ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ)ଙ୍କୁ ନିୟମିତ ବା ରେଗୁଲାର୍‌ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ୧୫ବର୍ଷ କାର୍ଯ୍ୟ କରିଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ)ଙ୍କୁ ନିୟମିତ କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହା ବିରୋଧରେ ନୟାଗଡର କିଛି ସ୍ୱାସ୍ଥ୍ୟକର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଆଇନତଃ ଗ୍ରହଣୀୟ ନୁହେଁ ବୋଲି କହି ରଦ୍ଦ କରି ଦେଇଛନ୍ତି। ଏଥିସହ ଯେଉଁମାନେ ଚାକିରିକାଳ ୬ବର୍ଷ ପୂରଣ କରିଛନ୍ତି ସେମାନଙ୍କୁ ନିୟମିତ କରିବାକୁ କୋର୍ଟ କହିଛନ୍ତି। ମାନସରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ଏହି ରାୟ ଦେଇଛନ୍ତି।

ହାଇକୋର୍ଟ ରାୟରେ କହିଛନ୍ତି ଯଦି ରାଜ୍ୟ ସରକାର ପାରା ମେଡିକାଲ ଷ୍ଟାଫ୍‌ ହିସାବରେ ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ, ଟେକ୍ନିସିଆନ୍‌, ରେଡିଓଗ୍ରାଫରଙ୍କୁ ୬ବର୍ଷ ପୂରଣ ପରେ ନିୟମିତ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାରୁ ବଞ୍ଚିତ ପାଇଁ ଯେଉଁସବୁ କାରଣ ଦର୍ଶାଯାଇଛି ତାହା ଗ୍ରହଣୀୟ ନୁହେଁ। ଏପରିକି ସ୍ୱାସ୍ଥ୍ୟକର୍ମୀମାନେ ପାରା ମେଡିକାଲ କର୍ମଚାରୀ ନୁହଁନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରେ କୌଣସି ବଳିଷ୍ଠ ଯଥେଷ୍ଟ ଯୁକ୍ତି ନାହିଁ। ତେଣୁ ରାଜ୍ୟ ସରକାରଙ୍କ ଦ୍ୱାରା ଏସଂକ୍ରାନ୍ତରେ ଜାରି ନିର୍ଦ୍ଦେଶାବଳୀ ସ୍ୱେଚ୍ଛାଚାରିତା ଓ ମନମୁଖୀ ଭାବେ କରାଯାଇଛି। ଏଥିସହ ସରକାରଙ୍କ ୨୦୨୦ ନଭେମ୍ବର ୨୭ ତାରିଖ ନିର୍ଦ୍ଦେଶନାମା ଗ୍ରହଣୀୟ ନୁହେଁ ବୋଲି ଏହାକୁ କୋର୍ଟ ରଦ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button