ଅମୃତସର ସୀମାରେ ପାକ୍ ଚୋରାଚାଲାଣକାରୀ ନିହତ

ନୂଆଦିଲ୍ଲୀ : ବର୍ଡର୍‌ ସିକ୍ୟୁରିଟି ଫୋର୍ସ ଆଜି ସକାଳେ ଜଣେ ପାକିସ୍ତାନୀ ଚୋରାଚାଲାଣକାରୀକୁ ଗୁଳି ମାରି ହତ୍ୟା କରିଛନ୍ତି। ଅମୃତସର ଜିଲ୍ଲା ଅଞ୍ଜଲା ସବ୍‌ଡିଭିଜନ୍‌ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାନ୍ତ କାକ୍କର୍‌ ବର୍ଡର୍‌ ଆଉଟ୍‌ପୋଷ୍ଟ୍‍ ତାରବାଡ଼ ସେପଟରେ ଏହି ଘଟଣା ଘଟିଛି। ଜବତ ହୋଇଛି ୨୨ କିଲୋ ହେରୋଇନ୍‌ ଓ ୨ଟି ଏକେ-୪୭ ରାଇଫଲ୍‌।

ଖବର ଅନୁଯାୟୀ ଚୋରା ସାମଗ୍ରୀଗୁଡ଼ିକ ଆଣିବାରେ ସହାୟତା କରୁଥିବା ଦୁଇଜଣ ଭାରତୀୟ ନାଗରିକଙ୍କୁ ପୋଲିସ ଚିହ୍ନଟ କରିଛି। ସେମାନେ ହେଲେ ଗୁରଦାସପୁର ଜିଲ୍ଲା ଅନ୍ତର୍ଗତ ଗତ୍ତି ରାଜୋକ ଗାଁ’ର ଜଗଦୀଶ ଭୁରା ଓ ଯଶପାଲ୍‌ ସିଂହ। ପୋଲିସ କହିଛି ବେଲ୍‌ଜିଅମ୍‌ରେ ରହୁଥିବା ଭୁରା ଭାରତରେ ଚାଲିଥିବା ଆଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ। ଦୁହେଁ ପାକିସ୍ତାନର ଆଇଏସ୍‌ଆଇ ସହ ସମ୍ପର୍କ ରଖିଛନ୍ତି। ସେହିପରି ବିଏସ୍‌ଏଫ୍‌ ଓ ଅମୃତସର ଗ୍ରାମୀଣ ପୋଲିସର ମିଳିତ ଅଭିଯାନରେ ଏକେ ସିରିଜ୍‌ର ୪ଟି ମାଗାଜିନ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ଏକ ପ୍ଲାଷ୍ଟିକ୍‌ ପାଇପ୍‌ ମଧ୍ୟ ଉଦ୍ଧାର କରାଯାଇଛି। ଏହି ପାଇପ୍‌ ଦେଇ ଚୋରା ଚାଲାଣକାରୀମାନେ ବାଡ଼ ଏପାଖକୁ ସାମଗ୍ରୀଗୁଡ଼ିକୁ ପଠାଉଥିଲେ।

Leave a Reply

Your email address will not be published. Required fields are marked *

Back to top button