ଅପରାଜିତାଙ୍କୁ ରୋକିବା ପ୍ରୟାସ ଫେଲ : ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ

ଭୁବନେଶ୍ଵର : ରାଜ୍ୟରେ ଆଗକୁ ହେବ ପୌର ନିର୍ବାଚନ। ତାରିଖ ଘୋଷଣା ହୋଇନି। କିନ୍ତୁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସଂଗଠନ ସଜାଡିବାକୁ ଶାସକ ବିଜୁ ଜନତା ଦଳ ଓ ମୁଖ୍ୟ ବିରୋଧିଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ଚାଲିଛି। ରାଜଧାନୀ ଭୁବନେଶ୍ଵରରେ ଦେଖିବାକୁ ମିଳିଛି ଏହାର କେତେକ ନମୁନା। ପ୍ରାର୍ଥୀ ଆଶାୟୀମାନେ ଲୋକଙ୍କ ସେବା ପାଇଁ ଆଗଭର ହେଉଥିବା ଦେଖିବାକୁ ମିଳୁଛି। ଆଉ ସବୁଠୁ ଚର୍ଚ୍ଚାରେ ରହିଛି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ‘ଅନ୍ନପୂର୍ଣ୍ଣା ଯୋଜନା’। ମାଗଣା ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବାକୁ ଭୁବନେଶ୍ଵର ମହାନଗର ନିଗମ ପ୍ରୟାସ କରିଥିବା ବେଳେ ଅପରାଜିତା ଘୋଷଣା କରିଛନ୍ତି ଅନ୍ନପୂର୍ଣ୍ଣା ଯୋଜନା ଅଧିନରେ ମାଗଣା ନୁହେଁ ଏକ ଟଙ୍କାରେ ମିଳିବ ଖାଦ୍ୟ। ଏହାକୁ ଦେଖି ଲୋକେ କହୁଛନ୍ତି ଅପରାଜିତାଙ୍କ ପାଖରେ ବିଏମସି ପୁଣି ଫେଲ ମାରିଲା। ନୂଆ ବିଜ୍ଞପ୍ତି ଅନ୍ନପୂର୍ଣ୍ଣା ଯୋଜନାକୁ ରୋକିପାରିବ ନାହିଁ।

ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜାନୁଆରି ୮ରେ ‘ଅନ୍ନପୂର୍ଣ୍ଣା’ ନାମକ ଟ୍ରଷ୍ଟକୁ ଲୋକାର୍ପିତ କରିଥିଲେ। ଏହି ଯୋଜନାରେ ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଓ ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଦିଆଯିବ ବୋଲି କହିଥିଲେ। କିନ୍ତୁ ବିଏମସି ପ୍ରକାଶ କରିଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ। ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ। ଏପରି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

  ପୋଇ ଶାଗରେ ଅନେକ ଗୁଣ ରହିଛି

ଏହି ବିଜ୍ଞପ୍ତି ଅନ୍ନପୂର୍ଣ୍ଣା ଯୋଜନାକୁ ଅଟକାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅପରାଜିତାଙ୍କ ଘୋଷଣା ବିଏମସିର ହାତ ବାନ୍ଧି ଦେଇଛି। ଅପରାଜିତା କହିଛନ୍ତି ଅନ୍ନପୂର୍ଣ୍ଣା ଯୋଜନା ଅଧିନରେ ମାଗଣା‌ରେ ନୁହେଁ ବରଂ ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ହେବ। ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି ଅପରାଜିତା ରୋକିବାକୁ ଯାଇ ବିଏମସି ପ୍ରଥମେ ତାଙ୍କ କାର୍ଯ୍ୟାଳୟ ସିଲ କରି ଅଡୁଆରେ ପଡିଥିଲା। ଏବେ ମଧ୍ୟ ସଫଳ ହୋଇପାରିବନି। ଆଗକୁ ଆଉ କ’ଣ ପଦକ୍ଷେପ ନେଉଛି ଦେଖିବା କଥା।

ଅନ୍ୟପକ୍ଷରେ କିଛି ଲୋକେ କହୁଛନ୍ତି ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ବିଏମସି ଅଭିଯାନ ଆରମ୍ଭ କରିଛି। ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନାହାନ୍ତି। ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ମତାମତ ଦିଅନ୍ତୁ ।