେ ପକାଇ ଦେଇଥାଏ । ଏଥିପାଇଁ ତାକୁ ସ୍ୱତନ୍ତ୍ର ପ୍ରକାର ତାଲିମ ଦିଆଯାଇଥିବା ଏଟୋଂନିୟୋ କହିଛନ୍ତି ।

ମତାମତ ଦିଅନ୍ତୁ ।