ଅନ୍ଧବିଶ୍ୱାସର ଜାଲରେ ବିଶ୍ଵମଡକ କରୋନା

ବର୍ତ୍ତମାନ ବିଶ୍ଵ ମଡକ କରୋନା କବଳରୁ ମୁକ୍ତି ପାଇବା ପାଇଁ ଦିନ ରାତି ଏକ କରି ଔଷଧ ଏବଂ ପ୍ରତିଷେଧକ ଉଦ୍ଭାବାବନରେ ସମଗ୍ର ବିଶ୍ଵର ଚିକିତ୍ସକ ଏବଂ ବୈଜ୍ଞାନିକମାନେ ଗବେଷଣା କରୁଥିବା ସମୟରେ ଆମ ଦେଶରେ କେତେକ ବିଚିତ୍ର ଏବଂ ହାସ୍ୟାସ୍ପଦ ଘଟଣା ସବୁ ଘଟୁଛି। ସଙ୍ଗରୋଧ ମାଧ୍ୟମରେ ଏହାର ସଂକ୍ରମଣକୁ ରୋକାଯାଇପାରିବ ବୋଲି ଜଣା ପଡିବା ପରେ ଜନ ଗହଳି ହେଉଥିବା ଦୋକାନ, ବଜାର, ହାଟ, ଶିକ୍ଷାନୁଷ୍ଠାନ, ହୋଟେଲ, ଯାତ୍ରୀ, ପରିବହନ ବ୍ୟବସ୍ଥା ଏପରିକି ଧର୍ମପୀଠ ଗୁଡିକର କବାଟ ବନ୍ଦ କରିଦିଆଯାଇଛି। ଜନଗହଳି ହେଉଥିବା ସମସ୍ତ କାର୍ଯ୍ୟ କଳାପକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ପ୍ରାର୍ଥନା ସଭାରୁ ଶୋକ ସଭା, ବିବାହ ଉତ୍ସବରୁ ପର୍ବ ପାଳନ ପର୍ଯ୍ୟନ୍ତ ସବୁକିଛି ବନ୍ଦ କରାଯାଇଛି, କିମ୍ବା ସର୍ବନିମ୍ନ ସଂଖ୍ୟକ ଲୋକଙ୍କୁ ନେଇ ଏସବୁ ହେଉଛି। ବର୍ତ୍ତମାନ କେବଳ ଗବେଷଣାଗାର ଏବଂ ଡାକ୍ତରଖାନାର ଦ୍ଵାରକୁ ଛାଡି ଦେଲେ ଆଉ କୌଣସି ସ୍ଥାନକୁ ବିନା ଅନୁମତିରେ ଯାଇ ହେଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସା ବିଜ୍ଞାନର ଲବ୍ଧ ଜ୍ଞାନରେ ବିଶ୍ଵବ୍ୟାପୀ ରୋଗୀଙ୍କ ଚିକିତ୍ସା ହେଉଛି। ଔଷଧ ଏବଂ ପ୍ରତିଷେଧକ ଉଦ୍ଭାବନରେ ଆମଦେଶ ବିଶ୍ଵର ଅନ୍ୟାନ୍ୟ ରାଷ୍ଟ୍ର ସହିତ ପ୍ରତିଯୋଗିତା କରୁଥିବା ସମୟରେ ଦେଶର କେତେକ ସ୍ଥାନରେ ଆଉ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଈଶ୍ଵରଙ୍କ ଭରଷାରେ ତଥା ଅଲୌକିକ ଶକ୍ତି ସାହାଯ୍ୟରେ କରୋନା ରୋଗୀକୁ ସୁସ୍ଥ କରିବା, ଏପରିକି ଦେଶରୁ ଏହି ମହାମାରୀକୁ ହଟାଇ ଦିଆଯିବାରେ କିଛି ବ୍ୟକ୍ତି ସକ୍ଷମ ବୋଲି ଦାବି କରିଛନ୍ତି। କରୋନା ଭୁତାଣୁକୁ ଧର୍ମଗ୍ରନ୍ଥ ଏବଂ କିମ୍ବଦନ୍ତୀ ଚରିତ୍ର ରାକ୍ଷସ ଭାବରେ ଅଭିହୀତ କରି କେହି ମନ୍ତ୍ର ଫୁଙ୍କିବାକୁ ଆରମ୍ଭ କଲେଣି ତ ଆଉ କେହି ହୋମଯଜ୍ଞ ଆୟୋଜନ କରିଲେଣି। ଗୋମୂତ୍ରରୁ ଆରମ୍ଭ କରି ଅଦା, ହଳଦୀ, ତୁଳସୀ ପତ୍ର, ଆଦି ବିଭିନ୍ନ ପଦାର୍ଥକୁ କରୋନା ବିନାଶକ ଭାବରେ କେହି କେହି ଦାବି କଲେଣି। ବିଭିନ୍ନ ଅବାନ୍ତର ଦାବି ମଧ୍ୟରୁ ଏବେ ଭୁବନେଶ୍ୱରର ଜଣେ ବାବା ଛୁଇଁ ଦେଲେ, ମାଲିସ କରିଦେଲେ, ଝଡାଫୁଙ୍କା କରିଦେଲେ, ଏପରିକି ଟେଲିଫୋନ ମାଧ୍ୟମରେ ତଡିଦେବା ତଥା ରୋଗୀକୁ ସୁସ୍ଥ କରିଦେଇ ପାରିବାର ଦାବି ରାଜ୍ୟରେ ହଟ ଚମଟ ସୃଷ୍ଟି କରିଛି। ଏହି ଭଳି ଦାବି ନେଇ ଏହି ବାବା ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ମଧ୍ୟ ଚିକିତ୍ସା ଅନୁମତି ମାଗିଲେଣି। ଏହି ଉପାୟରେ ଗତ ଆଠବର୍ଷ ହେଲା ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିଆସୁଛନ୍ତି ଏବଂ ଶହଶହ ରୋଗୀଙ୍କୁ ସୁସ୍ଥ କରିଥିବାର ଦାବି ମଧ୍ୟ ରଖିଛନ୍ତି। ଓଡିଶାରେ କରୋନା ଏବେ ଡାକ୍ତରଙ୍କ ଜାଲରେ ଅଛି କିମ୍ବା ବାବାଙ୍କ ଜାଲରେ ଅଛି, ଜାଣିବାର ଦ୍ଵନ୍ଦ୍ଵ ଉପୁଜିଛି । କେତେକ ଅବାନ୍ତର ଯୁକ୍ତି ମଧ୍ୟ ଲୋକମାନଙ୍କ ଠାରେ ବାବାଙ୍କ ପକ୍ଷ ନେଇ ଦେଖିବାକୁ ମିଳୁଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କିଛି ରୋଗୀ ମୃତ୍ୟୁ ମୁଖରେ କାହିଁକି ପଡୁଛନ୍ତି ବୋଲି ବାବା ଏକ ପ୍ରଶ୍ନ ପଚାରିଛନ୍ତି। ତେଣୁ ତାଙ୍କ ଅଲୌକିକ ଚିକିତ୍ସାରେ ରୋଗୀ ମରିଗଲେ ତାଙ୍କୁ ଦୋଷ ଦେବା ଯୁକ୍ତି ସଙ୍ଗତ ନୁହେଁ ବୋଲି କହିଛନ୍ତି। ଏହି ଉକ୍ତି ଉପରକୁ ଯଥାର୍ଥ ବୋଧ ହେଉଥିଲେ ମଧ୍ୟ ଏହାକୁ ଭିତ୍ତି ହୀନ ବିତଣ୍ଡା ଭାବରେ ଖଣ୍ଡନ କରିବା ପାଇଁ ଅନେକଙ୍କ ନିକଟରେ ଉତ୍ତର ନାହିଁ। ଏଣେ କିଛି ବ୍ୟକ୍ତି ବାବାଙ୍କ ଅଲୌକିକ ଶକ୍ତି ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବା ଉଚିତ୍ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମତ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ବାବାଙ୍କ ବିରୋଧୀ ଏବଂ ସମର୍ଥକ ମାନଙ୍କର ଏକ ପ୍ରକାରର ତର୍କଯୁଦ୍ଧ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରି ଦେଇଛି । ଆଉ କେତେକ ସ୍ଥାନରେ ଦେଖାଗଲାଣି ଯେ ଯୁକ୍ତି ସଙ୍ଗତ ତର୍କ ପରିବର୍ତ୍ତେ ଏହା ବ୍ୟକ୍ତିଗତ ଚରିତ୍ର ସଂହାରର ବିଷୟ ପାଲଟି ଯାଉଛି ।

ଚିକିତ୍ସା ସମ୍ପର୍କିତ ଦେଶରେ ପ୍ରଚଳିତ ବିଭିନ୍ନ ଆଇନକୁ ତର୍ଜମା କରିଲେ ଦେଖାଯାଏ ଯେ ଚିକିତ୍ସା ବିଜ୍ଞାନର କୌଣସି ବିଶ୍ଵବିଦ୍ୟାଳୟରୁ ସ୍ଵୀକୃତି ପ୍ରାପ୍ତ ଡିଗ୍ରୀ ନ ଥିଲେ ଜଣେ ରୋଗୀ ସେବା କରିପାରିବ ନାହିଁ। ଦ୍ୱିତୀୟ ସର୍ତ୍ତଟି ହେଉଛି ରୋଗୀ ଚିକିତ୍ସା ନିମିତ୍ତ ଚିକିତ୍ସିତ ଏକ ଲାଇସେନ୍ସ ପାଇବା ଜରୁରୀ। ଏହି ବାବାଙ୍କ କ୍ଷେତ୍ରରେ ଏହି ଦୁଇଟି ଯାକ ଆଇନଗତ ଅବମାନନା ବା ଉଲଙ୍ଘନ ଘଟିଛି। ଚିକିତ୍ସା ସମୟରେ ରୋଗୀଙ୍କ ମୃତ୍ୟୁକୁ ଅତି ହାଲକା ଏବଂ ସାଧାରଣ ଘଟଣା ଭାବେ ନେଇ ଡାକ୍ତରଖାନା ରେ ମଧ୍ୟ ରୋଗୀଙ୍କ ମୃତ୍ୟୁର ଉଦାହରଣ ଦେବା ଏକ ପ୍ରକାରର ସାମାଜିକ ବଦମାସୀ। କାରଣ ବଂଚିବା ନିମିତ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଖାଦ୍ୟ ନ ମିଳିଲେ ଯାହା ଖାଦ୍ୟ ନୁହେଁ ବା ଅଖାଦ୍ୟ ଖାଇବାର ଉଦାହରଣ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥାଏ। ମରୁଡି ପଡୁଥିବା ଅଂଚଳ, ଦୁର୍ଗମ ଅଂଚଳ ଆଦିରେ ଏସବୁ ଘଟେ। ଖାଦ୍ୟ ଖାଇ ମୃତ୍ୟୁ ବରଣ କରିବା ଏବଂ ଅଖାଦ୍ୟ ଖାଇ ମୃତ୍ୟୁ ବରଣ କରିବା ଏକାକଥା ନୁହେଁ । ଠିକ୍ ସେହିପରି ଆଧୁନିକ ଚିକିତ୍ସା ବିଜ୍ଞାନର ପରିସରରେ ମୃତ୍ୟୁ ବରଣ କରିବା ଏବଂ ଅବୈଜ୍ଞାନିକ ଅନ୍ଧବିଶ୍ଵାସ ପୂର୍ଣ୍ଣ ରହସ୍ୟମୟ ଚିକିତ୍ସାର ପରିସରରେ ମୃତ୍ୟୁ ବରଣ କରିବା ଏକାକଥା ନୁହେଁ। ଖାଦ୍ୟ ଖାଇ ମଧ୍ୟ ମୃତ୍ୟୁ ଘଟୁଛି, ତେଣୁ ଅଖାଦ୍ୟ ଖାଇବାରେ ଅସୁବିଧା କଣ ? କିମ୍ବା ଅଖାଦ୍ୟ ଖାଇବାକୁ ଏକ ସୁଯୋଗ ଦିଆଯାଉ ବୋଲି ଯୁକ୍ତି ଦର୍ଶାଇବା ସୁସ୍ଥ ମସ୍ତିଷ୍କର ପରିଚୟ ନୁହେଁ। ବିଫଳତାକୁ ପ୍ରଶ୍ନ କରିଲେ ଆଉ ଏକ ବିଫଳତାର ଉଦାହରଣ ଉତ୍ତର ନୁହେଁ।

ଆଧୁନିକ ଚିକିତ୍ସା ବିଜ୍ଞାନ ମନୁଷ୍ୟ ଶରୀରର ବାସ୍ତବ ଶରୀର ଗଠନ ଏବଂ ଅବଧାରଣାକୁ ନେଇ ଗଢି ଉଠିଛି। ଏହି ଅବଧାରଣା ପାଇବା ପଛରେ ହଜାର ହଜାର ବର୍ଷର ନୀରିକ୍ଷଣ, ପରୀକ୍ଷଣ ଆଦି ରହିଛି। ପ୍ରତ୍ୟେକଟି ଔଷଧ ଶରୀରରେ ସୃଷ୍ଟି କରୁଥିବା ପ୍ରଭାବର ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି। ଏହା ଉପରେ ପ୍ରଶ୍ନ ଚିହ୍ନ ଉଠିଲେ ଚିକିତ୍ସା କରୁଥିବା ଡାକ୍ତର ଆଇନର ପରିସରରେ ଉତ୍ତର ରଖିବାକୁ ବାଧ୍ୟ। ଅନ୍ୟ ପକ୍ଷରେ ସ୍ପର୍ଶ, ମାଲିସ, କୁଣ୍ଢାଇବା, ଗୋଇଠା ମାରିବା, ମନ୍ତ୍ର ଫୁଙ୍କିବା, ଟେଲିଫୋନ ମାଧ୍ୟମରେ ମନ୍ତ୍ର ଫୁଙ୍କି ରୋଗ ଭଲ କରିବା ଆଦିର ପଦ୍ଧତି କଣ ବୋଲି ପ୍ରଶ୍ନ କରିଲେ ଏହାର ଉତ୍ତର ନାହିଁ। କାରଣ ଏସବୁ ଚିକିତ୍ସା ପଦ୍ଧତି ନୁହେଁ। ଏଭଳି ପଦ୍ଧତିକୁ ସମର୍ଥନ କରି ସୁଯୋଗଟିଏ ଦେବାକୁ ମତ ଦେଉଥିବା ଲୋକେ ନିଜର ଓ ପରିବାର ସଦସ୍ୟଙ୍କ ଚିକିତ୍ସା ପାଇଁ କେବେହେଲେ ଏପରି ପଦ୍ଧତି ଆପଣେଇବେ ନାହିଁ। ବିଭିନ୍ନ ପ୍ରକାରର ଅଣୁଜୀବ ଶରୀରରେ ରୋଗ ସୃଷ୍ଟି କରିଥାନ୍ତି। ଶରୀରରେ ସେମାନଙ୍କୁ ମାରିବା ପାଇଁ ଔଷଧ ଆବଶ୍ୟକ। ଚୁମ୍ବନ, ଆଲିଙ୍ଗନ, ଗୋଇଠା, ଲେମ୍ବୁ ନୁହେଁ। ଏକବିଂଶ ଶତାବ୍ଦୀରେ ଚିକିତ୍ସାର ଏପ୍ରକାର ପ୍ରଣାଳୀ ସମାଜକୁ ହଜାର ହଜାର ବର୍ଷ ପଛକୁ ନେଇଯିବ। ଏହି ଅବୈଜ୍ଞାନିକ ଓ ଅନ୍ଧବିଶ୍ୱାସ ପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀମାେନ ଚିକିତ୍ସା ଖର୍ଚ୍ଚ ହେଉ କିମ୍ବା ଦାନ ଭାବରେ ହେଉ ବାବାଙ୍କୁ ଦେଉଥିବା ଅର୍ଥର ବାର୍ଷିକ ପରିମାଣ ପଚାଶ ଷାଠିଏ ଲକ୍ଷରୁ କମ ନୁହେଁ। ଝଡାଫୁଙ୍କା ଚିକିତ୍ସା ପଦ୍ଧତି \”ଓଡ଼ିଶା ଗୁଣିଗାରେଡି ନିରୋଧ ଆଇନ – ୨୦୧୩ \” ଏବଂ \”ଦି ଡ୍ରଗସ ଏଣ୍ଡ ମ୍ୟାଜିକ ରିମେଡିଜ (ଅବଜେକ୍ସନେବୁଲ ଆଡଭାଟାଇଜମେଣ୍ଟ ଆକ୍ଟ ୧୯୫୪) \” ଅନୁଯାୟୀ ଦଣ୍ଡନୀୟ ଅପରାଧ। ଭାରତୀୟ ଦଣ୍ଡବିଧି ସଂହିତା ୧୮୬୦ରେ ଉଲ୍ଲଖିତ ବିଭିନ୍ନ ଧାରାରେ ମଧ୍ୟ ଏ ପ୍ରକାରର ଚିକିତ୍ସା ଅପରାଧ। ଗୁଣିଗାରେଡି ଝଡାଫୁଙ୍କା ଆଦି ପଦ୍ଧତିରେ ଚିକିତ୍ସା କରି ଗତ ଆଠବର୍ଷ ହେଲା ସଫଳ ହୋଇଥିବାର ଗଣମାଧ୍ୟମରେ ଦାବି, ପ୍ରକାରନ୍ତରେ ପ୍ରଚାର ଏକ ଧର୍ତ୍ତବ୍ୟ ଅପରାଧ। କରୋନା ଭଳି ରୋଗୀଙ୍କୁ ସୁସ୍ଥ କରିଦେଇଥିବା ଦାବି ଅବାନ୍ତର ଓ ଧର୍ତ୍ତବ୍ୟ ଅପରାଧ। କରୋନା ରୋଗୀଙ୍କୁ ସୁସ୍ଥ କରିଥିବାର ଦାବି ଏବଂ କରୋନା ରୋଗୀ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁମତି ମାଗିବା ଏକ ପରସ୍ପର ବିରୋଧୀ ମନ୍ତବ୍ୟ। ଗୋଟିଏ ରାଜ୍ୟର ରାଜଧାନୀ ଉପରେ ଜଣେ ଝଡାଫୁଙ୍କା କିମ୍ବା କ୍ଵାକବୃତ୍ତିରେ ଆଠବର୍ଷ ହେଲା ଅର୍ଥ ଉପାର୍ଜନ କରୁଛନ୍ତି। ଏଭଳି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିକିତ୍ସା ଅନୁମତି ପାଇଁ ପତ୍ର ଲେଖିବା ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା ।

ଏକ ସଭ୍ୟ ସମାଜରେ ଅନ୍ଧବିଶ୍ୱାସର ଜାଲରେ ବିଶ୍ଵ ମଡକ କରୋନାକୁ ନେଇ ସର୍ବ ସାଧାରଣ ବିଭ୍ରାନ୍ତ ହୋଇ ସାରିଲେଣି। ଏଥିପାଇଁ ଦିନକୁ ଶହେରୁ ଦୁଇ ଶହ ରୋଗୀଙ୍କ ଚିକିତ୍ସା କରୁଥିବା ଏହି ବାବା ଗଣମାଧ୍ୟମରେ ଦାବି କରୁଛନ୍ତି। କରୋନାକୁ ଦେଶରୁ ତଡି ଦେବାରେ ସକ୍ଷମ ବୋଲି ହାସ୍ୟାସ୍ପଦ ସୃଷ୍ଟି କରୁଛନ୍ତି। ଏବେ ଏଭଳି ବିଭିନ୍ନ ଆଇନ ଉଲଙ୍ଘନ କରି ସରକାରଙ୍କୁ ଆହ୍ଵାନ ଦେବା ଘଟଣା ଉପରେ ସରକାର ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ସୁଧାଂଶୁ ଶେଖର ଧଡା
ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର
ମୋ-୯୩୩୭୦୧୫୮୮୨

ମତାମତ ଦିଅନ୍ତୁ ।