ଅସହମତି ପ୍ରତି ବଢୁଛି ଅସହନଶୀଳତା

॥ ଗୋପାଳ ମହାପାତ୍ର ॥ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟ, ଅନେକ ଉଚ୍ଚ ଅଦାଲତ, ବିଭିନ୍ନ ସମ୍ବାଦପତ୍ର, ସାମାଜିକ ଓ ନ୍ୟାୟିକ ସଂସ୍ଥାର ବିଶେଷ ଏପରିକି ଅନେକ ଦେଶର ମାନବାଧିକାର କର୍ମୀ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ପ୍ରତିବଦ୍ଧ ସଂସ୍ଥାମାନେ ଭାରତରେ କହିବା-ଲେଖିବାର ସ୍ୱାଧୀନତା ଉପରେ କିଛି ବର୍ଷ ହେବ ଅଙ୍କୁଶ ଲଗାଯାଇଥିବା କଥା ବିଭିନ୍ନ ସମୟରେ କହୁଛନ୍ତି। ଉପରୋକ୍ତ ସଂସ୍ଥା ମାନଙ୍କର ମତ ହେଉଛି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କହିବା, ଲେଖିବା ଅଥବା କୌଣସି ପ୍ରକାରର ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକଙ୍କୁ ଡରାଇବା ଓ ଧମକ ଦେବା ଏପରିକି ବିଭିନ୍ନ ଭାବେ ଆତଙ୍କିତ କରାଇବାର ଉଦ୍ୟମ କରାଯାଉଛି। ଏହି କ୍ରମରେ ସରକାରଙ୍କୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆର୍ଥିକ ପ୍ରସଙ୍ଗକୁ ନେଇ ଚଢଉ କରାଯିବା, ଏଭଳି ବ୍ୟକ୍ତିଙ୍କ ନାମରେ ମନିଲେଣ୍ଡରିଙ୍ଗ୍ ମାମଲା ଦାଏର କରାଯିବା ଏପରିକି ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ କରାଯାଉଛି। ଯଦି କେହି ସମ୍ବାଦପତ୍ର ସରକାର ବିରୋଧରେ ଲେଖୁଛି ତ ସେଇ ସମ୍ବାଦପତ୍ରକୁ ଦିଆଯାଉଥିବା ସରକାରୀ ବିଜ୍ଞାପନ ବନ୍ଦ କରି ଦିଆଯାଉଛି। ବିନା କୌଣସି ଆଧାରରେ ଦେଶଦ୍ରୋହ ମାମଲା ଦାଏର କରାଯାଉଛି। ଏକଥା ସ୍ୱୀକାର କରିଛନ୍ତି ମୁକୁଲ ରୋହତଗୀ।

ମୁକୁଲ ରୋହତଗୀ ୨୦୧୪ ମସିହା ଜୁନ୍ ୧୯ତାରିଖ ଠାରୁ ୨୦୧୭ ଜୁନ୍ ମାସ ୧୮ ତାରିଖ ପର୍ଯ୍ୟନ୍ତ ମୋଦୀଙ୍କ ସରକାର ସମୟର ଆଟର୍ଣ୍ଣି ଜେନେରାଲ୍ ଥିଲେ। ସେ ସରକାରଙ୍କ ପକ୍ଷରୁ ତିନି ତଲାକ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାରଙ୍କ ପକ୍ଷରୁ ଲଢିଛନ୍ତି। ଅଟଳବିହାରୀ ବାଜପେୟୀଙ୍କ ସରକାର ବେଳେ ରୋହତଗୀ ଅତିରିକ୍ତ ସଲିସିଟ୍‌ର ଜେନେରାଲ୍ ମଧ୍ୟ ଥିଲେ। ଗତ ୧ତାରିଖ ଦିନ ଇଣ୍ଡିଆନ ଏକ୍ସପ୍ରେସରେ ରୋହତଗୀଙ୍କର ଏକ ସାକ୍ଷାତକାର ପ୍ରକାଶ ପାଇଥିଲା। ଏହି ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ ରୋହତଗୀ କହିଛନ୍ତି ଦିଶାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଦାଏର କରାଯିବା ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା। ଅସହମତିକୁ ଚପାଇ ଦିଆଯିବା ପାଇଁ ଏଭଳି କରାଯିବା ସମ୍ବିଧାନ ବିରୋଧୀ କାର୍ଯ୍ୟ ବୋଲି ରୋହତଗୀ କହିଛନ୍ତି। ସେଡିସନ୍ ବା ଦେଶତ୍ରୋହ ଆଇନ ଇଂରେଜମାନେ ପ୍ରଣୟନ କରିଥିଲେ। ସେତେବେଳେ ଇଂରେଜ ଶାସକଙ୍କୁ ବିରୋଧ କରୁଥିବା ଲୋକଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା କରାଯାଉଥିଲା। କିନ୍ତୁ ଦିଶା ରବିଙ୍କ କ୍ଷେତ୍ରରେ ଏଭଳି କିଛି ପ୍ରମାଣ ନଥିଲା ଯେ ସେ ସରକାରଙ୍କୁ ଅପଦସ୍ତ କରାଇବା ପାଇଁ ହିଂସାର ରାସ୍ତା ଆପଣେଇଥିଲେ। ଅସହମତି ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଚାପି ଦେବା ପାଇଁ ଏହା ଏକ ହୀନ କାର୍ଯ୍ୟ। ଏଭଳି ଏକ ଘଟଣା ନବଦୀପ କୌରଙ୍କ କ୍ଷେତ୍ରରେ ଘଟିଥିଲା। ଏହି ଦଳିତ ଯୁବତୀ ନବଦୀପ କୌର ଦୀର୍ଘଦିନ ହେବ ଶିଳ୍ପ ସଂସ୍ଥା ମାନଙ୍କରେ କାର୍ଯ୍ୟରତ ଶ୍ରମିକମାନଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିଲେ। ତାଙ୍କୁ ଗିରଫ କରାଗଲା ଏପରିକି ପୋଲିସ ତାଙ୍କୁ ମାରପିଟ୍ କରିଥିଲେ ବୋଲି ନବଦୀପ ଅଭିଯୋଗ କରିଥିଲେ।

କୌଣସି ଠୋସ୍ ପ୍ରମାଣ ନଥାଇ ଗିରଫ କରାଯିବା ଭଳି ଘଟଣା କିଛି ବର୍ଷ ହେବ ବଢିବାରେ ଲାଗିଛି। କେବଳ ରୋହତଗୀ ନୁହଁନ୍ତି ପୂର୍ବତନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ମଧ୍ୟ ଏ ପ୍ରସଙ୍ଗରେ “କୋର୍ଟସ୍ ସାଉଣ୍ଡ ଦି ବେଲ ଫର୍ ଲିବର୍ଟି” ଶୀର୍ଷକରେ ଏକ ଲେଖା ଲେଖିଥିଲେ। ଚିଦାମ୍ବରମ୍ ତାଙ୍କ ଲେଖାରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ସ୍ୱର୍ଗୀୟ କୃଷ୍ଣା ଆୟାର ଦେଇଥିବା ଏକ ରାୟର ଉଲ୍ଲେଖ କରିଥିଲେ। ରାୟରେ ବିଚାରପତି ଆୟାର କହିଥିଲେ ଯେ, “ବେଲ ନଟ୍ ଜେଲ” ବୋଲି ଏକ ବୁନିଆଦି ନିୟମ ପ୍ରଣୟନ ହେବା ଉଚିତ୍। କିନ୍ତୁ ଏବେ ଏହାର ଠିକ୍ ବିପରୀତ ଘଟୁଛି। ଆଜିକାଲି ଠୋସ୍ ପ୍ରମାଣ ନଥାଇ ମଧ୍ୟ ଅଭିଯୁକ୍ତକୁ ଜାମିନ ଦିଆନଯିବା ପାଇଁ ଅଦାଲତରେ ସରକାରୀ ପକ୍ଷ ନିବେଦନ କରୁଛନ୍ତି। ଏହି କାରଣରୁ ବିଚାରଧୀନ କଏଦୀମାନେ ଅଯଥାରେ ଜେଲରେ ଷଢୁଛନ୍ତି। ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାରେ ତାଙ୍କୁ ଜାମିନ ମଞ୍ଜୁର କରିବା ସହ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଥିଲେ ଦିନକ ପାଇଁ ବି କୌଣସି ବ୍ୟକ୍ତିର ଲିବର୍ଟିକୁ ଛଡ଼ାଇ ନିଆଯିବା ଉଚିତ୍ ନୁହେଁ। ଚିଦାମ୍ବରମ ତାଙ୍କ ଲେଖାରେ ଆହୁରି ମଧ୍ୟ ଲେଖିଛନ୍ତି ଏବେ ଅନେକ ବିଚାରପତି ଜାମିନ ଆବେଦନକୁ ତୁରନ୍ତ ମଞ୍ଜୁରି ଦେଉଛନ୍ତି।

ସେହିଭଳି ଜଣେ ଜାତୀୟ ସ୍ତରର ସାମ୍ବାଦିକ ତବଲିନ ସିଂହ ଲେଖିଛନ୍ତି ଅସହମତି ହିଁ ଗଣତନ୍ତ୍ରର ଆଭୂଷଣ ଓ ଏହାଦ୍ୱାରା ଗଣତନ୍ତ୍ର ଅଧିକ ମଜଭୁତ ହୋଇଥାଏ। ଶାସନରେ ବସିଥିବା ଲୋକଙ୍କ ଅହଂକୁ ସନ୍ତୁଷ୍ଟ କରିବା ପାଇଁ ଦେଶଦ୍ରୋହ ଆଇନର ଉପଯୋଗ କରାଯିବା ଠିକ୍ ନୁହେଁ ବୋଲି ତବଲିନ୍ ଲେଖିଛନ୍ତି। ସେ ତାଙ୍କ ଲେଖାରେ ବିଚାରପତି ଧର୍ମେନ୍ଦ୍ର ରାଣାଙ୍କ ମନ୍ତବ୍ୟ ଉଦ୍ଧୃତ କରିଛନ୍ତି। ବିଚାରପତି ଧର୍ମେନ୍ଦ୍ର ରାଣା ଦିଶା ରବିଙ୍କ ଜାମିନ୍ ଆବେଦନକୁ ମଞ୍ଜୁର କରିଥିଲେ। ସେ ସମୟରେ ବିଚାରପତି ରାଣାଙ୍କୁ ଅନେକ ସମ୍ବାଦପତ୍ର ପ୍ରଶଂସା କରିଥିଲେ। ଫେବୃୟାରୀ ୨୫ତାରିଖର ଇଣ୍ଡିଆନ ଏକ୍ସପ୍ରେସ ସମ୍ବାଦପତ୍ର ସମ୍ପାଦକୀୟ ସ୍ତମ୍ଭରେ ଲେଖିଥିଲେ ରାଣାଙ୍କ ନିର୍ଣ୍ଣୟ ଅନେକ ଅଦାଲତଙ୍କ ପାଇଁ ପ୍ରେରଣାର ଆଧାର ହୋଇପାରେ। ରାଣା ସେଇଆ ହିଁ କରିଛନ୍ତି ଯାହା ନ୍ୟୟାପାଳିକା କରିବା ଆବଶ୍ୟକ। ବିଚାରପତି ରାଣା ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଅଭିବ୍ୟକ୍ତିର ଅଧିକାରରେ ନିଜର କଥା ବା ମନ୍ତବ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ଅଧିକାର ମଧ୍ୟ ସାମିଲ।

ପି. ଚିଦାମ୍ବରମ୍ ତାଙ୍କ ଦ୍ୱାରା ଲିଖିତ ଅନ୍ୟ ଏକ ଲେଖାରେ ଲେଖିଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ କ’ର ଚାପ ପକାଯାଉନାହିଁ କି ? ଗଣମାଧ୍ୟମର କିଛି ସଂସ୍ଥାକୁ କ’ଣ ସରକାର ବିରୁଦ୍ଧରେ ନ ଲେଖିବା ପାଇଁ ଚାପ ପକାଯାଉ ନାହିଁ କି ? କ’ଣ ଅପରାଧିକ ଆଇନର ଦୁରୂପଯୋଗ କରାଯାଉନାହିଁ କି ? କେବଳ ଦେଶରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏ ପ୍ରସଙ୍ଗରେ ସ୍ୱର ଉଠୁଛି। ବିଗତ କିଛି ବର୍ଷ ହେବ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ତାର ମର୍ଯ୍ୟାଦା ହରାଇବାରେ ଲାଗିଛି ବୋଲି ଆନ୍ତର୍ଜାତୀୟ ସଂସ୍ଥାମାନେ କହିଲେଣି। ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ତର୍ଜମା ତଥା ସର୍ବେକ୍ଷଣ କରୁଥିବା ଏକ ସଂସ୍ଥାର ରିପୋର୍ଟ ଅନୁସାରେ ବିଶ୍ୱର ୧୮୦ଟି ଦେଶର ତାଲିକାରେ ଭାରତର ସ୍ଥାନ ୧୪୦ରେ ରହିଛି। ସେହିଭଳି ମାନବୀୟ ସ୍ୱାଧୀନତାର ଆଧାରରେ ୧୬୨ଟି ଦେଶର ତାଲିକାରେ ଭାରତର ସ୍ଥାନ ୧୧୧ରେ ରହିଛି। ସ୍ୱିଡେନର ଏକ ସଂସ୍ଥାର ରିପୋର୍ଟ ଅନୁସାରେ ଭାରତରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ମାନ ହ୍ରାସ ପାଇବାରେ ଲାଗିଛି। ସ୍ୱିଡ଼େନର ଏହି ସଂସ୍ଥା ବିଶ୍ୱର ବିଭିନ୍ନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ରିପୋର୍ଟ ପ୍ରସ୍ତୁତ କରିଥାଏ। ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସ୍ୱିଡ଼େନର ଗୋଥେନବର୍ଗ ବିଶ୍ୱବିଦ୍ୟାଳୟରେ ରହିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଭାରତରେ ପ୍ରେସ୍‌ର ସ୍ୱାଧୀନତା ଉପରେ ଅଧିକ ଚାପ ପଡୁଛି। ଏସବୁ ତଥ୍ୟ ସରକାରଙ୍କ ଭାବମୂର୍ତ୍ତିଙ୍କ ଉପରେ ଆଞ୍ଚ ଆଣୁଛି ନିଶ୍ଚୟ। ସରକାର ମଧ୍ୟ ଏ ଦିଗରେ ସଚେତନ ହେବା ଆବଶ୍ୟକ।

ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪

Leave a Reply

Your email address will not be published. Required fields are marked *

Back to top button