ଅଙ୍ଗନବାଡ଼ି କର୍ମୀ କାମ ନକଲେ ବିଦାହେବେ : ଉପଜିଲ୍ଲାପାଳଙ୍କ ଚେତାବନୀ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ରୋକିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ଏବେ ବିଭିନ୍ନ ବ୍ଲକ୍‌ରେ ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ସିମିଟର୍‌ ଜରିଆରେ ଥର୍ମାଲ ସ୍କ୍ରିନିଂ କରାଯାଉଥିବା ବେଳେ ଅଙ୍ଗନବାଡ଼ି କର୍ମୀମାନଙ୍କ ଗୁରୁ ରହିଛି ଦାୟିତ୍ୱ। ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା ଓ ଧରାକୋଟ ବ୍ଲକ୍‌ରେ ଅଙ୍ଗନବାଡ଼ି କର୍ମୀମାନେ ଏହି କାର୍ଯ୍ୟ ତୁଲାଉଥିବା ବେଳେ ଆସିକା, ବୁଗୁଡ଼ା ଓ ଶେରଗଡ଼ ବ୍ଲକ୍‌ର ଅର୍ଦ୍ଧାଧିକ କର୍ମୀ କାମ ଆରମ୍ଭ କରିନଥିବା ସୂଚନା ମିଳିଛି।

ସେହିପରି ପ୍ରଶାସନର ବାରମ୍ବାର ଚିଠି ସତ୍ତ୍ୱେ ସୋରଡ଼ା ଏନ୍‌ଏସିରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟରେ ଯୋଗଦେଉ ନାହାନ୍ତି। ଗତବର୍ଷ କରୋନାରେ କିଛି ଅଙ୍ଗନବାଡ଼ି କର୍ମୀଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ପରିବାରକୁ କ୍ଷତିପୂରଣ ନମିଳିବା ଯାଏଁ କାର୍ଯ୍ୟରେ ଯୋଗଦେବେନି ବୋଲି ସେମାନେ କହୁଥିବା ଶୁଣିବାକୁ ମିଳୁଛି। ତେବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି କାର୍ଯ୍ୟରେ ଯୋଗନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଶେରଗଡ଼ ବ୍ଲକ୍‌ର ଡେଙ୍ଗାପଦର ଓ ତୁରୁବୁରାଇ ମଣ୍ଡଳର ସମସ୍ତ ଅଙ୍ଗନଓବାଡ଼ି କର୍ମୀଙ୍କ ସମେତ ଅରଖପଦା, ଖମାର-୨, ସନ୍ତୋଷପୁର-୨, ପିତ୍ତଳ-୨ର ପୁଷ୍ପାଞ୍ଜଳୀ କର୍ମୀଙ୍କୁ କୈଫତ ତଲବ କରାଯାଇଛି। କିନ୍ତୁ କରୋନାରେ ମୃତ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ କ୍ଷତିପୁରଣ ମିଳିନଥିବାରୁ ସେମାନେ କାର୍ଯ୍ୟରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏବେ ସଂକ୍ରମଣ ବଢୁଥିବା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ଅସହଯୋଗ ଜିଲ୍ଲା ପ୍ରଶସନ ପାଇଁ ସମସ୍ୟା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Back to top button