ଅଞ୍ଜନା ଗଣଦୁଷ୍କର୍ମର ତଥ୍ୟ ଦେଲା ବିବନ

ଭୁବନେଶ୍ୱର : ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ କେମିତି ସଂଘଟିତ ହୋଇଥିଲା ରିମାଣ୍ଡରେ ନେଇଥିବା ସିବିଆଇ ଆଗରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ବଖାଣିଛି। ଆଜି କ୍ରାଇମ ସିନ୍ ରିକ୍ରିଏଟ୍ ସ୍ଥଳରେ ଅପରାଧ ସମ୍ପର୍କରେ ସେ ସୂଚନା ଦେଇଛି।

ଶୁକ୍ରବାର ସକାଳେ ସିବିଆଇ ଅଧିକାରୀ ଓ ବାରଙ୍ଗ ପୋଲିସ ବିବନକୁ ଧରି ଅପରାଧ ସ୍ଥଳରେ ପହଞ୍ଚିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ବିବନ ଅପରାଧର ଡେମୋ ଦେଖାଇଥିଲା। ଯାହାର ପ୍ରତିଟି ଚିତ୍ର ଓଟିଭି କ୍ୟାମେରାରେ କଏଦ୍ କରାଯାଇଥିଲା। ବିବନ ୧୯୯୯, ଜାନୁୟାରୀ ୯ ରାତିରେ ଅପରାଧ ଭିଆଇବା ପରେ ବାରଙ୍ଗରେ କିଛି ଦିନ ଲୁଚିଥିଲା। ଘଟଣାକୁ ନେଇ କମ୍ପନ ହେବାରୁ ଟ୍ରେନ୍‌ରେ ସୀମାପାର୍ ହୋଇ ପ୍ରଥମେ ମଧ୍ୟପ୍ରଦେଶକୁ ଯାଇ କିଛି ବର୍ଷ ରହିଥିଲା। ଏହାପରେ ମହାରାଷ୍ଟ୍ରରେ ଆତ୍ମଗୋପନ କରି ପରିବାର ସହ ଯୋଗାଯୋଗରେ ଥିଲା। ଜେରାବେଳେ ସିବିଆଇକୁ ସେ ଏଭଳି କିଛି ତଥ୍ୟ ଦେଇଥିବା ସୂଚନା ମିଳିଛି। ତେବେ ୨ ଦିନିଆ ରିମାଣ୍ଡ ଭିତରେ ଆବଶ୍ୟକୀୟ ତଥ୍ୟ ପାଇବା ପରେ ଆଜି ସ୍ପେଶାଲ୍ ସିଜେଏମଙ୍କ କୋର୍ଟରେ ବିବନକୁ ହାଜର କରାଯାଇଥିଲା। ସିବିଆଇ ରିମାଣ୍ଡର ଆବଶ୍ୟକତା ନଥିବା ଦର୍ଶାଇବା ପରେ କୋର୍ଟ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button