ବାଲେଶ୍ୱର : ୩ ଲୁଟେରଙ୍କୁ ଧରିଲା ପୋଲିସ

ବାଲେଶ୍ୱର : ଚାନ୍ଦିପୁର ରାସ୍ତାର ସୁନାଚାନ୍ଦି ପେଟ୍ରୋଲପମ୍ପରୁ ଲୁଟ୍ ଉଦ୍ୟମ କରିଥିବା ୩ଜଣ ଲୁଟେରାଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ପେଟ୍ରୋଲ ପମ୍ପର କିଛି କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଧେହରେ ପୋଲିସ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ଖବର ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ପେଟ୍ରୋଲ ପମ୍ପ ମ୍ୟାନେଜର ଗଜେନ୍ଦ୍ର ପାଢ଼ୀ କ୍ୟାସ କାଉଣ୍ଟରରେ ବସି ହିସାବକିତାବ କରୁଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ଆକ୍ଟିଭା ସ୍କୁଟରରେ ଆସି କ୍ୟାସ କାଉଣ୍ଟରରେ ପଶି ମ୍ୟାନେଜର ଶ୍ରୀ ପାଢ଼ୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଏହାପରେ ୪୦ ହଜାର ଟଙ୍କା ନେଇ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଚାନ୍ଦିପୁର ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ପହଞ୍ଚି ୩ ଲୁଟେରାଙ୍କୁ କାବୁ କରିଥିଲେ। ଲୁଟେରାମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।