ଅତି ଦ୍ରୁତଗାମୀ ଟ୍ରେନ୍‌ରୁ ନନ୍ ଏସି ସ୍ଲିପର୍ କୋଚ୍ ହଟିବ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ସର୍ବାଧିକ ଘଣ୍ଟାପ୍ରତି ୧୩୦ କି‌ଲୋମିଟର୍‌ର ଓ ତା’ଠାରୁ ଅଧିକ ବେଗରେ ଗତି କରୁଥିବା ସ୍ପେସାଲ ଏୟାର୍‌-କଣ୍ଡିସନ୍‌ଡ୍‌ କୋଚ୍‌ଗୁଡ଼ିକର ଆଧୁନିକିକରଣ କରିବ। ଅତି ଦ୍ରୁତଗାମୀ ଟ୍ରେନ୍‌ରେ ଥିବା ନନ୍-ଏସି ସ୍ଲିପର୍ କୋଚ୍ ସ୍ଥାନରେ କେବଳ ଏସି କୋଚ୍ ଲାଗିବ।

ରବିବାର ରେଳ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁଯାୟୀ ଉପରୋକ୍ତ ଟ୍ରେନ୍‌ଗୁଡ଼ିକରେ ଆଦୌ ସ୍ଲିପର୍ କୋଚ୍ ରହିବ ନାହିଁ। ଏହି ନିଷ୍ପତ୍ତି କେବଳ ଅତି ଦ୍ରୁତଗାମୀ ଟ୍ରେନ୍‌ଗୁଡ଼ିକ ପ୍ରତି ପ୍ରଯୁଜ୍ୟ ହେବ। କିନ୍ତୁ ସର୍ବାଧିକ ୧୧୦ କିଲୋମିଟର ବେଗରେ ଗତି କରୁଥିବା ମେଲ୍‌ ଓ ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକରେ ପୂର୍ବଭଳି ସ୍ଲିପର୍‌ କୋଚ୍‌ ରହିବ।

ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେଉଁଠି ଟ୍ରେନ୍‌ର ଘଣ୍ଟାପ୍ରତି ବେଗ ୧୩୦ କିଲୋମିଟର୍‌ରୁ ଅଧିକ ସେଠାରେ ଏସି କୋଚ୍ ବାସ୍ତବ ଆବଶ୍ୟକତା ହୋଇଗଲାଣି। ଅତି ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ହେବାକୁ ଥିବା ରେଳବାଇ ନେଟ୍‌ୱାର୍କଗୁଡ଼ିକୁ ଉନ୍ନତ କରିବାକୁ ଭାରତୀୟ ରେଳବାଇ ଏକ ବ୍ୟାପକ ଯୋଜନା ଉପରେ କାର୍ଯ୍ୟ କରୁଛି।

ଘଣ୍ଟାପ୍ରତି ୧୩୦ ରୁ ୧୬୦ କିଲୋମିଟର୍‌ ବେଗରେ ଟ୍ରେନ୍ ଚଳାଚଳ ନିମନ୍ତେ ସ୍ଵର୍ଣ୍ଣିମ ଚତୁର୍ଭୁଜ ଓ ତ୍ରିଭୁଜରେ ଥିବା ରେଳଧାରଣା ସବୁକୁ ଉନ୍ନତ କରାଯାଉଛି। ଅତି ଦ୍ରୁତଗାମୀ ଟ୍ରେନ୍‌ରେ ଥିବା ନନ୍-ଏସି ସ୍ଲିପର୍ କୋଚ୍ ସ୍ଥାନରେ କେବଳ ଏସି କୋଚ୍ ଲାଗିବ। ଏସି କୋଚ୍‌ଗୁଡ଼ିକ ହମ୍‌ସଫର୍‌ ଟ୍ରେନ୍‌ର ଏସି-୩ ଚେୟାର୍ କାର୍‌ କୋଚ୍ ଭଳି ହେବ। କପୁରତାଲାରେ ରେଳ ଡବା କାରଖାନାରେ ନୂତନ ଏସି କୋଚ୍‌ର ‘ପ୍ରୋଟୋଟାଇପ୍’ ତିଆରି ଚାଲିଛି। ଅଳ୍ପ କେତେ ସପ୍ତାହ ମଧ୍ୟରେ ତାହା ପ୍ରସ୍ତୁତ ‌ହୋଇଯିବ।

ମତାମତ ଦିଅନ୍ତୁ ।