ଅନୁଭବଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା

କଟକ : ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ଵାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅପ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରିଛନ୍ତି ବର୍ଷା।

ଅଭିନେତ୍ରୀ ବର୍ଷା ଦାୟର କରିଥିବା ମାମଲାରେ ଦର୍ଶାଯାଇଛନ୍ତି ୨୦୧୪, ଫେବ୍ରୁଆରି ୮ରେ ଅନୁଭବଙ୍କ ସହିତ ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା। ଏହାର ୬ ବର୍ଷ ପୂର୍ବରୁ ଅନୁଭବଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ଥିଲା। ଅନେକ ସମୟରେ ଅନୁଭବ ନିଜ ହାତ, ଗୋଡ, ଛାତି ଛୁରୀରେ କାଟି ଦେଇ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଥିଲେ। ଯାହାଫଳରେ ତାଙ୍କ ମା’ ଅନୁଭବଙ୍କ ସହିତ ତାଙ୍କ ବିବାହ କରିବାକୁ ରାଜି ହୋଇଥିଲେ। ବିବାହ ସମୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ବର ପକ୍ଷକୁ ଦିଆଯାଇଥିଲା। ଦୁଇ ହଜାର ବରଯାତ୍ରୀଙ୍କ ପାଇଁ ହୋଇଥିଲା ଭୋଜିର ବ୍ୟବସ୍ଥା। ୨୦୧୯ ପର୍ଯ୍ୟନ୍ତ ଉଭୟ ପତି-ପତ୍ନୀ ଭାବେ ଚଳିଥିଲେ।

ବିବାହ ପରେ ବର୍ଷା ଅନୁଭବଙ୍କ ସହିତ ଏକାଧିକ ଚଳଚ୍ଚିତ୍ରରେ ଅଭି‌ନୟ କରିଥିଲେ ମଧ୍ୟ ଗୋଟିଏ ଟଙ୍କା ପାରିଶ୍ରମିକ ତାଙ୍କୁ ମିଳି ନାହିଁ। ତାଙ୍କ ଉପରେ ପ୍ରଥମେ ଏପରି ଅତ୍ୟାଚାର ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ ବାବଦ ତାଙ୍କୁ ୨୦ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିବା କଥା। ଏହାପରେ ବର୍ଷାଙ୍କୁ ବାହାରକୁ କାମ କରିବାକୁ ଦିଆଯାଇ ନଥିଲା। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅନୁଭବ ଫିଲ୍ମ ଇଣ୍ଡଷ୍ଟ୍ରି‌ର ଅନ୍ୟ ଯୁବତୀଙ୍କ ସହିତ ସଂପର୍କ ରଖିଥିଲେ। ଅନୁଭବଙ୍କ ପରିବାର ଲୋକେ ତାଙ୍କୁ ସମର୍ଥନ କରିଥିଲେ। ଅନୁଭବଙ୍କ ଚଳଚ୍ଚିତ୍ର ଜୀବନରେ ହସ୍ତକ୍ଷେପ ନ କରିବାକୁ ବର୍ଷାଙ୍କୁ କହିଥିଲେ। ବର୍ଷା ଦର୍ଶାଇଛନ୍ତି ଅନୁଭବ ଜଣେ ‘ପ୍ରଫେସନାଲ ଡ୍ରଙ୍କର’। ମଦ ପିଇଥିବାବେଳେ ହିତାହିତ ଜ୍ଞାନ ଭୁଲିଯା’ନ୍ତି। ନିଶାସକ୍ତ ଅବସ୍ଥାରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ହାତ ଓ ଲାଠିରେ ମାଡ଼ ମାରିଥା’ନ୍ତି। ଏସବୁ ସତ୍ତ୍ୱେ ଦୁଇ ପରିବାରର ସମ୍ମାନକୁ ଆଖି ଆଗରେ ରଖି ଚୁପ୍ ରହୁଥିଲେ।

ସେହିପରି ବର୍ଷାଙ୍କ ଅଭିଯୋଗ ସେ ‘ଫ୍ୟୁଚର ଜେନେରେସନ୍’ ବା ‘ପର ପିଢ଼ି’ ପାଇଁ ଇଚ୍ଛୁକ ଥିଲେ। ଅର୍ଥାତ ମା’ ହେବାକୁ ଚାହୁଁଥିଲେ। କିନ୍ତୁ ଅନୁଭବ ଡେରି ରାତି ଯାଏ ମଦ୍ୟପାନ କରୁଥିଲେ। ଫଳରେ ବର୍ଷା କାନ୍ଦି କାନ୍ଦି ଶୋଇପଡ଼ିବାକୁ ବାଧ୍ୟ ହେଉଥିଲେ। ବର୍ଷା ଅନୁଭବଙ୍କୁ ଡିନର ବା ରାତ୍ର ଭୋଜନ ପାଇଁ ଅପେକ୍ଷା କରୁଥିବା ବେଳେ ଅନୁଭବ ମଦ ପିଇ ଘରକୁ ଫେରି ଅସାମାଜିକଙ୍କ ଭଳି ବ୍ୟବହାର କରନ୍ତି। ଏପରିକି ବର୍ଷାଙ୍କ ମା’ ଓ ଦୁଇ ଭଉଣୀ ଅନୁଭବଙ୍କ ପରିବାରକୁ ବୁଝାଇ ଏହାର ସମାଧାନ ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଅନୁଭବ ମଦ ଛାଡ଼ିଦେବେ ବୋଲି କହିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କଥା ରଖିନଥିଲେ। ଧୀରେ ଧୀରେ ନିର୍ଯାତନା ବଢିଥିଲା। ଯାହା ତାଙ୍କ ସହିବା ଶକ୍ତି ବାହାରକୁ ଚାଲି ଯାଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଚଳିତ ବର୍ଷ ଲକ୍ ଡାଉନ ପୂର୍ବରୁ ଅନୁଭବ ଓ ତାଙ୍କ ପରିବାର ସଦସ୍ୟ ଦିଲ୍ଳୀ ଚାଲି ଯାଇଥିବା ବେଳେ ମେ ୨୫ ପର୍ଯ୍ୟନ୍ତ ସେଠାରେ ରହି ଫେରିଥିଲେ। ଶ୍ଵଶୁରଘରେ ଏକା ରହିଥିଲେ ବର୍ଷା। ଏହି ସମୟରେ ତାଙ୍କୁ ସାଧାରଣ ମୌଳିକ ସୁବିଧା ପ୍ରଦାନ ପାଇଁ ଅନୁଭବଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନଥିଲା। ଫେରିବା ପରେ ମେ ୨୫ରେ ଅନୁଭବ ବର୍ଷାଙ୍କୁ ଗାଳିଗୁଲଜ କରିଥିଲେ। ପରିବାର ଲୋକ କେହି ଆପତ୍ତି କରି ନଥିଲେ। ଜୁନ୍ ୭ ତାରିଖ ରାତିରେ ଅନୁଭବ ବର୍ଷାଙ୍କୁ ଖରାପ ଭାଷା ପ୍ରୟୋଗ କରି ଦୁଇ ଘଣ୍ଟା ଧରି ଗାଳିଗୁଲଜ କରିଥିଲେ। ବର୍ଷାଙ୍କ ମା’ ଓ ଭଉଣୀଙ୍କ ନାଁ ନେଇ ମଧ୍ୟ ଗାଳିଗୁଲଜ କରାଯାଇଥିଲା। ଜୁନ୍ ୧୧ରେ ଆପୋଷରେ ଛାଡପତ୍ର ପାଇଁ ଅନୁଭବ ବର୍ଷାଙ୍କୁ କହିଥିଲେ। ଯଦି ନ ମାନନ୍ତି ତେବେ ତାଙ୍କୁ ଭୟଙ୍କର ପରିଣତି ଭୋଗ କରିବାକୁ ପଡିବ ବୋଲି ଧମକ ଦେଇଥିଲେ। ଏଭଳି ଅସହ୍ୟ ଅତ୍ୟାଚାର ପରେ ବର୍ଷା କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅନୁଭବଙ୍କ ଘରେ ରହିବା ପାଇଁ ଦିଆଯାଉ ନଚେତ ମାସିକ ୨୦ହଜାର ଟଙ୍କାର ଘର ଭଡ଼ା ଦିଆଯାଉ। ମାସିକ ଭରଣପୋଷଣ ବାବଦକୁ ୫୦ହଜାର ଟଙ୍କା, କ୍ଷତି ପୂରଣ ବାବଦକୁ ୧୩କୋଟି ଟଙ୍କା ଓ ରୋଜଗାର ହରାଇବା ଓ ଚିକିତ୍ସା ଖର୍ଚ୍ଚ ବାବଦକୁ ୨କୋଟି ଟଙ୍କା ପ୍ରଦାନ କରାଯାଉ ବୋଲି ବର୍ଷାଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରାର୍ଥନା କରାଯାଇଛି।

ମତାମତ ଦିଅନ୍ତୁ ।