ଅମ୍ଲଜାନ ବେଡ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ରାଜ୍ୟରେ କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ବଢି ଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ରୋଗୀଙ୍କ ଚିକିତ୍ସା ଉପରେ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀଙ୍କ ପାଇଁ ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବା ସହିତ ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ସଂଖ୍ୟା ବୃଦ୍ଧି କରିବାକୁ କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର କୋଭିଡ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କରୋନାର ଦ୍ୱିତୀୟ ଲହର ଅନ୍ୟ ରାଜ୍ୟରେ ସାଂଘାତିକ ସ୍ଥିତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ସତର୍କ କହିଛନ୍ତି। ଏହାଛଡା କରୋନା ଅତି ଖରାପ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଓ ସମସ୍ତ ରୋଗୀଙ୍କୁ ଯେପରି ଚିକିତ୍ସା ସୁବିଧା ମିଳିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ଅଧିକରୁ ଅଧିକ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅମ୍ଲଜାନ କେତେ ଉପଲବ୍ଧ, କରୋନା ମୁକାବିଲା ପାଇଁ ଆବଶ୍ୟକୀୟ ଔଷଧ କେତେ ପରିମାଣରେ ରହିଛି ଓ ଯେପରି ଅଭାବ ନହୁଏ ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାବ୍ୟତୀତ ବିଭିନ୍ନ ରାଜ୍ୟରେ ଲକଡାଉନ କାରଣରୁ ଏବେ ପ୍ରବାସୀ ଶ୍ରମିକ ପୁଣି ଓଡ଼ିଶା ଫେରିବା ଆରମ୍ଭ କରିଛନ୍ତି। ସେମାନଙ୍କ ଙ୍କ ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଥିଲା ତାହାକୁ ପୁଣିଥରେ ଆରମ୍ଭ କରିବାକୁ କହିଛନ୍ତି। ବାହାରୁ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିବା ବେଳେ କରୋନାର ୨ୟ ଲହର ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ମିଶନ ଶକ୍ତି ଓ ପଞ୍ଚାୟତ ସ୍ତରୀୟ ପ୍ରତିନିଧିଙ୍କୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସହଯୋଗ ବିନା ଏହି ଲଢେଇରେ ବିଜୟ ସମ୍ଭବ ନୁହେଁ। ତେଣୁ ଲୋକଙ୍କୁ କରୋନା ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button