ବଢି ଚାଲିଛି ବାଦୁଡ଼ିଙ୍କ ସଂଖ୍ୟା, ମାରିଲେ ୫ ହଜାର ଜରିମାନା

କେନ୍ଦୁଝର : ବାଦୁଡିଙ୍କ ସୁରକ୍ଷା ପାଇଁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ତରମାକାନ୍ତ ଗ୍ରାମବାସୀ ନେଇଛନ୍ତି କଠୋର ନିଷ୍ପତ୍ତି। ଯଦି କେହି ବାଦୁଡି ମାରେ ତେବେ ପାଞ୍ଚ ୫ ହଜାର ଟଙ୍କା ଜରିମାନା। ଗାଁ ଲୋକମାନଙ୍କଙ୍କ ଏହି ନିଷ୍ପତ୍ତି ବାଦୁଡିଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛି।

ତରମାକାନ୍ତ ଗ୍ରାମର କଣ୍ଢେଇବିରା ଗାଁ ଶାଳରେ ଅନେକ ଦିନରୁ ରହିଆସୁଛନ୍ତି ହଜାର ହଜାର ବାଦୁଡ଼ି। ଏହାର ପଶ୍ଚିମ ଦିଗରେ କଣ୍ଢେଇବିରାଙ୍କ ମନ୍ଦିର ଓ ପୂର୍ବରେ ରହିଛି ମା’ ତାରିଣୀଙ୍କ ମନ୍ଦିର। ତେଣୁ ଲୋକଙ୍କର ବିଶ୍ଵାସ ବାଦୁଡ଼ିମାନେ ଠାକୁର ଠାକୁରାଣୀଙ୍କ ଆଶ୍ରିତ। ସେଥିପାଇଁ ଗ୍ରାମବାସୀ ବାଦୁଡ଼ିଙ୍କ ସୁରକ୍ଷା ଉପରେ ସବୁବେଳେ ନଜର ରଖିଛନ୍ତି। ସଞ୍ଜ ନଇଁଲେ ବାଦୁଡ଼ିମାନେ ବିଚରଣ କରୁଛନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ ଫେରି ଆସୁଛନ୍ତି ବାସ ସ୍ଥାନକୁ।

ଏବେ ଦେଖାଯାଉଛି ତରମାକାନ୍ତ ଗ୍ରାମରେ ବାଦୁଡିଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି। ସେମାନେ ରହୁଥିବା ଗଛ ମୂଳରୁ ଉଠୁଛି ବିଭିନ୍ନ ଫଳ ଓ ଫୁଲ ଗଛ। କେବଳ ସେତିକି ନୁହେଁ ବାଦୁଡ଼ିଙ୍କ ସହିତ ଗ୍ରାମବାସୀଙ୍କର ଯୋଡି ହୋଇଯାଇଛି ନିବିଡ ସମ୍ପର୍କ। ଅନ୍ୟ ଅଞ୍ଚଳର ଲୋକମାନଙ୍କୁ ବାଦୁଡ଼ିମାନେ ଆକୃଷ୍ଟ କରୁଥିବାରୁ ଗ୍ରାମବାସୀ କଣ୍ଢେଇବିରା ଶାଳର ଉନ୍ନତି କରଣ ଓ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ୨୧ ଜଣିଆ କମିଟି ଗଠନ କରିଛନ୍ତି। ପ୍ରତି ମାସରେ ବୈଠକ ଡକାଯାଇ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ସଂଗ୍ରହ କରାଯାଉଛି ପାଣ୍ଠି। ଏହି ଅର୍ଥରେ ବାଦୁଡ଼ି ରହୁଥିବା ଅଞ୍ଚଳର ଚତୁଃପାଶ୍ୱର୍ରେ ତାର ବାଡ଼ ଘେରାଯାଇଛି। ପୁରୁଣା ଗଛ ଗୁଡିକ ନଷ୍ଟ ହେବାକୁ ବସିଥିବା ବେଳେ ବାଦୁଡ଼ିଙ୍କ ପାଇଁ କାଳେ ସମସ୍ୟା ସୃଷ୍ଟି ହେବ ସେଥିପାଇଁ ନୂଆ ବୃକ୍ଷ ରୋପଣ କରାଯାଉଛି। ବାଦୁଡ଼ିଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କର ଏହି ପ୍ରଚେଷ୍ଟା ଯୋଗୁ ଏମାନଙ୍କ ବଂଶ ବୃଦ୍ଧି ହୋଇ ସଂଖ୍ୟା ଏକ ଲକ୍ଷ ପାର୍‌ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।