ଅଣପରିବହନ ଗାଡ଼ି ଭଡ଼ାରେ ଲଗାଇଲେ ମାମଲା

ଭୁବନେଶ୍ୱର : ଏଣିକି ଘରୋଇ ବ୍ୟବହାର ଗାଡିକୁ ଭଡ଼ାରେ ଲଗାଇଲେ ମାମଲା ଋଜୁହେବ। ଏହାକୁ ରୋକିବା ପାଇଁ ପରିବହନ ବିଭାଗ ନିୟମକୁ କଡ଼ାକଡ଼ି କରିଥିବା ବେଳେ ଉଲଂଘନ ହେଲେ ଗାଡ଼ି ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି।

ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ଗାଡ଼ି ଭଡ଼ାରେ ଲାଗି ପାରିବ । ଏହି ଗାଡ଼ିର ହଳଦିଆ ରଙ୍ଗର ନମ୍ବର ପ୍ଲେଟ ଉପରେ କଳା ରଙ୍ଗରେ ନମ୍ବର ଲେଖା ହୋଇଥିବା ସହିତ ଗାଡ଼ି କାଗଜପତ୍ର ଠିକ୍ ଥିବା ଆବଶ୍ୟକ। ସେହିପରି କୌଣସି ସରକାରୀ ସଂସ୍ଥା ଘରୋଇ ଗାଡ଼ିକୁ ଭଡ଼ାରେ ନେଇପାରିବେ ନାହିଁ । ଯଦି କୌଣସି ସରକାରୀ ସଂସ୍ଥା ବା ଅଧିକାରୀ ଏଭଳି କରିବେ ତାଙ୍କ ନାଁରେ ଆଇପିସିର ଧାରା ୧୮୮ ଅନ୍ତର୍ଗତ ମାମଲା ରୁଜୁ ହେବା ସହ ସରକାରୀ କାର୍ଯ୍ୟରେ ଭଡ଼ାରେ ଲାଗିଥିବା ଗାଡ଼ି ବିରୁଦ୍ଧରେ ଇ-ଚାଲାଣ ଜାରି ହେବା ସହ ସେହି ଗାଡ଼ିକୁ ବ୍ୟବସାୟିକ ପାସେଞ୍ଜର ଗାଡ଼ି (ଟ୍ରାନ୍ସପୋର୍ଟ ବର୍ଗ)କୁ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଦର୍ଶାଇଛନ୍ତି ମୋଟରଯାନ ଆଇନ-୧୯୮୮ର ଉଲ୍ଲଘଂନ କରି ବେଆଇନ ଭାବେ ଅନେକ ଘରୋଇ ପାସେଞ୍ଜର ଗାଡ଼ିକୁ ସରକାରୀ ସଂସ୍ଥା ଓ ଅଧିକାରୀମାନେ ଭଡ଼ାରେ ନେଉଥିବା ଦେଖିବାକୁ ମିଳୁଛି। ତେଣୁ ଏଣିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସରକାରୀ ଉଦ୍ୟୋଗ, ପୌର ସଂସ୍ଥା, ସ୍ୱୟଂଶାସିତ ସଂସ୍ଥା, ଶିଳ୍ପ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ କେବଳ ମୋଟର କ୍ୟାବ, ମାକ୍ସି କ୍ୟାବ ଓ ଓମନି ବସ ଯାହାକି ଟ୍ରାନ୍ସପୋର୍ଟ ବର୍ଗରେ ପଞ୍ଜିକୃତ ହୋଇଥିବ ଗଡିକୁ ଭଡ଼ାରେ ନେଇପାରିବେ।

ମତାମତ ଦିଅନ୍ତୁ ।