ଅନେକ ପ୍ରଶ୍ନ ଯାହାର ଉତ୍ତର ମିଳୁନି

0

॥ ଗୋପାଳ ମହାପାତ୍ର ॥ ବିଶ୍ୱର ଅନେକ ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଭାବ ଦେଖିବାକୁ ମିଳୁଛି। କିନ୍ତୁ ଭାରତରେ ଏହା ଧାରଣ କରିଛି ବିକରାଳ ରୂପ। ଦେଶରେ ଅମ୍ଳଜାନ (ଅକ୍ସିଜେନ)ର ଅଭାବ, ଡାକ୍ତରଖାନା ମାନଙ୍କରେ ଶଯ୍ୟା ଓ ଔଷଧର ଅଭାବ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳମାନେ (ଶାସକ ଓ ବିରୋଧୀ) ମିଳିମିଶି ଏଭଳି ରାଷ୍ଟ୍ରୀୟ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି।

ଦେଶରେ କରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଏବେ ଦେଶକୁ ଈଶ୍ୱର ହିଁ ଭରଷା। କରୋନା ଭୟରେ ଲୋକେ ଆତଙ୍କିତ ହୋଇ କାଳାତିପାତ କରୁଛନ୍ତି। କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଅନେକ ପ୍ରଶ୍ନ ଉଠୁଛି। ହେଲେ ସେ ସବୁ ପ୍ରଶ୍ନର ଉତ୍ତର ମିଳୁନାହିଁ। ଏହାର ଉତ୍ତର ନିଶ୍ଚିତ ଭାବେ ଦେଶର ଜନସାଧାରଣ ଜାଣିବା ଉଚିତ୍। ଯେଉଁସବୁ ପ୍ରଶ୍ନ କରୋନା କାଳରେ ଉଠୁଛି ସେଥିମଧ୍ୟରୁ ଅନେକ ପ୍ରଶ୍ନ କେତେକ ଦାୟୀତ୍ୱବାନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଛି। କିଛିଦିନ ତଳେ ଜଣେ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବାସ୍ତବରେ କରୋନା ବୋଲି ମହାମାରୀ ଅଛି ନା ନାହିଁ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ରଚାଯାଇଥିବା ଏକ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ନୁହେଁ ତ ? ଟିକା ବା ଔଷଧ ବିକ୍ରି ପାଇଁ ଏକ ସୁନିୟୋଜିତ ଷଡ଼ଯନ୍ତ୍ର ନୁହେଁ ତ ? ଏଭଳି ପ୍ରଶ୍ନ ଉଠିବାର କାରଣ ମଧ୍ୟ ରହିଛି। କାରଣଟି ହେଉଛି ବିଶ୍ୱ ବ୍ୟାପାର ସଂଗଠନର ରୂପରେ ବିଶ୍ୱର ଅନେକ ଦେଶର ସରକାର ନୂଆ ବ୍ୟବସାୟିକ ନୀତି ପ୍ରଣୟନ ପାଇଁ ବାଧ୍ୟ ହୋଇଥିଲେ। ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିବାଦୀୟ କୃଷି ଆଇନ ମଧ୍ୟ ଏଭଳି ଚାପର ପରିଣତ ବୋଲି କୁହାଯାଉଛି। ବିଶ୍ୱର ବୃହତ୍ ଓ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ନିର୍ମାଣକାରୀ ଦେଶ ଅନ୍ୟ ଦେଶମାନଙ୍କୁ ପ୍ରଭାବିତ କରି ତଥା ନିଜେ ଶୀତଳ ଯୁଦ୍ଧର ବାତାବରଣ ସୃଷ୍ଟି କରି ଅସ୍ତ୍ରଶସ୍ତ୍ର ବିକ୍ରି କରି ଚାଲିଛନ୍ତି। ଏହା ସେଭଳି କିଛି ନୁହେଁ ତ ? ବର୍ତ୍ତମାନ କରୋନାର ବିଶ୍ୱସ୍ତରରେ ଦୁଷ୍ପ୍ରଭାବ ହେଉଛି ସ୍ୱୟଂ ଏହି ପ୍ରଶ୍ନର ଉତ୍ତର। କିନ୍ତୁ ଯେତେବେଳେ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ହୋଇଛି ବୋଲି ସନ୍ଦେହ ଜାଗୃତ ହୁଏ ସେତେବେଳେ ସମଗ୍ର ବିଶ୍ୱ ଚୀନକୁ ଏଥିପାଇଁ ଦାୟୀ କରିବା ଘଟଣା ମନକୁ ଆସିଯାଏ। ଚୀନ ଘଟଣା ପାଇଁ ଦାୟୀ ନୁହେଁ ବୋଲି ମଧ୍ୟ କୁହାଯାଇପାରିବ ନାହିଁ। ସବୁଠାରୁ ବଡ଼ କଥା ହେଉଛି ଏମସର ନିର୍ଦ୍ଦେଶକ ତଥା ପ୍ରଦ୍ମଶ୍ରୀ ଉପାଧିରେ ଭୂଷିତ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି କରୋନାକୁ ନେଇ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ଏଥିପାଇଁ ଭୟ କରିବାର କିଛି ନାହିଁ। କରୋନା ହେଉଛି ଏକ ସାଧାରଣ ରୋଗ। ଏଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଡାକ୍ତର ଗୁଲେରିଆ ଠିକ୍ କହୁଛନ୍ତି ନା ସରକାର ? ଲୋକେ ଏକଥା ମଧ୍ୟ ଜାଣିବା ଆବଶ୍ୟକ।

କରୋନା ସହ ଜଡିତ ଏକ ବହୁ ଚର୍ଚ୍ଚିତ ପ୍ରଶ୍ନ ମାସ୍କକୁ ନେଇ ଉଠୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପରିକି ଭାରତ ସରକାର କହୁଛନ୍ତି ମାସ୍କ ପିନ୍ଧିବା ଏବଂ ପରସ୍ପର ଠାରୁ ଦୁଇଗଜ ଦୂରତା ବଜାୟ ରଖିବା ନିହାତି ଜରୁରୀ। ଏହା ଏକ ଆଇନରେ ପରିଣତ ହୋଇଛି ଓ ମାସ୍କ ପିନ୍ଧୁନଥିବା ଲୋକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। କିନ୍ତୁ ଅନେକ ବିଶେଷଜ୍ଞମାନଙ୍କ ମତ ହେଉଛି ମାସ୍କ ପିନ୍ଧିଲେ ଶରୀର ଅମ୍ଳଜାନ ଗ୍ରହଣ କରିବାରେ ଅକ୍ଷମ ହେବ। ଅନ୍ୟପକ୍ଷରେ ମାସ୍କ ପିନ୍ଧି ନିଶ୍ୱାସ ପ୍ରଶ୍ୱାସ ନେବାବେଳେ ଶରୀର ଛାଡୁଥିବା ଅଙ୍ଗାରକାମ୍ଳ ମଧ୍ୟ ଅଧିକ ମାତ୍ରାରେ ପୁନଃ ଶରୀରକୁ ଫେରିଆସିବ। ଏହି କାରଣରୁ ମାସ୍କ ପିନ୍ଧୁଥିବା ଲୋକେ ଅସହଜ ଅନୁଭବ କରିଥାନ୍ତି। ନାନା ମୁନି ନାନା ମତପରି କେଉଁଟା ଠିକ ସାରା ଦେଶର ଲୋକେ ଜାଣିବା ଉଚିତ୍ ନୁହେଁ କି ? କେବଳ ସେତିକି ନୁହେଁ ପ୍ରଶ୍ନ ହେଉଛି ମାସ୍କ ପିନ୍ଧିବା, ଦୁଇଗଣ ଦୂରତା ଓ ଜରିମାନା କ’ଣ କେବଳ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ କି ? କ’ଣ ରାଜନେତା ଓ ନିର୍ବାଚନୀ ରଣକ୍ଷେତ୍ର କରୋନା ନିୟମଠାରୁ ଅଲଗା କି ? ଏମାନଙ୍କୁ ଏହି ନିୟମ ପାଳନ କରିବା ପାଇଁ ବାଧ୍ୟ କରାଯାଉନାହିଁ କାହିଁକି ? ପୋଲିସ ଠାରୁ ଲାଠିମାଡ଼ ଖାଇବା ଓ ଜରିମାନା ଦେବା କେବଳ ସାଧାରଣ ଲୋକଙ୍କ ପାଇଁ କାହିଁକି ?

କରୋନା ସମୟରେ ସରକାର ଆରୋଗ୍ୟ ସେତୁ ନାମକ ଏକ ମୋବାଇଲ ଆପ୍‌ର ଆରମ୍ଭ କରିଥିଲେ। ଏହାର ପ୍ରଚାର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଲା। ଏହି ଆପ୍ ଅନିବାର୍ଯ୍ୟ ବୋଲି କୁହାଗଲା। ଏବେ ‘ଆରୋଗ୍ୟ ସେତୁ’ ଆପର ସ୍ଥିତି କ’ଣ ? ଏ ବାବଦରେ କିଛି ଉତ୍ତର ଅଛି କି ? ସେହିପରି ଅନେକ ଏମିତି ଅଭିଯୋଗ ଆସୁଛି ଘରୋଇ ହସ୍ପିଟାଲମାନଙ୍କରେ ରୋଗୀଙ୍କୁ ଶୋଷଣ କରାଯାଉଛି। ଯେ କୌଣସି ରୋଗୀକୁ କରୋନା ସଂକ୍ରମିତ ବୋଲି କୁହାଯାଉଛି। ସେଠାରେ ରୋଗୀଙ୍କର କିପରି ଚିକିତ୍ସା ଚାଲୁଛି ତାହା ସିସି ଟିଭିରେ ଅନୁଧ୍ୟାନ କରାଗଲେ ଏ ପ୍ରଶ୍ନ ଆଉ ଉଠିବନି।

ଆହୁରି ଦେଖାଯାଉଛି ମୃତକଙ୍କ ଶବ ଦାହ ପାଇଁ ଶ୍ମଶାନରେ ସ୍ଥାନର ଅଭାବ ପଡୁଛି। ଦିନକୁ ଦିନ ସଂଖ୍ୟା ବଢୁଛି। ସବୁ ମୃତ୍ୟୁ ପାଇଁ କ’ଣ କରୋନା ଦାୟୀ ? ତେବେ ଲକ୍ଷଲକ୍ଷ ଅନ୍ୟ ଭାଇରସ୍ ଗଲା କୁଆଡ଼େ ? କରୋନାରେ ମରୁଥିବା ଲୋକଙ୍କର ପୋଷ୍ଟମର୍ଟମ ଓ ଅଟୋସ୍କୋପି କରାଗଲେ ଅନ୍ୟ ଭାଇରସ୍ ଗୁଡିକର ପ୍ରଭାବ ବିଷୟରେ ଜଣାପଡନ୍ତା। ଏଭଳି ପ୍ରଶ୍ନ ଅଯୌକ୍ତିକ ନୁହେଁ। ସେହିପରି ସାନିଟାଇଜର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବିଶେଷଜ୍ଞ କହୁଛନ୍ତି। ତେଣୁ କେତେଥର ହାତ ଧୋଇଲେ ସମସ୍ୟା ନାହିଁ ତାହା ମଧ୍ୟ ଲୋକେ ଜାଣିବା ଉଚିତ।

ଆଉ ଏକ କଥା ହେଉଛି ବାବା ରାମଦେବ କରୋନାର ଔଷଧ କୋରୋନିଲ୍‌କୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଉଦଘାଟନ କଲେ। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଔଷଧକୁ ମାନ୍ୟତା ପ୍ରଦାନ ଦେବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଲା। ଏଭଳି ନାଟକର ଅର୍ଥ କ’ଣ ? ରାମଦେବଙ୍କ ପାଖରେ କୋରୋନିଲ୍ ଭଳି ଔଷଧ ଥାଇ ମଧ୍ୟ ପତଞ୍ଜଳି ସଂସ୍ଥାର ୪୦ରୁ ଅଧିକ କର୍ମଚାରୀଙ୍କୁ କରୋନା ସଂକ୍ରମଣ ହେଲା କିପରି ?

କରୋନା ସମୟରେ ଘଟିଥିବା ଓ ଘଟୁଥିବା ଅନେକ ଏଭଳି ପ୍ରଶ୍ନର ଉତ୍ତର ମିଳୁନି। ଏହାର ଉତ୍ତର ସାଧାରଣ ଲୋକେ ଜାଣିବା କ’ଣ ଉଚିତ୍ ନୁହେଁ ? କିନ୍ତୁ ଯେଉଁମାନେ ଏ ବାବଦରେ ପ୍ରଶ୍ନ ପଚାରିବା କଥା ଓ ଲୋକଙ୍କୁ ସଠିକ ସୂଚନା ଦେବା କଥା ସେମାନେ ଏବେ ଚୁପ୍ ରହୁଛନ୍ତି। ବିଭିନ୍ନ ରାଜ୍ୟର ହାଇକୋର୍ଟ ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କରୋନା ପ୍ରସଙ୍ଗକୁ ନେଇ ଅନେକ ମାମଲାର ଶୁଣାଣି ହେଉଛି। କେନ୍ଦ୍ର ସରକାରଙ୍କୁ ବିଦେଶୀ ଗଣମାଧ୍ୟମମାନେ ସମାଲୋଚନା କରୁଛନ୍ତି। ଯାହାବି ହେଉ ଦେଶରେ ଏବେ ଟିକାଦାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କ ଭୟ ଟିକା ଦୂର କରିପାରିବ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେଇଥିଲେ ତାହା ସଠିକ ସମୟରେ କାର୍ଯ୍ୟକାରୀ ହୋଇପରିନି। ଗତବର୍ଷ ଅକ୍ଟୋବର ମାସରେ ୨୦୦କୋଟି ଟଙ୍କା ବ୍ୟୟରେ ୧୬୨ଟି ପିଏସଏ ପ୍ଲାଣ୍ଟ କରିବାର ଯେଉଁ ନିଷ୍ପତ୍ତି ହୋଇଥିଲା। ହେଲେ ମାତ୍ର ୩୩ଟି ସ୍ଥାପିତ ହୋଇପାରିଛି। ଏସବୁ ପ୍ଲାଣ୍ଟ ସ୍ଥାପନ ହୋଇଥିଲେ ଡାକ୍ତରଖାନା ଗୁଡିକର ଅମ୍ଳଜାନର ଅଭାବ କେତେକାଂଶରେ ପୂରଣ ହୋଇପାରିଥାନ୍ତା। ସ୍ୱାସ୍ଥ୍ୟସେବା ପାଇବା ଲୋକଙ୍କର ଅଧିକାର। କିନ୍ତୁ ଦୁର୍ଭାଗ୍ୟ ଏହି ଅଧିକାରରୁ ଲୋକେ ବଞ୍ଚିତ ହୋଇ ଜୀବନ ହରାଇଛନ୍ତି। ଅମ୍ଳଜାନର ଅଭାବ ସମସ୍ୟା ଦୂର ହୋଇପାରିନି। ମୋଟାମୋଟି ଭାବେ କରୋନା ମହାମାରୀ ସମୟରେ ଯେଉଁସବୁ ପ୍ରଶ୍ନ ଉଠୁଛି ତାହା ଜାଣିବା ଲୋକଙ୍କର ଅଧିକାର। ଏଥିପ୍ରତି ସରକାର ଗୁରୁତ୍ଵ ଦେବେ ବୋଲି ଆଶା କରାଯାଏ।

ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪

Leave A Reply

Your email address will not be published.