Breaking Newsରାଜ୍ୟ

ବାଲେଶ୍ୱର ୭୧ ଓ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଦୁଇଟି ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୭୦.୦୪ ପ୍ରତିଶତ ମତଦାନ‌ ହୋଇଛି। ବାଲେଶ୍ୱର ସଦରରେ ମତଦାନ ହାର ୭୧ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ରହିଛି ୬୯.୯ ପ୍ରତିଶତ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମଙ୍ଗଳବାର ସନ୍ଧ୍ୟାରେ ଦୁଇଟି ନିର୍ବାଚନମଣ୍ଡଳୀର ଭୋଟ ଗ୍ରହଣ ସରିବା ପରେ ବାଲେଶ୍ଵରରେ ୬ ଓ ତିର୍ତ୍ତୋଲରେ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଥିଲା। କରୋନା ସଂକ୍ରମଣ ସମୟରେ ଭୋଟ ଗ୍ରହଣ କରାଯାଇଥିବାରୁ ନିୟମକୁ କଡାକଡି ପାଳନ କରଯାଇଥିଲା। ଗୋଟିଏ ଗୋଟିଏ ବୁଥ୍‌ ପାଇଁ ୧ ହଜାର ଭୋଟରଙ୍କ ମତ ସଂଗ୍ରହ ବ୍ୟବସ୍ଥା କରାଯାଇଥିବାରୁ ବାଲେଶ୍ଵର ଓ ତିର୍ତ୍ତୋଲରେ ବୁଥ ସଂଖ୍ୟା ବଢ଼ିଥିଲା। ବାଲେଶ୍ଵରରେ ୧୯୮ବୁଥ ବଦଳରେ ହୋଇଥିଲା ୩୪୬ ବୁଥ। ସେହିପରି ତିର୍ତ୍ତୋଲରେ ୨୬୫ ବୁଥ ପରିବର୍ତ୍ତେ ୩୭୩ ବୁଥ କରାଯାଇଥିଲା। ସମସ୍ତ ବୁଥକୁ ସାନିଟାଇଜ୍‌ କରିବା ସହ ନିର୍ବାଚନ ଅଧିକାରୀଙ୍କୁ ପିପିଇ କିଟ୍‌ ଯୋଗାଇ ଦିଆଯାଇଥିଲା।

ଏହାଛଡା କେତେକ କାରଣ ଯୋଗୁ ତିର୍ତ୍ତୋଲର ୧୨୦ଟି ବୁଥ ଓ ବାଲେଶ୍ୱରର ୩୦ଟି ବୁଥରେ ମତଦାନ ଜାରି ରହିଥିବାରୁ ଭୋଟ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତିର୍ତ୍ତୋଲର କୌଣସି ସ୍ଥାନରେ ଭୋଟ ବର୍ଜନର ଖବର ଆସନାହିଁ। ଯେଉଁସବୁ ସ୍ଥାନରୁ ଅଭିଯୋଗ ଆସିଥିଲା, ଟିମ୍ ସଙ୍ଗେସଙ୍ଗେ ଯାଇ ତା’ର ଯାଂଚ କରିଥିଲେ। ଶାନ୍ତିଶୃଙ୍ଖଳା ସହ ସମସ୍ତଙ୍କ ସହଯୋଗରେ ମତଦାନ ଶେଷ ହୋଇଛି। ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ସଦର ଆସନରେ ମତଦାନ ହାର ୭୯.୨୯ ପ୍ରତିଶତ ଓ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ରହିଥିଲା।

ମତାମତ ଦିଅନ୍ତୁ ।

Back to top button