ବଦଳୁଛି ନିର୍ବାଚନୀ ପରିଭାଷା

0

ଗୋପାଳ ମହାପାତ୍ର ॥ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଲୋକେ ହିଁ ସରକାରକୁ ଚୟନ କରନ୍ତି ଏକଥା ପ୍ରତ୍ୟେକ ଲୋକ (ଭୋଟର) ଭଲ ଭାବେ ଜାଣନ୍ତି। ରାଜ୍ୟସଭା ଓ କେତେକ ରାଜ୍ୟରେ ଥିବା ବିଧାନ ପରିଷଦକୁ ଛାଡିଦେଲେ ଦେଶରେ ହେଉଥିବା ଅନ୍ୟ ସବୁ ନିର୍ବାଚନ ଲୋକଙ୍କ ଭୋଟ ଦ୍ୱାରା ହିଁ ହୋଇଥାଏ।

ସ୍ୱାଧୀନତା ପରେ ୧୯୫୨ ମସିହାରେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା। ସେତେବେଳେ ଦେଶର ଲୋକସଂଖ୍ୟା ଥିଲା ୩୬କୋଟି। କିନ୍ତୁ ଦେଶର ଅନେକ ଲୋକ ସେମାନଙ୍କର ଭୋଟର ମୂଲ୍ୟ ବାବଦରେ ଭଲଭାବେ ଅବଗତ ନଥିଲେ କି ଭୋଟର ସଦୁପଯୋଗ ମଧ୍ୟ କରିପାରିନଥିଲେ। ସମୟ ଗଡ଼ି ଚାଲିଲା ଓ ଦେଶରେ ଧର୍ମ, ସମାଜ ଏବଂ କ୍ଷେତ୍ର ବା ଅଞ୍ଚଳକୁ ନେଇ ଅନେକ ରାଜନୈତିକ ଦଳ ଗଠନ ହୋଇଥିଲା। ଧୀରେ ଧୀରେ ନିର୍ବାଚନରେ ଜିଣିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ଲୋକଙ୍କୁ (ଭୋଟରଙ୍କୁ) ଆକର୍ଷିତ କରିବା ପାଇଁ ଅନେକ ପ୍ରକାରରପନ୍ଥା ଅବଲମ୍ବନ କଲେ। ସମୟ ବଦଳିଛି। ପରିବର୍ତ୍ତିତ ସମୟ ଅନୁସାରେ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି। ଗଣତନ୍ତ୍ର କେମିତି ଅଧିକ ମଜଭୁତ ହେବ ସେମାନେ ବୁଝିଗଲେଣି। ସରକାର ମଧ୍ୟ ଲୋକଙ୍କ ମାନସିକତାକୁ ଠିକ୍ ଭାବରେ ଆକଳନ କରି ତଦନୁଯାୟୀ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ସମୟରେ ରାଜନୀତିର ପରିଭାଷା ବଦଳିଗଲାଣି। ଲୋକେ ରାଜନୀତି ଶବ୍ଦର ବ୍ୟାଖ୍ୟା କରିବା ଆରମ୍ଭ କଲେଣି। ରାଜନୈତିକ ବିଷାରଦମାନେ ରାଜନୈତିକ ପାଣିପାଗ ଓ ନିର୍ବାଚନ ପରିଣାମ ସମ୍ପର୍କରେ ଆକଳନ କରୁଛନ୍ତି। ପରିବର୍ତ୍ତିତ ପରିଦୃଶ୍ୟ ଅନୁସାରେ ଦ୍ରୁତ ଗତିର ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। କିଛି ବର୍ଷ ପୂର୍ବରୁ ଗାଁ ଓ ସହରରେ ଯଦି କେହି ବୟସ୍କ ବୁଦ୍ଧିଜୀବି କିଛି ପରାମର୍ଶ ଦେଉଥିଲେ ତେବେ ଅନ୍ୟ ଲୋକମାନେ ତାକୁ ଗ୍ରହଣ କରି ନେଉଥିଲେ ଓ ବିନା ଦ୍ୱିଧାରେ ତାଙ୍କ ବିଚାର ଧାରାକୁ ସମର୍ଥନ କରୁଥିଲେ। କିନ୍ତୁ ଏବେ ସମସ୍ତେ ସଚେତନ। ଏହି ସଚେତନତା ମଧ୍ୟ ସଶକ୍ତ ଭାରତ ନିର୍ମାଣ କରିବ।

ଗଣତନ୍ତ୍ରରେ ପ୍ରତିବ୍ୟକ୍ତିଙ୍କୁ ନିଜର ବିବେକ ଅନୁସାରେ ବ୍ୟକ୍ତି (ନେତା)ଙ୍କୁ ବାଛିବାର ଅଧିକାର ରହିଛି ଯିଏ ତାଙ୍କ ପ୍ରତିନିଧିତ୍ୱ କରିବେ। ଏହି ବ୍ୟକ୍ତିଙ୍କୁ ଜନ ପ୍ରତିନିଧି କୁହାଯାଇଥାଏ। ଆମ ଦେଶରେ ପଞ୍ଚବାର୍ଷିକ ଯୋଜନା ହୁଏ, ପ୍ରତି ୫ବର୍ଷରେ ଥରେ ଆମର ସରକାର ଗଠନ ହୁଏ। ସ୍ୱାଧୀନତା ପରଠାରୁ ଏହି ପ୍ରକ୍ରିୟା ଚାଲିଆସିଛି। ପ୍ରତି ନିର୍ବାଚନ ପୂର୍ବଥରର ନିର୍ବାଚନ ଠାରୁ ଭିନ୍ନ ହୋଇଛି। ଅନେକଥର କେନ୍ଦ୍ରରେ ଓ କେତେକ ରାଜ୍ୟରେ ମେଣ୍ଟ ଦଳକୁ ନେଇ ଗଠିତ ସରକାର ୫ବର୍ଷର ଅବଧି ପୂରଣ କରିନପାରିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ପୁଣି ନିର୍ବାଚନ ହୋଇଛି। ନିର୍ବାଚନରେ ଅନେକ ନୂଆ ମୁହଁ ଆସିଛନ୍ତି ଓ ଆସୁଛନ୍ତି। ସବୁଥର କିଛି ନୂଆ ପ୍ରସଙ୍ଗ ରହୁଛି। ନେତାଏ ଲୋକଙ୍କୁ ନୂଆ ନୂଆ ପ୍ରତିଶ୍ରୁତି ଦେଉଛନ୍ତି। ଲୋକ (ଭୋଟର)ଙ୍କ ଚିନ୍ତା ଓ ଚୟନରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟା ଏମିତି ଚାଲିଛି। ଲୋକଙ୍କ ସଚେତନତା ବଢିଛି। ଆଗରୁ ପୂର୍ବାନୁମାନ କରାଯାଉଥିଲା। କିନ୍ତୁ ଏବେ ସବୁ କିଛି ପ୍ରାମାଣିକତାକୁ ନେଇ ସ୍ଥିର କରାଯାଉଛି।

ଆଗେ ଲୋକେ ପତ୍ର ମାଧ୍ୟମରେ ନିଜର କଥାକୁ ଅନ୍ୟମାନଙ୍କ ଆଗରେ ଉପସ୍ଥାପନ କରୁଥିଲେ। ତା’ ପରେ ଆସିଲା ରେଡିଓ, ପୁଣି ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ ଆସିଲା। କିନ୍ତୁ ଏବେ ଏଭଳି ଏକ ମିଡିଆ (ମାଧ୍ୟମ) ଜନ୍ମ ନେଲାଣି ଯିଏ ଏସବୁ ମିଡିଆର ଗୁରୁତ୍ୱକୁ ଫିକା କରି ନିଜର ବ୍ୟାପକ ଋପକୁ ପ୍ରଦର୍ଶନ କରିବାରେ ସକ୍ଷମ ହେଲାଣି। ଫଳରେ ସାମାନ୍ୟ ଟିକିଏ ଭୁଲ ତଥ୍ୟ ପ୍ରସାରିତ ହେଲେ ତତ୍‌କ୍ଷଣାତ୍ ତା’ର ସ୍ପଷ୍ଟିକରଣ ସହ ସତ୍ୟତା ସମସ୍ତଙ୍କ ସାମ୍ନାକୁ ଆସି ଯାଉଛି। ଏହି ନୂଆ ମାଧ୍ୟମ (ସାମାଜିକ ଗଣମାଧ୍ୟମ)ର ସୋସିଆଲ ସାଇଟ୍ ଗୁଡିକ ଅଧିକ ଭାବରେ ସକ୍ରିୟ ଅଛନ୍ତି ଓ ଅଧିକ ତଥ୍ୟ ଲୋକଙ୍କୁ ଜାଣିବାକୁ ମିଳୁଛି। ସଚେତନତାର ଜୀବନ୍ତ ଉଦାହରଣ ହେଉଛି ସାମାଜିକ ଗଣମାଧ୍ୟମ ପୂର୍ବରୁ କାହା ବିଷୟରେ ଜାଣିବାକୁ ହେଲେ ଅନେକ ଖୋଜିବାକୁ ପଡୁଥିଲା।କିନ୍ତୁ ଏହି ମାଧ୍ୟମରେ ଏବେ ସବୁ ଉପଲବ୍ଧ। ଅଣ ରାଜନୈତିକ ବ୍ୟକ୍ତି ମଧ୍ୟ ଏହି ମାଧ୍ୟମରୁ ରାଜନୈତିକ ଗତିବିଧି ସମ୍ପର୍କରେ ସମସ୍ତ ତଥ୍ୟ ଜାଣିପାରୁଛନ୍ତି। ଏହା ପୁଣି ଖବର କାଗଜ ବା ଟିଭିରେ ପ୍ରସାରିତତ ହେବା ପୂର୍ବରୁ।

ଭାରତ ମାଟିରୁ ସବୁବେଳେ ଜ୍ଞାନର ଉତ୍ପତ୍ତି ହୋଇଥାଏ। ହେଲେ ଏବେ ଜ୍ଞାନର ଉତ୍ପତ୍ତି ବହୁଗୁଣା ବଢିଯାଇଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇଛି। ଦେଶରେ ଶିକ୍ଷିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ବର୍ତ୍ତମାନର ପୀଢି ନିଜର ନିର୍ଣ୍ଣୟ ନିଜେ ନେଇଥାନ୍ତି। ଏପରିକି ପୂର୍ଣ୍ଣ ବିଶ୍ୱାସର ସହ ନିର୍ଣ୍ଣୟ ନେଇଥାନ୍ତି। ଏଣୁ ନିର୍ବାଚନୀ ରଣନୀତିର ମହାରଥୀମାନେ ସେମାନଙ୍କର ଆକଳନ ଶକ୍ତି ଏବଂ ଦୃଷ୍ଟିଭଙ୍ଗୀ ସମୟ ଅନୁସାରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ନିର୍ବାଚନୀ ରଣକୌଶଳ ସମୟ ସହିତ ତାଳମିଳାଇ ପରିବର୍ତ୍ତନ ହେବାରେ ଲାଗିଛି।

ପୂର୍ବରୁ ରାଜନୈତିକ ଦଳମାନେ ଯେଭଳି ଭାବରେ ଭୋଟରଙ୍କୁ ଆକର୍ଷିତ କରିପାରୁଥିଲେ ସେ କଥା ଏବେ ଆଉ ନାହିଁ। କାରଣ ଏକବିଂଶ ଶତାବ୍ଦୀରେ ସାମ୍ବାଦିକ ଯିଏ ବି ହେଉ ସାମ୍ବାଦିକତା ସମସ୍ତଙ୍କର ଶକ୍ତି ପାଲଟିଛି। ନେତାଙ୍କ କଥା ଓ କାମର ଫରକ୍ କଥା ଲୋକେ ଏବେ ଜାଣିପାରୁଛନ୍ତି। ଏଭଳି ନେତାଙ୍କୁ କଣଠେସା ମଧ୍ୟ କରୁଛନ୍ତି। ଏବେ ଯେ କେବଳ ଭୋଟ ଦେବାର ବ୍ୟବସ୍ଥାରେ ପରିବର୍ତ୍ତନ ଘଟିଛି ତା’ ନୁହେଁ ସବୁ କ୍ଷେତ୍ରରେ ପାରଦର୍ଶିତା ବଢିଛି। ଇତିହାସର ବିବେଚନା ଉପରେ ବର୍ତ୍ତମାନର ଅଧ୍ୟୟନ ସହିତ ଭବିଷ୍ୟତ କଥା ଆକଳନ କରାଯାଉଛି। ନିର୍ବାଚନ ଦୃଷ୍ଟିକୋଣ କେବଳ ବଦଳିନି, ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ଚିନ୍ତା-ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳିବାରେ ଲାଗିଛି। ନୂଆ ଚିନ୍ତା-ନୂଆ ଦୃଷ୍ଟିଭଙ୍ଗୀ ପାଇଁ ସମୟ ଆସିଯାଇଛି। ସବୁ ଦୃଷ୍ଟିରୁ ଦେଖିଲେ ସମୟ ସହ ତାଳ ମିଳାଇ ନିର୍ବାଚନୀ ପରିଭାଷା ମଧ୍ୟ ବଦଳୁଛି।

ରାମଚନ୍ଦ୍ରପୁର, ରଣପୁର
୯୪୩୮୪୮୫୦୯୪

Leave A Reply

Your email address will not be published.