ଅନଲକ-୫: ସାଧାରଣ ସମାବେଶରେ ୧୦୦ ଲୋକଙ୍କୁ ଅନୁମତି, ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ : କରୋନା ସମୟରେ ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା କରିବା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଆସନ୍ତାକାଲି ଠାରୁ କାର୍ଯ୍ୟକାରୀ ହେବ ଅନଲକ-୫। ଏଥିରେ ଅକ୍ଟୋବର ୧୫ରୁ ସିନେମା ହଲ ଗୁଡ଼ିକୁ ଖୋଲିବା ପାଇଁ ମିଳିଛି ଅନୁମତି। କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ।

ନୂଆ ଗାଇଡଲାଇନ ଅକ୍ଟୋବର ୧୫ ପରେ ଦେଶରେ ସ୍କୁଲ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରମାନେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଅଞ୍ଚଳରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ପାଇଁ ଅକ୍ଟୋବର ୧୫ ପରେ ନିଷ୍ପତ୍ତି ନେଇ ପାରିବେ। ଅନ୍ୟପକ୍ଷରେ ଅକ୍ଟୋବର ୩୧ ଯାଏ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ୍ ବଳବତ୍ତର ରହିବ ବୋଲି କୁହାଯାଇଛି।

ସେହିପରି କଣ୍ଟେନମେଣ୍ଟ ଜୋନରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ୧୦୦ ଜଣ ଲୋକ ଯୋଗଦେଇପାରିବେ। ରାଜ୍ୟ ସରକାରମାନେ ଅକ୍ଟୋବର ୧୫ ପରେ ସମାବେଶ ଗୁଡ଼ିକରେ ଲୋକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନୁମତି ଦେଇପାରିବେ। ଆଗକୁ ଦୁର୍ଗାପୂଜା, ଦଶହରା, ଦୀପାବଳି ଭଳି ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ଏହି ଅନୁମତି ପ୍ରଦାନ କରିଛନ୍ତି।

ତେବେ ଯେଉଁ ସବୁ ବନ୍ଦ କୋଠରୀରେ ଉପରୋକ୍ତ ସାମାବେଶ ହେଉଥିବ ସେଠାରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ। ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯିବ। ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମାବେଶରେ ପଡ଼ିଆର ଆକାରକୁ ଦେଖି ରାଜ୍ୟ ସରକାରମାନେ ସମାବେଶ ପାଇଁ ଅନୁମତି ଦେବେ। ସେଠାରେ ମଧ୍ୟ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ସମାବେଶ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିବେ ବୋଲି କୁହାଯାଇଛି।

ଏହାବ୍ୟତୀତ ଖେଳାଳିଙ୍କ ଟ୍ରେନିଂ ଲାଗି ସୁଇମିଂ ପୁଲ୍ ଖୋଲିବ। ସୁଇମିଂ ପୁଲ୍ ଲାଗି ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଏସଓପି ନିର୍ଦ୍ଧାରଣ କରିବ। ଅକ୍ଟୋବର ୧୫ରୁ ପ୍ରମୋଦ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଏଥିପାଇଁ କଡ଼ା ନିୟମ ମାନିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏସ୍ଓପି ଜାରି କରିବେ। ବ୍ୟବସାୟିକ ପ୍ରଦର୍ଶନୀ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ବାଣିଜ୍ୟ ବିଭାଗ ଏଥିପାଇଁ ଏସଓପି ଜାରି କରିବ କୁହାଯାଇଛି।

କଣ୍ଟେନମେଣ୍ଟ ଜୋନ୍‌ରେ ଏହି ନିଷେଧାଦେଶ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏବଂ କୋଭିଡ୍‌-୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ।।

କଣ୍ଟେନମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାରମାନେ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍‌ ଲାଗୁ କରିପାରିବେ ନାହିଁ। ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍‌-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ବାହାରେ କୌଣସି ଅଞ୍ଚଳରେ ଲକ୍‌ଡାଉନ୍‌ ଲଗାଇବାକୁ ଚାହିଁବେ, ତେବେ ସେମାନଙ୍କୁ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ସୂଚୀତ କରି ଅନୁମତି ଆଣିବାକୁ ପଡିବ।

ମତାମତ ଦିଅନ୍ତୁ ।