ଆମ୍ବ ଗଛରେ ଲେମ୍ବୁ ଫଳିଛି

ସକାଳୁ ସକାଳୁ କଥା ପ୍ରଘଟ ହେଲା ଯେ ଆମ୍ବ ଗଛରେ ଲେମ୍ବୁ ଫଳିଛି । କଥାଟା ପ୍ରଘଟ ହେବା ମାତ୍ରେ ଆଖପାଖ ପଡିଶା ସାହୁ ବାବୁଙ୍କ ବଗିଚାକୁ ଦୌଡିଲେ । କେମିତି ଆମ୍ବ ଗଛରେ ଲେମ୍ବୁ ଫଳିଛି ଦେଖିବା ପାଇଁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ । ସତକୁ ସତ ଦେଖିଲା ବେଳକୁ ଆମ୍ବ ଗଛର ଗହଳ ଡାଳ ଭିତରେ ଲେମ୍ବୁ ଫଳିଛି । କଥା ପ୍ରଘଟ ହେବା କ୍ଷଣି ୧୦ମିନିଟ୍ ବି ଯାଇ ନାହିଁ କ୍ୟାମେରା ଓ ବୁମ୍ ଧରି ରିପୋଟରମାନେ ଆମ୍ବ ଗଛରେ ଲେମ୍ବୁ ଫଳି ଥିବାର ଦୃଶ୍ୟ ରେକଡିଙ୍ଗ କରି ଘଟଣାସ୍ଥଳରୁ ପ୍ରତ୍ୟକ୍ଷ ଧାରା ବିବରଣୀ ନ୍ୟୁଜ୍ ରୁମକୁ ପଠାଇଦେଲେ । ଆଖପାଖ ଚା ଦୋକାନୀ, ବରା ଦୋକାନୀ, ପରିବା ବିକାଳି, ମାଛ ବିକାଳି ଆଦି ସମସ୍ତଙ୍କର ଇଣ୍ଟରଭ୍ୟୁ ନେଇଗଲେ । ଅଲୌକିକ ଘଟଣା ଭାବରେ ଆମ୍ବ ଗଛରେ ଲେମ୍ବୁ ଫଳିଛି ବାକ୍ୟଟିକୁ ସିଧା, ବଙ୍କା, ବୁଲେଇ ତେଢେଇ, ପ୍ରଶ୍ନ ବାଚକ, ବିସ୍ମୟ ସୂଚକ, ଆସ୍ତି ବାଚକ, ନାସ୍ତି ବାଚକ ଆଦି ଯେତେ ପ୍ରକାରର ବାକ୍ୟ ଗଠନ କରାଯାଇପାରେ, ସେ ସବୁ କରି ଘଟଣା ସ୍ଥଳରୁ କଥାଟାକୁ ରିପୋଟର ନ୍ୟୁଜ୍ ରୁମକୁ ପଠେଇ ଦେଲେ । ନ୍ୟୁଜ୍ ରୁମରେ ଉଦଘୋଷକ ଆଉ ଟିକେ ବୁଲେଇ ବଙ୍କେଇ, ସିଧା ସଳଖ ଗୋଟିଏ ବାକ୍ୟକୁ ଘଣ୍ଟାଏ ଧରି ଶ୍ରୋତାଙ୍କୁ ଶୁଣାଇବାରେ ଲାଗିଲେ ।

ଏତେ ସବୁ ଗହଳି ଦେଖି ସାହୁ ବାବୁ ପ୍ରଥମେ ୪୫ମିନିଟ କାଳ କଣ ହେଉଛି କିଛି ବୁଝି ପାରିଲେ ନାହିଁ । ତା ପରେ ବୁଝିଲା ବେଳକୁ କଥା ହେଉଛି ତାଙ୍କ ବାଡିର ଆମ୍ବ ଗଛଟିରେ ଲେମ୍ବୁ ଫଳିଛି । କଥାଟା ସେ ନିଜେ ବି ବୁଝି ପାରିଲେ ନାହିଁ, ଏପରି ଅଲୌକିକ ଘଟିଲା କିପରି । ଚାରି ବର୍ଷ ତଳେ ଉଦ୍ୟାନ ବିଭାଗ ବର୍ଷା ଦିନେ ବିଭିନ୍ନ ଫଳ ଚାରା ବିକୁଥିବା ସମୟରେ ସେ ଗୋଟିଏ ଆମ୍ବ ଚାରା ଓ ଲେମ୍ବୁ ଚାରା କିଣି ଆଣି ବାଡିରେ ଲଗାଇଥିଲେ । ଏବେ ଆମ୍ବ ଗଛ ବଡ ହୋଇ ଯାଇଛି ଲେମ୍ବୁ ଗଛରେ ଫଳ ଧରିଛି । ଆମ୍ବ ଗଛ ଡାଳ ସନ୍ଧିରେ ଲେମ୍ବୁ ଗଛର ଡାଳ ଆଗକୁ ବଢିଯାଇ ଲେମ୍ବୁ ଗୁଡାକ ବଡ ବଡ ହୋଇ ଆମ୍ବ ଗଛର ଆଗ ଡାଳରେ ଦେଖାଯାଉଛି । ଆମ୍ବ ପତ୍ର ବଡ ଓ ଲେମ୍ବୁ ପତ୍ର ଛୋଟ ହେତୁ ଲେମ୍ବୁ ପତ୍ର ଦେଖା ନ ଯାଇ କେବଳ ଆମ୍ବ ପତ୍ର ଦେଖା ଯାଉଛି । ଏଣେ ସାହୁ ବାବୁଙ୍କ ଦ୍ବାରରେ ଗୋଟେ ଛୋଟକାଟିଆ ମିନା ବଜାର ଲାଗି ଗଲାଣି । ଆମ୍ବ ଗଛରେ ଲେମ୍ବୁ ଦେଖିବା ପାଇଁ ଲୋକଙ୍କ ଗହଳି ଭିତରେ ଗୋଟେ ଗୁପଚୁପ ବାଲା ବି ଠେଲାଗାଡି ଧରି ପହଞ୍ଚି ଗଲାଣି ।

ଏ ହେଉଛି ଆଜିକା ଦିନର ରିପୋଟିଙ୍ଗ ଓ ସାମ୍ବାଦିକତା । ପାଖାପାଖି ଥିବା ଦୁଇଟି ଗଛ ଭିତରୁ କେବଳ ଗୋଟିଏ ଏମାନଙ୍କୁ ଦେଖାଯାଏ । ଅଗ ଡାଳ ଛାଡି ଗଛର ମୂଳକୁ ଯିବାପାଇଁ ଏମାନଙ୍କ ପାଖରେ ସମୟ ନାହିଁ, ଆଗ୍ରହ ନାହିଁ କି ଜ୍ଞାନ ବି ନାହିଁ । କୌଣସି ଗୋଟିଏ ଘଟଣାକୁ କିଭଳି ଚାଞ୍ଚଲ୍ୟକର ଭାବେ ପରିବେଷଣ କରାଯିବ ତାର କେବଳ ପ୍ରତିଯୋଗିତା ଚାଲିଛି । ସତ୍ୟକୁ ଖୋଜିବାର ପଦ୍ଧତି ଜାଣିଥିଲେ ତ ସତ ଖୋଜିବେ ? ତତ୍କାଳୀନ ଭାବେ ଆଖିକୁ ଯାହା ଦେଖାଗଲା ତାହାହିଁ ସତ୍ୟ , ତାହାହିଁ ସାମ୍ବାଦିକତା ।

ଆଜି ସାମ୍ବାଦିକତାର ଏଭଳି ଅବସ୍ଥା ପାଇଁ କାହାକୁ ଦାୟୀ କରାଯିବ, ଜଣା ପଡେ ନାହିଁ । ଦିନକୁଦିନ ସାମ୍ବାଦିକତାକୁ ସ୍ନାତକୋତ୍ତର ଶିକ୍ଷାର ବିଷୟ ଭାବେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଆଗ୍ରହ । କିନ୍ତୁ ସାମ୍ବାଦିକତା ସହିତ ସମ୍ପର୍କ ଥିବା ଅନୁସନ୍ଧାନ, ଅନୁଭୂତି ପ୍ରକ୍ରିୟା, ସାମ୍ବାଦିକତା ସହ ସମ୍ପର୍କ ଥିବା ଆଇନ, ସମ୍ବିଧାନ ସମ୍ପର୍କରେ ଜ୍ଞାନ, ଏପରିକି ଗଣମାଧ୍ୟମର ସାମାଜିକ ଦାୟିତ୍ୱବୋଧ ଆଦି ସମ୍ପର୍କରେ ସାମାନ୍ୟତମ ଜ୍ଞାନ ନଥିବା ରିପୋଟର ମାନେ ଚାଞ୍ଚଲ୍ୟ ଖେଳାଇବାର ପ୍ରତିଯୋଗିତାକୁ ସାମ୍ବାଦିକତା ବୋଲି ଆଜି ଭାବୁଛନ୍ତି । ଏଇ ନିକଟରେ କେତେକ ବଡ ବଡ ଘଟଣା ଓ ଅଘଟଣ ସମଗ୍ର ଦେଶର ସମ୍ବାଦ ଜଗତର ଶିରୋନାମାରେ ଥିବାବେଳେ କେବଳ ଯାହା ଦେଖିଲେ ସେତିକିକୁ ବୁଲେଇ ବଙ୍କେଇ କହି ଦିନ ତମାମ ଦର୍ଶକଙ୍କ ମୁଣ୍ଡକୁ ଖାଇଲେ ।

ଦେଖୁଥିବା ଘଟଣାଟିର ପୂର୍ବାପର ସମ୍ପର୍କ ଅନୁସନ୍ଧାନ ନ କରି ତତ୍କାଳୀନ ଘଟଣାର ପରିବେଷଣ ଆଜିର ସମ୍ବାଦ ଦୁନିଆରେ ସବୁଠୁ ବେଶୀ ସମୟ ଓ କାଗଜ ନଷ୍ଟ ହେବା ପାଇଁ ଦାୟୀ । ସମ୍ବାଦ ପରିବେଷଣ ସମୟରେ ପ୍ରତ୍ୟକ୍ଷ ଅନୁଭୂତି, ପ୍ରମାଣ ଏବଂ ଆଖି ଦେଖା ସାକ୍ଷୀଙ୍କ ବକ୍ତବ୍ୟ, ପୂର୍ବର ଏହି ଘଟଣାବଳୀର ଉଦାହରଣ ତଥା ପୂର୍ବାପର ସମ୍ପର୍କ ଏବଂ ଏ ସବୁ କିଛି ନ ମିଳିଲେ ସତ୍ୟର ନିକଟବର୍ତ୍ତୀ ଅନୁମାନ କରାଯାଇ କୌଣସିବି ଏକ ଘଟଣାର ବିବରଣୀ ପ୍ରସ୍ତୁତ କରାଯିବା ଉଚିତ । କିନ୍ତୁ ଏ ସବୁ କରିବାକୁ ହେଲେ ଯେତିକି ସମୟ ଓ ଜ୍ଞାନର ଆବଶ୍ୟକତା ଅଛି ତାହା ବର୍ତ୍ତମାନ ଦେଖିବାକୁ ମିଳୁନାହିଁ । ଘଟଣାଟି ଘଟିଲା କେବଳ ତାରି ବର୍ଣ୍ଣନା । କାହିଁକି ଘଟିଲା ସେ କଥାରେ ମୁଣ୍ଡ ପୁରାଇବା ଆଜିର ସାମ୍ବାଦିକତାର ବିଷୟବସ୍ତୁ ବାହାରେ । ଆମ୍ବ ଗଛର ଡାଳ ଭିତରୁ ଲେମ୍ବୁ ଦେଖାଯାଉଥିବା ସତ୍ୟ । କିନ୍ତୁ ଦେଖୁଥିବା ଲୋକଟିର ବିଚାର ଶକ୍ତି ଅଭାବ ବୋଲି ସ୍ପଷ୍ଟ ଦେଖାଯାଉଛି । ଏଭଳି ସାମ୍ବାଦିକତା ଆଉ କେତେ ଦିନ ଚାଲିବ ?

ସୁଧାଂଶୁ ଶେଖର ଧଡା
ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର
ମୋ- ୯୩୩୭୦୧୫୮୮୨

ମତାମତ ଦିଅନ୍ତୁ ।