ଅପେରା ମିସ୍‌ ଇଣ୍ଡିଆର ପ୍ରଥମ ରନର୍ସ ଅପ୍‌ ହେଲେ ଓଡିଆ ଝିଅ ଅର୍ପିତା

ବାରିପଦା : ମୟୁରଭଞ୍ଜ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି କଲେଜ ଛାତ୍ରୀ ଅର୍ପିତା। ବାରିପଦା ସହରର ପାଲବଣୀ ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ଅସୀତ କୁମାର ଦାସଙ୍କ ସେ ଏକମାତ୍ର ଝିଅ। ଅପେରା ମିସ୍ ଇଣ୍ଡିଆର ପ୍ରଥମ ରନର୍ସ ଅପ୍ ଭାବେ ଅର୍ପିତା ପୁରସ୍କୃତ ହୋଇଛନ୍ତି। ବାରିପଦାର ଝିଅ ଜାତୀୟ ସ୍ତରରେ ଜିଲ୍ଲାର ଟେକ ରଖିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଉଛି। ଅର୍ପିତା ରାଗଧା ସ୍ଥିତ ଶ୍ରୀରାମ ଚନ୍ଦ୍ର ଡିଗ୍ରୀ କଲେଜରେ ଯୁକ୍ତ-୩ କଳାର ପ୍ରଥମ ବର୍ଷର ଛାତ୍ରୀ।

ପାଠ ପଢା ସହିତ ଓଡ଼ିଶୀ, ଛଉ ଓ ମଡ଼ର୍ଣ୍ଣ ଡ୍ୟାନ୍ସରେ ଅର୍ପିତା ପାରଙ୍ଗମ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ସହିତ ବହୁ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହୋଇଛନ୍ତି। ନିଜର ଦକ୍ଷତା ବଳରେ ଆନ୍ତର୍ଜାତିକ ସ୍ତରରେ ହେଉଥିବା ଅପେରା ମିସ୍ ଇଣ୍ଡିଆ -୨୦୨୦ ମସିହାରେ ଓଡ଼ିଶାରେ ସେମି ଫାଇନାଲରେ ଉତୀର୍ଣ୍ଣ ହୋଇ ଗ୍ରାଣ୍ଡ ଫାଇନାଲରେ ଟପ ୩୦ଜଣ ପ୍ରତିଯୋଗୀଙ୍କ ଭିତରେ ସ୍ଥାନ ପାଇଛନ୍ତି।

ରବିବାର ଅନଲାଇନ ମାଧ୍ୟମରେ ଅପେରା ମିସ ଇଣ୍ଡିଆର ହୋଇଥିବା ଗ୍ରାଣ୍ଡ ଫାଇନାଲ ହୋଇଥିଲା। ଏଥିରେ ଅର୍ପିତା ପ୍ରଥମ ରନର୍ସ ଅପର ବିଜୟ ମୁକୁଟ ପିନ୍ଧିଛନ୍ତି। ଏଥିପାଇଁ ସେ ଜୋରଦାର ପ୍ରସ୍ତୃତି ଚଳାଇ ଥିଲେ ବୋଲି କହିଛନ୍ତି। ଅର୍ପିତା ପୂର୍ବରୁ ବାଲେଶ୍ଵରର ହରିପ୍ଲାଜା ଠାରେ ହୋଇଥିବା ଓଡ଼ିଶା ବ୍ଲଇନ୍ ମଡେଲିଂ ପ୍ରତିଯୋଗିତାର ଅଡିସନ-୨୦୧୯ରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ଅର୍ପିତା ଅଡିସନରେ ଗ୍ରାଣ୍ଡ ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଥିଲେ।

ମତାମତ ଦିଅନ୍ତୁ ।