ଅରୁଣଙ୍କ ଇସ୍ତଫା ନା ପରୀକୁ ନ୍ୟାୟ, କ’ଣ ଚାହୁଁଛନ୍ତି ବିରୋଧୀ ?

ଭୁବନେଶ୍ଵର : ନିର୍ବାଚନ ଆସିଲେ ନେତାଙ୍କର ଯେପରି ଜନତାଙ୍କ କଥା ମନେ ପଡେ। ଠିକ ସେହିପରି ବିଧାନସଭା ବସିଲେ ବିରୋଧୀ ଉଠାନ୍ତି ବିଭିନ୍ନ ପ୍ରସଙ୍ଗ। ଏହା ପୂର୍ବରୁ ମୁହଁରେ ତୁଣ୍ଡି ବନ୍ଧା ହୋଇଥାଏ। ନୟାଗଡ ଜିଲ୍ଲାର କୁନି ଝିଅ ପରୀ ମୃତ୍ୟୁକୁ ନେଇ ସମାନ ଅବସ୍ଥା ସୃଷ୍ଟି ହୋଇଛି। ପରୀକୁ ହତ୍ୟା କରାଯାଇଥିବା କଥା ସମସ୍ତେ ଭୁଲି ଯାଇଥିଲେ। ପରୀର ପିତା-ମାତା ବିଧାନସଭା ସାମ୍ନାକୁ ଆସିବା ଦିନଠାରୁ ଟାର୍ଗେଟରେ ରହିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଅତୀତରେ ଏଭଳି ଘଟଣା ଦେଖାଯାଇଛି। ବିରୋଧୀଙ୍କ ଜିଦ ଯୋଗୁ କେତେଜଣଙ୍କର ମନ୍ତ୍ରୀପଦ ଯାଇଛି। ତା’ପରେ ଚୁପ। ଆଉ ସେ ପ୍ରସଙ୍ଗ କେବେ ବିରୋଧୀ ଉଠାଇ ନାହାନ୍ତି। ଏଥିରେ କାହାର ଲାଭ ହେଉଛି ? କ୍ଷତି ସହିବା ପରିବାରର ନା ବିରୋଧୀଙ୍କର ?

କୁନି ଝିଅ ପରୀକୁ ହତ୍ୟା କରାଯିବା ଏକ ଜଘନ୍ୟ ଘଟଣା। ଏଥିରେ ଯିଏ ଦୋଷୀ ତାକୁ ଫାଶିରେ ଝୁଲାଇବା ଉଚିତ। କିନ୍ତୁ ବିରୋଧୀ ଯେଉଁ ଢଙ୍ଗରେ ପ୍ରସଙ୍ଗକୁ ନେଉଛନ୍ତି ସେଥିରେ ପ୍ରଥମ ଟାର୍ଗେଟରେ ରହିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ପରୀକୁ ନ୍ୟାୟ କଥା ପଛକୁ ଚାଲି ଯାଉଛି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନେଇ ସୂଚନା ଦେଇଛନ୍ତି। ହେଲେ ଏଥିରେ ସନ୍ତୁଷ୍ଟ ନହୋଇ ବିରୋଧୀ ବିଧାନସଭାକୁ ଅଚଳ କରିଛନ୍ତି। ଏହାଦ୍ୱାରା କ’ଣ ପରୀକୁ ନ୍ୟାୟ ମିଳିବ ? ଯଦି ପରୀ ଘଟଣାରେ ଅରୁଣ ସାହୁ ଦାୟୀ ତେବେ ଯେଉଁ ଅଞ୍ଚଳରେ ବିଭିନ୍ନ ଅପରାଧିକ ଘଟଣା ଘଟୁଛି ସେଠାକାର ବିଧାୟକଙ୍କୁ ଦାୟୀ କରାଯାଉନାହିଁ କାହିଁକି ?

ଆମେ ମନେ ପକାଇ ଦେବାକୁ ଚାହୁଁଛୁ କିଛିବର୍ଷ ମଧ୍ୟରେ ଅନେକ ଘଟଣା ଘଟିଛି। ସେ ସମୟରେ ବିରୋଧୀଦଳର ଟିମ ସପୃକ୍ତ ଅଞ୍ଚଳକୁ ଗସ୍ତକରି ଘଟଣାର ଶିକାର ହୋଇଥିବା ପରିବାରକୁ ଭେଟି ସମବେଦନା ଜଣାଇଛି। ରାଜ ରାସ୍ତାରେ କରାଯାଇଛି ବିକ୍ଷୋଭ। ଦାହ କରାଯାଇଛି କୁଶ ପୁତ୍ତଳିକା। ବିଧାନସଭାରେ ହୋଇଛି ନରାବାଜି। ଗୃହକୁ ଅଚଳ କରାଯାଇଛି। ଏସବୁ ପରେ ସେହି ପରିବାରର କଥା ଆଉ କେବେ ଚିନ୍ତା କରାଯାଇଛି କି ? ଏହାର ଉତ୍ତର କେବେ ହଁ ହେବନାହିଁ। ସଦ୍ୟ ଘଟଣାକୁ ନେଇ ହୋହାଲ୍ଲ କରିବା ପରେ ପ୍ରସଙ୍ଗକୁ ଭୁଲି ଯାଉଛନ୍ତି ବିରୋଧୀ। ଯାହା ରାଜନେତାଙ୍କର ଧର୍ମ ନୁହେଁ। ଏହାକୁ କୁହାଯିବ ସୁବିଧାବାଦୀ। ପରୀ ଘଟଣାରେ ମଧ୍ୟ ଆଗକୁ ସେୟା ହେବ। ଯେଉଁମାନେ ଏତେଦିନ ଚୁପ ରହିଥିଲେ ସେମାନେ ଏବେ ନ୍ୟାୟ ନାଁରେ ଚିତ୍କାର କରିବା ପଛରେ ଆଉ କିଛି କାରଣ ଅଛି କି ?

  ୨୧ରୁ କାଳିଆ ଦର୍ଶନ ପାଇଁ ମିଳିବ ସୁଯୋଗ

ସତ କେବେ ଲୁଚି ରହିନି। ଦିନେନା ଦିନେ ପଦାକୁ ଆସିବ। ଦୁଇ ଘନିଷ୍ଠ ବନ୍ଧୁ ଏହାର ଏକ ଉଦାହରଣ। ଜଣେ ଅର୍ଥ ଲୋଭରେ ବନ୍ଧୁକୁ ଜଙ୍ଗଲକୁ ଡାକିନେଇ ହତ୍ୟା କଲା। କେହି ଜାଣିବାର ସମ୍ଭାବନା ନାହିଁ। କିନ୍ତୁ ସେହି ସମୟରେ ହେଉଥିବା ବର୍ଷାର ପାଣି ଫୋଟକାକୁ ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଜଣକ ସାକ୍ଷୀ କରିଥିଲା। ଆଉ କହିଥିଲା ଏହି ଫୋଟକା ସତ ପଦାକୁ ଆଣିବ। ଏମିତି କେତେ ବର୍ଷା ଯାଇଛି। ହତ୍ୟାକାରୀ କେବେ ଚିନ୍ତା କରିନାହିଁ। ଦିନେ ପତ୍ନୀଙ୍କ ସହିତ ବସିଥିବା ବେଳେ ବର୍ଷାର ପାଣି ଫୋଟକାକୁ ଦେଖି ହସିଥିଲେ। ପତ୍ନୀ ଏହାର କାରଣ ଜାଣିବାକୁ ଜିଦ ଧରିଥିଲେ ପତ୍ନୀ। ଯାହାଫଳରେ ସେ ବାଧ୍ୟହୋଇ କହିଥିଲେ ପାଣି ଫୋଟକାକୁ ସାକ୍ଷୀ କରାଯିବା ସମ୍ପର୍କରେ। ଘଟଣାକ୍ରମରେ ପତ୍ନୀଙ୍କ ମୁହଁରୁ କଥା ବାହାରି ଲୋକଲୋଚନକୁ ଯାଇଥିଲା। ବନ୍ଧୁ ହତ୍ୟାକାରୀ ହୋଇଥିଲେ ଦୋଷୀ।

ଏହି ଉଦାହରଣ ଦେବାର ଅର୍ଥ ହେଲା ପରୀକୁ ହତ୍ୟା କରାଯାଇଥିବା ଅଞ୍ଚଳରେ ସବୁ ଦଳର କର୍ମୀ ଓ ନେତା ଅଛନ୍ତି। ତାଙ୍କ ପାଖରେ କ’ଣ ସୂଚନା କିଛି ନାହିଁ ? ଲୋକେ କିଛି ଆଲୋଚନା କରୁ ନାହାନ୍ତି ? କାହାକୁ ସନ୍ଦେହ କରାଯାଉ ନାହିଁ ? ଯଦି ତଦନ୍ତକାରୀ ସଂସ୍ଥକୁ ଏ ସମ୍ପର୍କରେ କୌଣସି ମାଧ୍ୟମରେ ଗୁପ୍ତ ସୂଚନା ଦିଆଯାଇ ପାରନ୍ତା ତା’ହେଲେ ହତ୍ୟାକାରୀର ଅପରାଧ ପଦାକୁ ଆସିବା ବିଳମ୍ବ ହୁଅନ୍ତା ନାହିଁ। ଏଥିପାଇଁ ସବୁ ଦଳର ନେତା ଆନ୍ତରିକତା ପ୍ରକାଶ କରନ୍ତୁ। କେବଳ ବିଧାନସଭା ଅଚଳ କରିଦେଲେ କ’ଣ ଅପରାଧୀ ଆପେ ଆସି ଆତ୍ମ ସମର୍ପଣ କରିବ ? ଦ୍ଵିତୀୟ କଥା ହେଲା ପୋଲିସ ଏତେଦିନ ହେଲା କ’ଣ କରୁଛି ? ହତ୍ୟାକାରୀକୁ କାହିଁକି ଧରିପାରୁନି ? ଏଥିପାଇଁ ସେମାନଙ୍କୁ ଦାୟୀ କରାଯିବା ଉଚିତ ନୁହେଁ କି ? ତେଣୁ ଗୋଟିଏ କୁନି ଝିଅର ହତ୍ୟାକାରୀକୁ ଦଣ୍ଡିତ ହେବା ସମସ୍ତଙ୍କର ଲକ୍ଷ୍ୟ ହେଉ। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି ନହେଉ।

ମତାମତ ଦିଅନ୍ତୁ ।