Breaking Newsରାଜ୍ୟ

ଆରପାରିରେ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ୭୦ ବର୍ଷ ବୟସ ହୋଇଥିଲା ।

ସେ ପୁନେ ସ୍ଥିତ ନ୍ୟାସନାଲ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରୁ ଉତ୍ତୀର୍ଣ୍ଣ ହେଲା ପରେ ଓଡ଼ିଆ ଚଳଚ୍ଚିତ୍ରରେ ବିଜୟ ୧୯୭୭ ମସିହାରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ୧୭୫ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଓଲିଉଡ୍‌ର ଏହି କିମ୍ବଦନ୍ତୀ, ଅଭିନେତା ନିର୍ଦ୍ଦେଶକ, ନାଟ୍ୟକାର ତଥା ଅଧ୍ୟାପକଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ ଘଟିଛି। ୨୦୧୪ ମସିହାରେ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଥିବା ବିଜୟ ମହାନ୍ତି ତାଙ୍କ କ୍ୟାରିୟର ଆରମ୍ଭରୁ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ଚର୍ଚ୍ଚାରେ ଥିଲେ। ଏହା ବ୍ୟତୀତ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ଓ ସିନେ କ୍ରିଟିକ୍‌ ପୁରସ୍କାର ଲାଭ କରିଥିଲେ।

ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଘର କରିଥିବା ବିଜୟ ମହାନ୍ତିଙ୍କର ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡ଼ା ପାଣ୍ଡିରିରେ ଜନ୍ମଗ୍ରହଣ କରିଥିଲେ। ମୟୂରଭଞ୍ଜ ବାରିପଦାରେ କଟିଥିଲା ତାଙ୍କ ଶୈଶବ। କଳାରେ ସ୍ନାତକ ପରେ ସେ ଅଭିନୟ ପ୍ରତି ଆଗ୍ରହୀ ହୋଇ ଦିଲ୍ଲୀ ସ୍ଥିତ ନ୍ୟାସ୍‌ନାଲ ସ୍କୁଲ ଅଫ୍‌ ଡ୍ରାମାରେ ଭର୍ତ୍ତି ହୋଇଥିଲେ। ନାସିରୁଦ୍ଦିନ ଶାହା, ରାଜ୍ ବବ୍ବର ଓ ଓମ୍ ପୁରୀ ଥିଲେ ତାଙ୍କ ସହପାଠୀ।

ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ୧୯୭୭ର ଫିଲ୍ମ ‘ଚିଲିକା ତୀରେ’ରୁ। ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ବିପୁଳ ପ୍ରଶଂସା ସାଉଁଟିଥିଲେ। ରୂପେଲି ପରଦାରେ ଅଲ୍‌ରାଉଣ୍ଡର୍‌ ଥିଲେ ବିଜୟ। ହିରୋ, ଭିଲେନ୍, କମେଡି, କ୍ୟାରେକ୍ଟର ରୋଲ୍‌, ସବୁଥିଲେ ସେ ଦେଖାଇଥିଲେ ଅଭିନୟର ପରାକାଷ୍ଠା। ତାଙ୍କର ଆଉ କିଛି ଲୋକପ୍ରିୟ ଫିଲ୍ମ ହେଲା- ଆରତୀ, ମମତା ମାଗେ ମୁଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା ଇତ୍ୟାଦି ଭୁଲି ହୁଏନା। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ବିଜୟ। ସେ ୧୯୭୭ରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଯୋଗଦେଇ କିଛି ବର୍ଷ ପୂର୍ବରୁ ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ।

ମତାମତ ଦିଅନ୍ତୁ ।

Back to top button