ଆଣ୍ଟିବାୟୋଟିକ ବିରୋଧୀ ଜୀବାଣୁ ନଷ୍ଟ କରିବ ଗ୍ରୀନ ଟି

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ସଂକ୍ରମଣର ମୁକାବିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହି ସମୟରେ ରୋଗପ୍ରତିରୋଧ ଶକ୍ତିବର୍ଦ୍ଧକ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଖାସ୍‌କରି ପ୍ରାକୃତିକ ବିକଳ୍ପ ଜରିଆରେ ଥଣ୍ଡା, କାଶ, କଫଠୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଧିକାଂଶ ଲୋକେ ଧୀରେ ଧୀରେ ଗ୍ରୀନ୍‌ ଟି ପ୍ରତି ମନ ବଳାଉଛନ୍ତି । 

ଗ୍ରୀନ୍‌ ଟିରେ ଥିବା ଏକ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟିବାୟୋଟିକ୍‌ ପ୍ରତିରୋଧକ ବ୍ୟାକ୍ଟେରିଆକୁ ନିପାତ କରିବାରେ ସାହାଯ୍ୟ କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ମେଡିକାଲ ମାଇକ୍ରୋବାୟୋଲୋଜି ପତ୍ରିକାରେ ଏହି ଅଧ୍ୟୟନଟି ପ୍ରକାଶ ପାଇଛି । ‘ଇପିଗାଲୋକେଟେକିନ୍‌’(ଇଜିସିଜି) ନାମକ ଆଣ୍ଟିଅକ୍ସିଡାଣ୍ଟ ‘ଆଜଟ୍ରିଓନାମ୍‌’ର କାର୍ଯ୍ୟକଳାପକୁ ପୁନର୍ଗଚ୍ଛିତ କରିପାରେ । ଆଜଟ୍ରିଓନାମ୍‌ ଏକ ଆଣ୍ଟିବାୟୋଟିକ୍‌, ଯାହା ସାଧାରଣତଃ ବ୍ୟାକ୍ଟେରିଆଲ ପାଥୋଜେନ୍‌ ସିଉଡୋମୋନାସ ଏରୁଗିନୋସା ଜନିତ ସଂକ୍ରମଣର ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରାଯାଏ ।   

ପି. ଏରୁଗିନୋସା ଏକ ଗମ୍ଭୀର ଶ୍ୱାସ ପଥ ଓ ରକ୍ତବାହିକା ସଂକ୍ରମଣ ସହିତ ସଂଶ୍ଳିଷ୍ଟ । ଗତ କିଛି ବର୍ଷ ଧରି ଏହା କିଛି ପ୍ରମୁଖ ଆଣ୍ଟିବାୟୋଟିକ୍‌ର ପ୍ରତିରୋଧୀ ଭାବେ ଉଭା ହୋଇଛି ବୋଲି ଇଂଲଣ୍ଡର ସରେ ୟୁନିଭର୍ସିଟିର ଗବେଷକମାନେ କହିଛନ୍ତି । ବର୍ତ୍ତମାନ ପି. ଏରୁଗିନୋସା ବିରୁଦ୍ଧରେ ଲଢ଼ିବା ପାଇଁ ଆଣ୍ଟିବାୟୋଟିକ୍‌ଗୁଡ଼ିକର ସମ୍ମିଶ୍ରଣର ପ୍ରୟୋଗ କରାଯାଉଛି । ତଥାପି ଏହି ସଂକ୍ରମଣର ଚିକିତ୍ସା ଦିନକୁ ଦିନ କଷ୍ଟକର ହୋଇପଡୁଛି । ଆଜଟ୍ରିଓନାମ୍‌ ଓ ଇଜିସିଜିର ସମ୍ମିଶ୍ରଣ ପି. ଏରୁଗିନୋସାର ସଂଖ୍ୟା ହ୍ରାସ କରିବାରେ ଅଧିକ ପ୍ରଭାବଶାଳୀ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

ମତାମତ ଦିଅନ୍ତୁ ।