ଅସହାୟ ବୃଦ୍ଧାଙ୍କୁ ସାମାଜିକ ସଂଗଠନର ସହାୟତା

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ କରଗୋଳା ଗ୍ରାମ ପଞ୍ଚୟତର କୁଣ୍ଡି ସାହିର ଆଦିବାସୀ ଭୂୟାଁ ସମ୍ପ୍ରଦାୟ ବୃଦ୍ଧା ଜାହାଜ ଦେହୁରୀ। ବୟସ ୮୨ ବର୍ଷ। ରୋଜଗାର କରିବାକୁ କେହି ନାହିଁ। ଭଙ୍ଗା ଘରେ ନାବାଳକ ତିନି ନାତିଙ୍କୁ ଧରି ଦୁଃଖ ଦୁର୍ଦ୍ଦଶାରେ ବିତାଉଛନ୍ତି ଜୀବନ। ଏବେ ସେମାନଙ୍କୁ ସହାୟକ ହୋଇଛି ଏକ ସାମାଜିକ ସଂଗଠନ।

ଖବର ହେଲା ୨୦ ବର୍ଷ ତଳେ ଜାହାଜଙ୍କ ସ୍ଵାମୀଙ୍କର ମୃତ୍ୟୁ ଘଟିଛି। ଭରସା ଥିଲା ପୁଅ। କିନ୍ତୁ ସେ ବାହାରକୁ ମୂଲ ଲାଗିବା ପାଇଁ ଯାଇ ଆଉ ଫେରିଲାନି। ବୋହୂ ତିନୋଟି ଛୋଟ ପିଲାଙ୍କୁ ଛାଡି ବାପ ଘରକୁ ଚାଲିଗଲା। ଏବେ ବୃଦ୍ଧାଙ୍କ ପାଖରେ ସେଇ ଭଙ୍ଗା ଘରେ ରହୁଛନ୍ତି ତିନିନାତି ପ୍ରକାଶ ଦେହୁରୀ (୧୨ବର୍ଷ), ଆକାଶ ଦେହୁରୀ (୯ ବର୍ଷ) ଓ ବିକାଶ ଦେହୁରୀ (୭ ବର୍ଷ)। ସରକାର ସହାୟତା କହିଲେ ମିଳୁଛି ମାସକୁ ୫୦୦ ଟଙ୍କା ଭତ୍ତା ଓ ଅନ୍ତୋଦୟ ଯୋଜନାରେ ଚାଉଳ। ହେଲେ ଏଥିରେ ୪ ଜଣ ଚଳିବା ସମ୍ଭବ ହେଉନି। ଭୋକ ଉପାସରେ ଅଧିକାଂଶ ଦିନ କଟୁଛି।

ସବୁଠାରୁ ବଡ ଦୁଃଖ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ଲଘୁଚାପ ଜନିତ ବର୍ଷାରେ ଭଙ୍ଗା ଘରର ଅବସ୍ଥା ଶୋଚନୀୟ ହୋଇପଡିଛି। ହେଲେ କାହାରିକୁ ଏଇ ବୃଦ୍ଧାଙ୍କ ଦୁଃଖ ବୁଝିବାକୁ ବେଳନାହିଁ। ବ୍ଲକ ଅଫିସ୍ ଠାରୁ ମାତ୍ର ୫ କିଲୋମଟର ଦୂରରେ ବୃଦ୍ଧା ଏପରି ଜୀବନ ବିତାଉ ଥିଲେ ହେଁ କାହାରି ନଜର ପଡୁନି। ବୃଦ୍ଧାଙ୍କର ଏ ଦୁର୍ଦ୍ଦଶା ସମ୍ପର୍କରେ ଖବର ପାଇ ଢେଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସୌମ୍ୟା ମିଶ୍ର ଓ ଅନନ୍ୟା ଦାସ ପହଞ୍ଚି ରାସନ୍ ସାମଗ୍ରୀ ପ୍ରଦାନ କରିଛନ୍ତି। ତାଙ୍କୁ ଘର ଖଣ୍ଡିଏ କିପରି ମିଳିବ ସେନେଇ କରଗୋଲା ସରପଞ୍ଚ ଭେଟି ଆଲୋଚନା କରିଛନ୍ତି। ସେ ମଧ୍ୟ ଘର ଖୁବ୍ ଶୀଘ୍ର କରିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ମତାମତ ଦିଅନ୍ତୁ ।