‘ଅଟଳ ଟନେଲ୍’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସର୍ବବୃହତ ‘ଅଟଳ ଟନେଲ’ର ଉଦଘାଟନ କରିଛନ୍ତି। ଏହି ଟନେଲର ଲମ୍ବ ୯.୦୨ କିଲୋମିଟର ଓ ଉଚ୍ଚତା ୩୦୦୦ମିଟର। ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୀର ପଞ୍ଜଲ ପାହାଡ଼ରେ ‘ଅଟଳ ଟନେଲ’ ନିର୍ମାଣ କରାଯାଇଛି। ସମୁଦ୍ର ପତ୍ତନଠାରୁ ଏହା ୧୦,୦୦୦ ଫୁଟ ଉଚ୍ଚରେ ରହିଛି। ଏହାଦ୍ୱାରା ମନାଲି ଓ ଲେହର ଦୂରତା ୪୬ କିଲୋମିଟର କମିବ। ଏ ଦୁଇଟି ସ୍ଥାନକୁ ଯିବାପାଇଁ ଏଣିକି ୪ ରୁ ୫ ଘଣ୍ଟା ସମୟ କମ ଲାଗିବ।

ଘୋଡ଼ା ଖୁରା ଆକୃତି ‘ଅଟଳ ଟନେଲ୍’ ମନାଲିଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ। ଦକ୍ଷିଣ ସୀମା ସମୁଦ୍ର ପତ୍ତନଠାରୁ ଏହା ୩୦୬୦ ମିଟର ଉଚ୍ଚରେ ଥିବାବେଳେ ଲାହୌଲ ଉପତ୍ୟକାର ତାଲିଙ୍ଗ ଓ ସିସୁ ଗ୍ରାମ ନିକଟ ଉତ୍ତର ସୀମା ସମୁଦ୍ର ପତ୍ତନଠାରୁ ୩୦୭୧ମିଟର ଉଚ୍ଚରେ ରହିଛି। ୧୦.୫ମିଟର ଚଉଡା ବିଶିଷ୍ଟ ଏହି ଟନେଲରେ ୩.୬ x ୨.୨୫ ମିଟରର ଫାୟାରପ୍ରୁଫ୍ ଜରୁରୀକାଳୀନ ପ୍ରସ୍ଥାନ ଗେଟ୍ ନିର୍ମାଣ କରାଯାଇଛି। ଦିନକୁ ୩୦୦୦ କାର୍ ଓ ୫୦୦ ଟ୍ରକ୍ ୮୦ କିଲୋମିଟର ବେଗରେ ଚଳାଚଳ କରିପାରିବ। ‘ଅଟଳ ଟନେଲ’ରେ କରାଯାଇଛି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା। ପ୍ରତି ୧୫୦ ମିଟର ଦୂରତାରେ ଟେଲିଫୋନର ବ୍ୟବସ୍ଥା ରହିଛି। ଏହାଦ୍ଵାରା ଜରୁରୀକାଳୀନ ପରିସ୍ଥିତିରେ ସମ୍ପର୍କ ସ୍ଥାପନ ହୋଇପାରିବ। ସେହିପରି ପ୍ରତି ୬୦ ମିଟରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି। ୨୫୦ ମିଟର ଦୂରତାରେ ସିସିଟିଭି ସୁବିଧା ଉପଲବ୍ଧ। ବାୟୁ ଗୁଣବତ୍ତା ଯାଞ୍ଚ ପାଇଁ ପ୍ରତି ୧ କିଲୋମିଟରରେ ଲାଗିଛି ମେସିନ୍।

ରୋହତଙ୍ଗ ପାସ୍ ଅଧୀନରେ ଏହାକୁ ୨୦୦୦ ଜୁନ୍ ୩ରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭିତ୍ତି ପ୍ରସ୍ତର ୨୬ ମେ’ ୨୦୦୨ରେ ରଖାଯାଇଥିଲା। ଅଟଳ ଟନେଲ୍ ନିର୍ମାଣ ପାଇଁ ୧୪,୫୦୮ ମେଟ୍ରିକ୍ ଟନ୍ ଷ୍ଟିଲ୍, ୨,୩୭,୫୯୬ ମେଟ୍ରିକ୍ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଥିବା ବେଳେ ଅଷ୍ଟ୍ରିଆର ଟନେଲିଂ କୌଶଳ ବ୍ୟବହାର କରାଯାଇଛି। ପୂର୍ବରୁ ଏହାର ନାମ ରୋହତଙ୍ଗ ଟନେଲ ରଖାଯାଇଥିଲା। ୨୪ ଡିସେମ୍ବର ୨୦୧୯ରେ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ବାର୍ଷିକୀରେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନିତ କରିବା ପାଇଁ ରୋହତଙ୍ଗ ଟନେଲକୁ ଅଟଳ ଟନେଲ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ମତାମତ ଦିଅନ୍ତୁ ।