ଅମ୍ଳଜାନ ପାଇଁ ବେଦାନ୍ତ ୟୁନିଟ୍‌କୁ କାହିଁକି ଅଧୀନକୁ ନେଉନାହାନ୍ତି ସରକାର : ସୁପ୍ରିମ୍‌କୋର୍ଟ

0

ନୂଆଦିଲ୍ଲୀ : ଦେଶରେ ଅମ୍ଳଜାନ ଅଭାବ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଅନେକ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଭଳି ସମୟରେ ତୁଟିକୋରିନରେ ଥିବା ବେଦାନ୍ତର ଷ୍ଟର୍ଲିଟ୍‌ ତମ୍ବା ୟୁନିଟ୍‌କୁ ଅମ୍ଳଜାନ ଉତ୍ପାଦନ ପାଇଁ ତାମିଲନାଡୁ ସରକାର କାହିଁକି ନିଜ ଅଧୀନକୁ ନେଊ ନାହାନ୍ତି ବୋଲି ଆଜି ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି।

ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି ୨୦୧୮ ମେ’ ଠାରୁ ବନ୍ଦ ହୋଇପଡ଼ିଥିବା ଏହି କାରଖାନାରୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଉତ୍ପାଦନ କରାଯାଇ ପାରନ୍ତା। ଆମେ ଆଗ୍ରହୀ ନୁହଁ ବେଦାନ୍ତ କିମ୍ବା ଅନ୍ୟ କାହାର ଏ କାରଖାନା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏଠାରୁ ଅମ୍ଳଜାନ ଉତ୍ପାଦନ କରାଯିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏଲ ଏନ ରାଓ ଓ ଜଷ୍ଟିସ୍‌ ଏସ ଆର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ବର୍ତ୍ତମାନ ଦେଶରେ ଅମ୍ଳଜାନ ଅଭାବରୁ ଲୋକେ ଦୟନୀୟ ଭାବେ ମୃତ୍ୟୁବରଣ କରୁଥିବାବେଳେ ଠୋସ୍‌ ବା ବାସ୍ତବ କଥା କୁହାଯିବା ଉଚିତ। ତା’ ଉପରେ କାର୍ଯ୍ୟ କରାଯିବା ମଧ୍ୟ ଆବଶ୍ୟକ।

ଖଣ୍ଡପୀଠ କହିଛନ୍ତି ଏହି ୟୁନିଟ୍‌ରୁ ହଜାରେ ଟନ୍‌ ଅମ୍ଳଜାନ ଉତ୍ପାଦନ ହୋଇପାରିବ। ତାମିଲନାଡୁ ରାଜ୍ୟ ସରକାର ଯଦି ଏହି ପ୍ଲାଣ୍ଟକୁ ହାତକୁ ନେଇ ଅମ୍ଳଜାନ ଉତ୍ପାଦନ କରନ୍ତି ତେବେ ଆମର କୌଣସି ଅସୁବିଧା ନାହିଁ। ଦେଶର ଜାତୀୟ ସମ୍ପତ୍ତିକୁ ନାଗରିକଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯିବା ଉଚିତ ବୋଲି ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି।

Leave A Reply

Your email address will not be published.